ଶେଷରେ ସଫଳ ଲେଉଟାଣି ଆଶା: ଆଜି ପଞ୍ଚମ ଦିନିକିଆ, ବୁଧବାରରୁ ଟ୍ବେଣ୍ଟି-୨୦

ୱେଲିଂଟନ୍: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ଶୃଙ୍ଖଳାର ପଞ୍ଚମ ତଥା ଶେଷ ମୁକାବିଲା ରବିବାର ୱେଲିଂଟନର ୱେଷ୍ଟପାକ୍ ଷ୍ଟାଡିୟମରେ ଖେଳାଯିବ। ଏଥିରେ ଭାରତ ପାଇଁ ୪-୧ରେ ଶୃଙ୍ଖଳା ଶେଷ କରିବା ଏବଂ ନ୍ୟୁଜିଲାଣ୍ଡ ପାଇଁ ପରାଜୟକୁ ୩-୨କୁ କମାଇବା ସୁଯୋଗ ରହିବ। ଲଗାତାର ତିନିଟି ଦିନିକିଆରେ ଏକତରଫା ବିଜୟ ହାସଲ କରିବା ପରେ ଭାରତର ବିଜୟ ରଥକୁ ଘରୋଇ ନ୍ୟୁଜିଲାଣ୍ଡ ଚତୁର୍ଥ ଦିନିକିଆରେ ଅଟକାଇ ଦେଇଥିଲା। ଏପରିକି ଭାରତକୁ ୧୦୦ ରନ୍ ତଳେ ରୋକି ୮ ୱିକେଟ୍‌ର ଧମାକାଦାର ବିଜୟ ହାସଲ କରିଥିଲା। ରବିବାର ୱେଲିଂଟନରେ ଭାରତ କିନ୍ତୁ ହାମିଲଟନରେ କରିଥିବା ଭୁଲ ସୁଧାରିବା ଲକ୍ଷ୍ୟରେ ରହିବ। ଚତୁର୍ଥ ଦିନିକିଆରେ ନିୟମିତ ଅଧିନାୟକ ବିରାଟ କୋହଲି ଏବଂ ଅଭିଜ୍ଞ ତାରକା ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିରେ ଭାରତୀୟ ବ୍ୟାଟିଂ କିୱି ବୋଲରଙ୍କ ଆଗରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ବିଶେଷ କରି ଟ୍ରେଣ୍ଟ ବୋଲ୍‌ଟଙ୍କ ସୁଇଂ ବୋଲିଂର ମୁକାବିଲା କରିବାରେ ଭାରତୀୟ ବ୍ୟାଟିଂ ବାହିନୀ ପୂରା ଅସମର୍ଥ ହୋଇଥିଲା। ୱେଲିଂଟନରେ ଧୋନି ଫେରୁଥିବାରୁ ଟିମ୍ ଇଣ୍ଡିଆର ବ୍ୟାଟିଂକ୍ରମ ଅବଶ୍ୟ ତୁଳନାତ୍ମକ ଭାବେ ସୁଦୃଢ଼ ହୋଇଛି। ସେପଟେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗପ୍ଟିଲ ଆହତ ହେବା ନ୍ୟୁଜିଲାଣ୍ଡ ପାଇଁ ଏକ ଶକ୍ତ ଧକ୍କା ହୋଇଛି। ଗପ୍ଟିଲ ଅଭ୍ୟାସ ବେଳେ ଆଘାତ ପ୍ରାପ୍ତ ହୋଇଥିବାରୁ କଲିନ୍ ମୁନ୍‌ରୋ ତାଙ୍କ ସ୍ଥାନ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ୱେଷ୍ଟପାକ୍ ଷ୍ଟାଡିୟମ୍ କିନ୍ତୁ ନିକଟ ଅତୀତରେ ନ୍ୟୁଜିଲାଣ୍ଡ ପାଇଁ ଆଦୌ ଶୁଭଙ୍କର ସାବ୍ୟସ୍ତ ହୋଇନି। ଏଠାରେ ଖେଳିଥିବା ଗତ ତିନି ଦିନିକିଆ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପରାଜିତ ହୋଇଛି। କୋହଲିଙ୍କ ଅନୁପସ୍ଥିତିରେ ତୃତୀୟ ସ୍ଥାନରେ ଖେଳିବାର ସୁଯୋଗ ପାଇଥିବା ୧୯ ବର୍ଷୀୟ ତାରକା ଶୁବମନ ଗିଲ୍‌ ରବିବାର ଚୂଡ଼ାନ୍ତ ଏକାଦଶରେ ରହିଲେ ସବୁ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ନଜର ତାଙ୍କ ଉପରେ ରହିବ। ସେହିଭଳି ଚତୁର୍ଥ ଦିନିକିଆରେ ପ୍ରଭାବହୀନ ବୋଲିଂ କରିଥିବା ଖଲିଲ ଅହମ୍ମଦଙ୍କ ପାଇଁ ମଧ୍ୟ ୱେଷ୍ଟପାକ୍ ପିଚ୍ ଏକ ନୂଆ ପରୀକ୍ଷା ନେଇ ଆସିବ। ‌ହାମିଲଟନରେ ଖାତା ଖୋଲି ପାରି ନଥିବା ଦୀନେଶ କାର୍ତିକଙ୍କ ସ୍ଥାନ ଧୋନି ନେବେ। ଭାରତ ଦିନିକିଆ ଶୃଙ୍ଖଳାର ଶେଷ ଲଢ଼େଇକୁ ଜିତି ୬ ତାରିଖରୁ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଯିବାକୁ ଚାହିଁବ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଶୁବମନ ଗିଲ୍, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଖଲିଲ ଅହମ୍ମଦ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: କେନ୍ ୱିଲିୟମସନ୍ (ଅଧିନାୟକ), ହେନରି ନିକୋଲ୍ସ, କଲିନ୍ ମୁନ୍‌ରୋ, ରସ୍ ଟେଲର, ଟମ୍ ଲାଥାମ, କଲିନ୍ ଡି ଗ୍ରାଣ୍ଢୋମେ, ଜେମ୍ସ ନିସାମ, ଡଗ୍ ବ୍ରାସୱେଲ/ ମିଚେଲ ସାଣ୍ଟନର, ଟଡ୍ ଆସଲେ, ମ୍ୟାଟ୍ ହେନରି/ ଟିମ୍ ସାଉଦି, ଟ୍ରେଣ୍ଟ ବୋଲ୍ଟ।

ସୁଇଂକୁ ସୁହାଇବ ପିଚ୍: ହାମିଲଟନ୍‌ର ସେଡ୍‌ନ ପାର୍କ ଭଳି ୱେଲିଂଟନର ୱେଷ୍ଟପାକ୍ ପିଚ୍ ସୁଇଂ ବୋଲରଙ୍କୁ ସୁହାଇବ। ଏଣୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଟ୍ରେଣ୍ଟ ବୋଲ୍ଟ ଏବଂ କଲିନ୍ ଡି ଗ୍ରା‌ଣ୍ଢୋମେଙ୍କୁ ଦେଖି ଚାହିଁ ଖେଳିବାକୁ ପଡ଼ିବ। ଗତ ତିନି ବର୍ଷ ମଧ୍ୟରେ ନ୍ୟୁଜିଲାଣ୍ଡର ଏହି ପଡ଼ିଆରେ ହାରାହାରି ରନ୍ ସଂଗ୍ରହ ପାଳି ପିଛା ମାତ୍ର ୨୦୭ ରହିଛି। ଏଣୁ ରବିବାର ଏଠ‌ାରେ ରନ୍ ବର୍ଷା ହେବାର ସମ୍ଭାବନା କମ୍। ନ୍ୟୁଜିଲାଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର ଆସନ୍ତାକାଲି ୧୧୦ ରନ୍ କରି ପାରିଲେ ଦିନିକିଆରେ ୮,୦୦୦ ରନ୍ ପୂରଣ କରିବାରେ ସପ୍ତମ ଦ୍ରୁତତମ ଖେଳାଳି ହେବେ। ବିରାଟ କୋହଲି ପଦାର୍ପଣ କରିବା ପରେ ଦିନିକିଆରେ ମାତ୍ର ଅଷ୍ଟମ ଥର ପାଇଁ ଭାରତ ଧୋନି କିମ୍ବା ତାଙ୍କ ବିନା ମଇଦାନକୁ ଓହ୍ଲାଇବ। ଧୋନି ଫେରିବେ: ଆଘାତ ପ୍ରାପ୍ତ ହୋଇ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଓ ଚତୁର୍ଥ ଦିନିକିଆରୁ ବାଦ୍ ପଡ଼ିଥିବା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ରବିବାରର ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଦିନିକିଆରେ ପ୍ରତ୍ୟାବର୍ତନ କରିବେ। ବ୍ୟାଟିଂ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର ଏହି ସୂଚନା ଦେଇଛନ୍ତି। ଧୋନି ଏବେ ପୂରା ସୁସ୍ଥ। ସେ ପଞ୍ଚମ ଦିନିକିଆ ଖେଳିବେ। ୩୭ ବର୍ଷୀୟ ଧୋନି ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଲଗାତାର ତିନିଟି ଅର୍ଧଶତକ ହାସଲ କରି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଥିଲେ। ତାଙ୍କ ଅନୁପସ୍ଥିତିରେ ହାମିଲଟନରେ ଖେଳା ଯାଇଥିବା ଚତୁର୍ଥ ଦିନିକିଆରେ ଭାରତୀୟ ମଧ୍ୟକ୍ରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

ସମ୍ବନ୍ଧିତ ଖବର