ଅଲିମ୍ପିକ୍‌ ଆଶାରେ ଦୁଇ ପ୍ରତିଭା :ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାକୁ ଯୋଗ୍ୟତା ଲକ୍ଷ୍ୟ: କ୍ରିଷ୍ଣା

ଭୁବନେଶ୍ୱର : ଗେଲ୍‌ ରଫ୍‌ତାର ଅନେ୍ଵଷଣ ଜରିଆରେ କ୍ରିଷ୍ଣା ମୁଣ୍ଡା ଏବଂ ସୁଖୀ ବାସ୍କେଙ୍କ ରୂପରେ ଦୁଇ ନୂଆ ପ୍ରତିଭା ଚିହ୍ନଟ ହୋଇଥିଲେ। ଏହି ଯୋଜନାରେ ଉଭୟ ଗତ ଜାନୁଆରିରେ ଜାମାଇକା ଗସ୍ତ କରିଥିଲେ। କିଙ୍ଗଷ୍ଟନ୍‌ରେ ଥିବା ଉସେନ୍‌ ବୋଲ୍ଟଙ୍କ ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ରେସର୍ସ ଟ୍ରାକ୍‌ କ୍ଲବ୍‌ରେ ଏକ ମାସର ପ୍ରଶିକ୍ଷଣ ପରେ ଫେରଥିଲେ। ଗସ୍ତ ଅବସରରେ ଦୁହେଁ ମଧ୍ୟ ବିଶ୍ୱର ଦ୍ରୁତତମ ଧାବକ ବୋଲ୍ଟଙ୍କ ସହ ମିଶିଥିଲେ। ଶେଷରେ ଅଲିମ୍ପିକ୍ସ ବିଜେତା ବୋଲ୍‌ଟଙ୍କଠୁ ଆଗକୁ ବଢ଼ିବାର ମନ୍ତ୍ର ସହ ଅଲିମ୍ପିକ୍‌ ସ୍ୱପ୍ନ ନେଇ ଓଡ଼ିଶା ଫେରିଥିଲେ। ଏଠାକୁ ଫେରିବା ପରେ କ୍ରିଷ୍ଣା ଏବଂ ସୁଖୀଙ୍କ ସ୍ୱପ୍ନ ଏବେ ଅଲିମ୍ପିକ୍ସ ହୋଇଯାଇଛି। ଏହାକୁ ସାକାର କରିବାକୁ ଉଭୟ କଠିନ ପରିଶ୍ରମ କରୁଛନ୍ତି। ଏହାକୁ ନେଇ ‘ସମ୍ବାଦ’ର ସ୍ୱତନ୍ତ୍ର ଉପସ୍ଥାପନା।

କେନ୍ଦୁଝର ଜିଲ୍ଲାର ଏକ ଛୋଟିଆ ଗାଁ ମିରଂସିଙ୍ଗାର କାହ୍ନ ମୁଣ୍ଡା ଏବଂ ବୁଦିନି ମୁଣ୍ଡାଙ୍କ କୋଳ ମଣ୍ଡନ କରିଥିଲେ କ୍ରିଷ୍ଣା। ୨୦୧୦ ମେ ୧୦ ତାରିଖରେ ଜନ୍ମିତ ଏହି ଯୁବ ଧାବକ ସ୍ୱପ୍ନରେ ବି ଭାବିନଥିଲେ ବିଦେଶ ଯିବେ ବୋଲି। କିନ୍ତୁ ପହଞ୍ଚି ଯାଇଥିଲେ ଜାମାଇକାରେ। ବିଶ୍ୱର ଦ୍ରୁତତମ ଧାବକ ଉସେନ୍‌ ବୋଲ୍ଟଙ୍କ କ୍ଲବ୍‌ରେ ପ୍ରଶିକ୍ଷଣ ନେଇଥିଲେ। ଏହାପରେ ଅଲିମ୍ପିକ୍ସରେ ଭାଗନେବା ତାଙ୍କର ସ୍ୱପ୍ନ ହୋଇଯାଇଛି। ଏଥିପାଇଁ ମୋତେ କଠିନ ପରିଶ୍ରମ କରିବାକୁ ପଡ଼ିବ ଏବଂ ସନ୍ତୁଳିତ ଖାଦ୍ୟପେୟ ସାଙ୍ଗକୁ ସଠିକ୍‌ ପ୍ରଶିକ୍ଷଣ ମିଳିଲେ ଏହି ସ୍ୱପ୍ନ ସାକାର ହୋଇପାରିବ ବୋଲି କହିଛନ୍ତି କ୍ରିଷ୍ଣା। ଏନ୍‌ଓ୍ଵାଇସିଏସ୍‌ ଏବଂ ଗେଲ୍‌ ଇଣ୍ଡିଆ ସହଯୋଗ କରୁଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଦେବି। ମୋ ଅଭିଭାବକ ଏବଂ ପ୍ରଶିକ୍ଷକ ରାଜକୁମାରୀ ପାତ୍ରଙ୍କ ସହଯୋଗ ଯୋଗୁ ମୁଁ ଅଗକୁ ବଢ଼ିପାରିଛି। ଏମାନଙ୍କ ପାଇଁ ୨୦୧୩ ସ୍କୁଲ୍‌ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିବା ସହ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରି ବହୁ ପଦକ ଜିତିିପାରିଛି। ୨୦୨୦ ଅଲିମ୍ପିକ୍‌ ଖେଳିବା ଆଶା ରଖିଥିଲେ ମଧ୍ୟ ଏବେ ମରକ୍କୋରେ ହେବାକୁ ଥିବା ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା ଯୋଗ୍ୟତା ଲାଗି ଟ୍ରାଏଲ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟ ରଖିଥିବା କ୍ରିଷ୍ଣା କହିଛନ୍ତି।
ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିପାରିବି: ସୁଖୀ
କ୍ରିଷ୍ଣାଙ୍କ ପରି ସୁଖୀ ବାସ୍କେ ମଧ୍ୟ କେନ୍ଦୁଝର ଜିଲ୍ଲା ବାସିନ୍ଦା। ୨୦୦୨ ନଭେମ୍ବର ୨ ତାରିଖରେ ଜନ୍ମ ଗ୍ରହଣ କରିଥିବା ସୁଖୀଙ୍କ ବାପା ବାସୁଦେବ ବାସ୍କେ ଜଣେ ଚାଷୀ। ଚାଷରୁ ମିଳୁଥିବା ସ୍ୱଳ୍ପ ରୋଜଗାରରେ ଝିଅକୁ କେବେ ବିଦେଶ ପଠାଇବାର ସ୍ୱପ୍ନ ଦେଖି ନଥିଲେ ବାସୁଦେବ। ଗେଲ୍‌ ରଫ୍‌ତାର ଅନେ୍ଵଷଣ ଯୋଜନାରେ ସୁଖୀ ଚୟନ ହୋଇ ଜାମାଇକାରୁ ପ୍ରଶିକ୍ଷଣ ପାଇ ନିକଟରେ ଫେରିଛନ୍ତି। ସେଠାରୁ ଫେରିବା ପରେ ନିଜକୁ ଜଣେ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଏବଂ ଅଲିମ୍ପିକ୍ସ ପଦକ ବିଜେତା ହେବାର ସ୍ୱପ୍ନ ଦେଖିଛନ୍ତି। ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ଜିତିବା ଲାଗି କଠିନ ପରିଶ୍ରମ କରୁଛନ୍ତି ବୋଲି ସୁଖୀ କହିଛନ୍ତି। ଏହି ବଡ଼ ଆଶା ପୂରଣ ପାଇଁ ଭଲ ପ୍ରଶିକ୍ଷକ ସାଙ୍ଗକୁ ସନ୍ତୁଳିତ ଖାଦ୍ୟ ଦରକାର। ଏଥିସହ ଆର୍ଥିକ ପ୍ରୋତ୍ସାହନ ଦରକାର ବୋଲି ସୁଖୀ କହିିଛନ୍ତି। ଏସବୁ ମିଳିଲେ ମୋ’ର ଏହି ବଡ଼ ଆଶାକୁ ପୂରଣ କରିପାରିବି। ସଂପ୍ରତି ଏନ୍‌ଓ୍ଵାଇସିଏସ୍‌ ଏବଂ ଗେଲ୍‌ ଇଣ୍ଡିଆ ଏହି ଦିଗରେ ସହଯୋଗ କରୁଥିବରୁ ସୁଖୀ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଆମକୁ ଉନ୍ନତିିର ବାଟ ସହ କିଭଳି ଲକ୍ଷ୍ୟସ୍ଥଳୀରେ ପହଞ୍ଚି ପାରିବୁ ରାସ୍ତା ଦେଖାଉଛନ୍ତି ଏହି ଦୁଇ ସଂସ୍ଥା। ଗତ ବର୍ଷ ସେପ୍ଟେମ୍ବରରେ ମୁଁ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ୨୬ ସେକେଣ୍ଡ୍‌ ସମୟ ନେଇ ୨୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲି। ଏହି ସଫଳତା ଲାଗି ମୋର ପ୍ରଶିକ୍ଷିକା ସୁସ୍ମିତା ଦତ୍ତଙ୍କୁ ସବୁ ଶ୍ରେୟ ଦେବି। ତାଙ୍କରି ସହଯୋଗରେ ସବୁ ବାଧାବିଘ୍ନକୁ ପଛରେ ପକାଇ ଅଲିମ୍ପିକ୍ସ ସ୍ୱପ୍ନ ଦେଖିପାରିଛି ବୋଲି ସୁଖୀ କୁହନ୍ତି।

ସମ୍ବନ୍ଧିତ ଖବର