ପାରମ୍ପରିକ ଖେଳକୁ ପ୍ରୋତ୍ସାହନ ଦେବେ ତୁଷାରକାନ୍ତି

ଭୁବନେଶ୍ବର: ରାଜ୍ୟର ନୂଆ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବ‌େହେରା ନୂଆ ଆଭିମୁଖ୍ୟ ସହିତ ଦାୟିତ୍ବ ଭାର ଗ୍ରହଣ କରିଛନ୍ତି। ରାଜ୍ୟରେ କବାଡ଼ି, ଖୋ ଖୋ, ଭଲିବଲ୍‌ ଭଳି ପାରମ୍ପରିକ ତଥା ସ୍ବଦେଶୀ ଖେଳକୁ ପ୍ରୋତ୍ସାହିତ କରାଯିବ ବୋଲି କହିଛନ୍ତି ଆଇଆଇଟିଆନରୁ ରାଜନେତା ବନିଥିବା ତୁଷାରକାନ୍ତି। ପ୍ରୋ କବାଡ଼ି ଲିଗ୍ ଆସିବା ପରେ ଏହି ଖେଳ ଯେଭଳି‌ ଲୋକପ୍ରିୟତା ଅର୍ଜନ କରିଛି ଏବଂ ସଫଳ ଖେଳାଳିଙ୍କୁ ଗଢ଼ିଛି ସେହି ଢାଞ୍ଚାରେ ଅନ୍ୟ ସ୍ବଦେଶୀ ଖେଳକୁ ପ୍ରୋତ୍ସାହିତ କରାଯିବ। ଯାହା ଫଳରେ ଗାଁ ଗହଳିରେ ଥିବା ପ୍ରତିଭାଙ୍କୁ ଆଗକୁ ନେଇ ହେବ ବୋଲି ଶ୍ରୀ ବେହେରା ସୋମବାର ସାମ୍ବାଦିକମାନଙ୍କ ସହିତ ଅନୌପଚାରିକ ଆଲୋଚନା‌ ବେଳେ ପ୍ରକାଶ କରିଥିଲେ। ହକି, ଚେସ୍‌, କ୍ରିକେଟ୍, ଦୌଡ଼କୁଦ, ଭାରୋତ୍ତୋଳନ ଭଳି ଖେଳରେ ଓଡ଼ିଶା ଉତ୍କର୍ଷ ପ୍ରଦର୍ଶନ କରି ଏକାଧିକ ଅନ୍ତର୍ଜାତୀୟ ସଫଳତା ଅର୍ଜନ କରିଛି। ରାଜ୍ୟ ସରକାର ୪୦ରୁ ଅଧିକ ଖେଳକୁ ନିଜ ସ୍ବୀକୃତି ତାଲିକାରେ ରଖିଛନ୍ତି। ତୁଷାରକାନ୍ତିଙ୍କ ପ୍ରୋତ୍ସାହନ ନିଶ୍ଚିତ ଗ୍ରାମୀଣ ଖେଳକୁ ଆଗକୁ ନେବ ବୋଲି ଆଶା କରାଯାଉଛି। ‘‘କ୍ରିକେଟ ତ ଗଳିକନ୍ଦିରେ ଖେଳାଯାଉଛି, ଏହାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ନାହିଁ। ଅନ୍ୟ ଖେଳ ପ୍ରତି ଧ୍ୟାନଦେବାକୁ ହେବ’’ ବୋଲି ଶ୍ରୀ ବେହେରା କହିଥିଲେ। ରାଜ୍ୟର ଯୁବ ଗୋଷ୍ଠୀ ଏବେ କଂପ୍ୟୁଟର୍ ଏବଂ ମୋବାଇଲ୍ ଗେମ୍‌ରେ ଅଧିକ ସମୟ ବିନିଯୋଗ କରୁଛନ୍ତି। ସେମାନଙ୍କୁ ଶାରୀରିକ ଖେଳକୁ ଆଣି ପ୍ରତିଭାର ପ୍ରଷ୍ଫୁଟନ କରିବାର ଅଛି। ବିଦ୍ୟାଳୟ ସ୍ତରରେ ଖେଳକୁ ବାଧ୍ୟତାମୂଳକ କରିବା ଏବଂ ପାଠ୍ୟକ୍ରମରେ ସାମିଲ କରିବାକୁ ମଧ୍ୟ ଆନୁଷ୍ଠାନିକ ପ୍ରୟାସ କରାଯିବ। ଏଥି ପାଇଁ ‌ଶିକ୍ଷାବିଭାଗ ସହିତ ମଧ୍ୟ ଆଲୋଚନା କରାଯିବ ବୋଲି ନିଜ ଛାତ୍ର ଜୀବନରେ ବ୍ୟାଡମିଣ୍ଟନ୍ ଏବଂ କ୍ୟାରମ୍‌ ଖେଳିଥିବା ତୁଷାରକାନ୍ତି ପ୍ରକାଶ କରିଛନ୍ତି।

କଳିଙ୍ଗ ଷ୍ଟାଡିୟମ୍‌ର ହକି କଂପ୍ଲେକ୍ସ ଅନ୍ତର୍ଜାତୀୟ ମାନର ଥିବାରୁ ଏଠାରେ ବହୁ ବିଶ୍ବସ୍ତରୀୟ ପ୍ରତିଯୋଗିତ ହେଉଛି। ନଭେମ୍ବରରେ ଅଲିମ୍ପିକ୍ କ୍ବାଲିଫାୟର ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। କିନ୍ତୁ ହକିକୁ ପ୍ରୋତ୍ସାହିତ କରାଯିବା ବେଳେ ଅନ୍ୟ ଖେଳକୁ ଅବହେଳିତ ରହିବାକୁ ଦିଆଯିବ ନାହିଁ। ଏତେ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା କରାଯାଉଥିଲେ ମଧ୍ୟ ରାଜ୍ୟ ହକି ପ୍ରତିଯୋଗିତାକୁ ସିନ୍ଥେଟିକ୍ ଟର୍ଫ ବଦଳରେ କଟକରେ ମାଟି ପଡ଼ିଆରେ ଖେଳାଯାଉଥିବା ପ୍ରସଙ୍ଗରେ ପ୍ରଶ୍ନ ହେବାରୁ ଏହାକୁ ସମାନ ସ୍ତରକୁ ଆଣିବାକୁ ଚେଷ୍ଟା ହେବ ବୋଲି ମନ୍ତ୍ରୀ କହିଥିଲେ। ଜୁଲାଇ ମାସରେ କଟକରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍ ପ୍ରତିଯୋଗିତା ଆମ ପାଇଁ ଏକ ଆହ୍ବାନ ନୁହେଁ। ଏହାକୁ ଉଚ୍ଚ ମାନର ଏବଂ ସମସ୍ତ ଅନ୍ତର୍ଜାତୀୟ ସ୍ତରର ସୁବିଧା ସୁଯୋଗ ଭିତରେ କରାଇବାକୁ ଅଗ୍ରାଧିକାର ଦେଇଛୁ ବୋଲି ସେ ପ୍ରକାଶ କରିଥିଲେ।‌ ରାଜ୍ୟର ପ୍ରତିନିଧିତ୍ବ ଖେଳାଳିଙ୍କୁ ପରିଚୟ ପତ୍ର ପ୍ରଦାନ ଏବଂ ସେମାନଙ୍କୁ ଠିକଣା ସମୟରେ ପ୍ରୋତ୍ସାହନ ଦେବାରେ ଆମେ ବ୍ଲକ ଓ ଜିଲ୍ଲାସ୍ତରରେ ବି ସୁବିଧା ରଖିବାକୁ ଚେଷ୍ଟା କରିବୁ ବୋଲି ଶେଷକୁ କହିଥିଲେ ମନ୍ତ୍ରୀ ଶ୍ରୀ ବେହେରା।

ସମ୍ବନ୍ଧିତ ଖବର