ନେଦରଲାଣ୍ଡ୍‌ରେ ତ୍ରିରାଷ୍ଟ୍ରୀୟ କ୍ରିକେଟ୍‌ ଖେଳିଲେ ପ୍ରୀତମ

ଭୁବନେଶ୍ୱର: ଓଡ଼ିଆ ପୁଅ ପ୍ରୀତମ ଅଭିଷେକ ଭାରତୀୟ ଯୁବ ଦଳର ପ୍ରତିନିଧିତ୍ୱ କରି ନେଦରଲାଣ୍ଡ୍‌ରେ ଆୟୋଜିତ ଏକ ତ୍ରିରାଷ୍ଟ୍ରୀୟ କ୍ରିକେଟ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଗୌରବ ଅର୍ଜନ କରିଛନ୍ତି। ନେଦରଲାଣ୍ଡ୍‌ର ଆମଷ୍ଟରଡାମ୍‌ରେ ମାର୍ଚ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଆଇସିସି ଅଣସ୍ୱୀକୃତ ତ୍ରିରାଷ୍ଟ୍ରୀୟରେ ଭାରତର ୧୯ ବର୍ଷରୁ କମ୍‌ ‘ବି’ ଦଳ ଭାଗ ନେଇଥିଲା। କନିଷ୍ଠ ବିଶ୍ୱକପ୍‌ ବିଜେତା ଅଧିନାୟକ ପୃଥ୍ଵୀ ସ’ ଶେଷ ମୁହୂର୍ତରେ ଓହରିଯିବାରୁ ଶୁଭମନ୍‌ ଗିଲ୍‌ ଏହି ଦଳର ନେତୃତ୍ୱ ନେଇଥିଲେ। ଶୀର୍ଷକ୍ରମ ବ୍ୟାଟସମ୍ୟାନ୍‌ ପ୍ରୀତମଙ୍କୁ ୨ଟି ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳିଥିବା ବେଳେ ସେ ଯଥାକ୍ରମେ ୧୭ ଓ ୨୪ ରନ୍‌ କରିଥିବା କହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ହାରି ଭାରତ ଉପ ବିଜେତା ହୋଇଥିଲା। ଫାଇନାଲ୍‌ରେ ମଧ୍ୟ ଖେଳିଥିଲେ ପ୍ରୀତମ।
ଭୁବନେଶ୍ୱର କଳିଙ୍ଗ ନଗର ଡିଏଭି ସ୍କୁଲ୍‌ରୁ ଯୁକ୍ତ ଦୁଇ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେବା ପରେ ପ୍ରୀତମ ଏବେ ଦିଲ୍ଲୀର ଏସ୍‌ଆରସିସି ବିଶ୍ୱବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ କରୁଛନ୍ତି। ଭୁବନେଶ୍ୱରରେ ଛାତ୍ର ଜୀବନ ବେଳେ ଖୋ ଖୋ ଖେଳୁଥିବା ପ୍ରୀତମ ଗତବର୍ଷ ଦିଲ୍ଲୀ ସ୍ଥାନାନ୍ତର ହେବାଠୁ କ୍ରିକେଟ୍‌ ଉପରେ ଏକାଗ୍ର ହୋଇଛନ୍ତି। ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳିର ଗଣିପୁର ପଞ୍ଚାୟତ ଅନ୍ତର୍ଗତ ବାଙ୍ଗୁରିଗାଁ ହେଉଛି ତାଙ୍କ ମୂଳ ଘର। ବ୍ୟବସାୟୀ ପିତା ଅକ୍ରୁର କୁମାର ରାଉତ ଏବଂ ମା’ ଲକ୍ଷ୍ମୀପ୍ରିୟା ରାଉତଙ୍କୁ ପ୍ରୀତମ ତାଙ୍କ ସବୁ ସଫଳତାର ଶ୍ରେୟ ଦିଅନ୍ତି। ନେଦରଲାଣ୍ଡ ଗସ୍ତରେ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ପରାମର୍ଶ ସହିତ ସାଥୀ ଖେଳାଳି ପ୍ରଣବ ଧନବାଡ଼େ, ଅର୍ଶଦୀପ ସିଂହ, ଅର୍ଜୁନ ତେନ୍ଦୁଲକର, ଶିଭମ ମାଭି, କେଏଲ୍‌ ନାଗରକୋଟିଙ୍କ ଭଳି ବିଶ୍ୱକପ୍‌ ବିଜେତା ଖେଳାଳିଙ୍କ ସଂସ୍ପର୍ଶରେ ଆସି ପ୍ରୀତମ ମଧ୍ୟ ଆଗକୁ ବଡ଼ ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି।
ଦେଶରେ କ୍ରିକେଟ୍‌ର ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ରହିଛି। ମୁଁ କିନ୍ତୁ ଏହାକୁ ଖେଳ ଜୀବନ ଭାବେ ଗଢ଼ିବାକୁ ଆଗ୍ରହ ରଖିଛି ବୋଲି କହିଛନ୍ତି ଏହି ଯୁବ ବ୍ୟାଟସମ୍ୟାନ୍‌। ଖ୍ୟାତିସମ୍ପନ୍ନ ଅର୍ନ୍ତଜାତୀୟ ସ୍ପିନର୍‌ ବିଶେନ୍‌ ସିଂହ ବେଦୀଙ୍କ କ୍ଲବ୍‌ ସନେଟ୍‌ କ୍ରିକେଟ୍‌ କ୍ଲବ୍‌ରେ (ନୂଆଦିଲ୍ଲୀ) ଖେଳୁଛନ୍ତି ପ୍ରୀତମ। ଯେଉଁ କ୍ଲବ୍‌ରୁ ଶିଖର ଧାଓ୍ଵନ, ଋଷବ ପନ୍ତଙ୍କ ଭଳି ଖେଳାଳି ବାହାରିଛନ୍ତି। ଯୁବ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ପରାମର୍ଶକୁ ବହୁମୂଲ୍ୟ ଦେଇଛନ୍ତି ସେ। ମୋ ବ୍ୟାକହ୍ୟାଣ୍ଡ୍‌ ତଥା ବ୍ୟାକ୍‌ଲିଫଟରେ ଥିବା ଦୁର୍ବଳତାକୁ ଦର୍ଶାଇଥିଲେ ଦ୍ରାବିଡ଼ ସାର୍‌। ଷ୍ଟାନ୍‌ସ ଠିକ୍‌ ଠାକ୍‌ ଥିଲେ ମଧ୍ୟ କିଛି ପରାମର୍ଶ ଦେଇଛନ୍ତି। ଏହି ଗସ୍ତ ମୋ ପାଇଁ ନିଶ୍ଚିତ ସ୍ମରଣୀୟ ଏବଂ ଶିକ୍ଷଣୀୟ ରହିବ ବୋଲି ‘ସମ୍ବାଦ’ ସହିତ କଥା ହେବା ବେଳେ କହିଛନ୍ତି ୧୮ ବର୍ଷୀୟ ପ୍ରୀତମ।

ସମ୍ବନ୍ଧିତ ଖବର