ଭୁବନେଶ୍ବର: ପ୍ରତିକୂଳ ପାଗ, ହାଡ଼ ଭଙ୍ଗା ଶୀତ ଏବଂ ଏକାଧିକ ସଦସ୍ୟଙ୍କ ସ୍ବାସ୍ଥ୍ୟ ବାରମ୍ବାର ବିଗିଡ଼ିବା ସତ୍ତ୍ବେ ଏଭରେଷ୍ଟ୍ ବିଜେତା ଯୋଗବ୍ୟାସ ଭୋଇଙ୍କ ନେତୃତ୍ବରେ ଓଡ଼ିଶାର ଏକ ୬ ଜଣିଆ ପର୍ବତାରୋହୀ ଦଳ ସଫଳତାର ସହ ମାଉଣ୍ଟ୍ ଷ୍ଟକ୍ କାଙ୍ଗ୍ରି ଆରୋହଣ କରିଛି। ଦଳର ଅନ୍ୟତମ ସଦସ୍ୟ ରାଜୁ କୁମାର ବେହେରା ଶୁକ୍ରବାର ଭୋର ୪ଟା ୪୦ରେ ସମୁଦ୍ର ପତ୍ତନଠାରୁ ୨୦,୧୮୭ ଫୁଟ ଉଚ୍ଚତାରେ ଥିବା ଏହି ପର୍ବତର ଶିଖରରେ ପହଞ୍ଚିବା ସହ ଦଳୀୟ ଏବଂ ଜାତୀୟ ପତାକା ଉଡ଼ାଇଥିଲେ। ଚଳିତ ବର୍ଷ ଷ୍ଟକ୍ କାଙ୍ଗ୍ରି ଆରୋହଣ କରିଥିବା ପର୍ବତାରୋହୀଙ୍କ ମଧ୍ୟରେ ଏହା ମଧ୍ୟ ଶ୍ରେଷ୍ଠ ଟାଇମିଂ ଥିଲା। ସେହିଭଳି ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନରେ ଯାଇଥିବା ୧୫ ଜଣିଆ ଓଡ଼ିଶା ଦଳ ମଧ୍ୟ ରବିବାର ଷ୍ଟକ୍ କାଙ୍ଗ୍ରି ଶିଖର ପହଞ୍ଚିଥିବା ଦାବି କରିଛନ୍ତି। ଏହି ଅଭିଯାନ ଓଡ଼ିଶାର ଅନ୍ୟତମ ଏଭରେଷ୍ଟ ବିଜୟୀ ଗଣେଶ ଜେନାଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା। ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ ୨୦୧୬ରୁ ଟାଟା ଷ୍ଟିଲ୍ର ସହଯୋଗରେ ଓଡ଼ିଶା ସରକାର ୨୦୧୬ ମସିହାରୁ ଆୟୋଜିତ କରି ଆସୁଛନ୍ତି। ଚଳିତ ମାସ ୯ ତାରିଖରେ ଏହାର ଚତୁର୍ଥ ସଂସ୍କରଣକୁ କ୍ରୀଡ଼ା ସଚିବ ବିଶାଲ ଦେବ ପତାକା ହଲାଇ ଶୁଭାରମ୍ଭ କରିଥିଲେ।
୫ ହାଇ ଅଲଟିଟ୍ୟୁଡ୍ ସିକ୍ନେସ୍ର ଶିକାର
ଯୋଗବ୍ୟାସଙ୍କ ନେତୃତ୍ବରେ ଯୁବ ପର୍ବତାରୋହୀ ସଲିମ୍ ଦର୍କା (ସମ୍ବଲପୁର), ରାଜୁ କୁମାର ବେହେରା (ନୂଆପଡ଼ା), ହରିଶ ବଗର୍ତି (କଳାହାଣ୍ଡି), ଧନପତି ବାଗ (କଳାହାଣ୍ଡି) ଓ ଲଳିତ ପୋଢ଼ (ବଳାଙ୍ଗୀର) ଚଳିତ ମାସ ୧୬ ତାରିଖରେ ଲେହ ଲଦାଖରୁ ଷ୍ଟକ୍ କାଙ୍ଗ୍ରି ଅଭିଯାନରେ ବାହାରିଥିଲେ। ୧୮ ତାରିଖରେ ୧୪,୯୯୦ ଫୁଟ ଉଚ୍ଚରେ ଥିବା ବେସ୍କ୍ୟାମ୍ପରେ ପହଞ୍ଚିଥିଲେ ସେମାନେ। ଏହା ପରେ ୧୯ ତାରିଖରେ ଶିଖର ଛୁଇଁବା ଅଭିଯାନ ଆରମ୍ଭ କରିଥିଲେ। ୧୮,୬୯୬ ଫୁଟରେ ପହଞ୍ଚିବା ପରେ ଦୁର୍ଭଗ୍ୟଜନକ ଭାବେ ଅଭିଯାତ୍ରୀ ଦଳର ଦୁଇ ସଦସ୍ୟ ଲଳିତ ପୋଢ଼ ଏବଂ ଧନପତି ବଗର୍ତିଙ୍କ ଦେହ ବହୁତ ଖରାପ ହୋଇ ଯାଇଥିଲା। ଫଳରେ ୩ ଜଣ ଗାଇଡ଼୍ ଏବଂ ଯୋଗବ୍ୟାସ ଓ ସଲିମ ଏମାନଙ୍କୁ ଧରି ବେସ୍କ୍ୟାମ୍ପ ଫେରିବାକୁ ବାଧ୍ୟ ହୋଇଥିଲେ। ସେଠାରେ ଯୋଗବ୍ୟାସ ମଧ୍ୟ ହାଇ ଅଲଟିଟ୍ୟୁଡ୍ ସିକ୍ନେସର ଶିକାର ହୋଇଥିଲେ। ସେପଟେ ହରିଶଙ୍କ ସମର୍ଥନରେ ରାଜୁ କୁମାର ଶିଖର ଛୁଇଁ ଶୁକ୍ରବାର ଅପରାହ୍ନ ୨ଟା ୩୦ରେ ବେସ୍କ୍ୟାମ୍ପ ଫେରି ଆସିଥିଲେ। ଏହା ପରେ ଲେହର ଏସଏନଏମ୍ ଡାକ୍ତରଖାନାରେ ସମସ୍ତଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଠିକ୍ ଥିବା ବେଳେ ଆସନ୍ତା ଦୁଇ ତିନି ଦିନ ଭିତରେ ଦଳ ଓଡ଼ିଶା ଫେରିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ ୬ ଜଣିଆ ଦଳ ନିଜସ୍ବ ଉଦ୍ୟମରେ ପାଖାପାଖି ୩ ଲକ୍ଷ ଟଙ୍କା ଯୋଗାଡ଼ କରି ଷ୍ଟକ୍ କାଙ୍ଗ୍ରି ଅଭିଯାନରେ ଯାଇଥିଲା। ତେବେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ସେମାନଙ୍କ ପାଖରେ ଅର୍ଥାଭାବ ଦେଖା ଦେଇଛି। ସେଥିପାଇଁ ସେମାନେ ଲେହରେ ଏକପ୍ରକାର ଫସି ରହିଛନ୍ତି। ଡାକ୍ତରଖାନା ବିଲ୍ ପୈଠ କରିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯୋଗବ୍ୟାସ ପୂର୍ବରୁ ୨୦୧୦ ଏବଂ ୨୦୧୬ରେ ଷ୍ଟକ୍ କାଙ୍ଗ୍ରି ଶୀର୍ଷରେ ପହଞ୍ଚି ସାରିଛନ୍ତି। ଏଥରର ଅଭିଯାନ କିନ୍ତୁ ପୂର୍ବର ସବୁ ଅଭିଯାନଠାରୁ କଷ୍ଟକର ଥିଲା ବୋଲି ସେ ‘ସମ୍ବାଦ’କୁ କହିଛନ୍ତି। ଏହି ଅଭିଯାନକୁ ନୂଆଦିଲ୍ଲୀସ୍ଥିତ ଭାରତୀୟ ପର୍ବତାରୋହଣ ପ୍ରତିଷ୍ଠାନ ସ୍ବୀକୃତି ପ୍ରଦାନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/dgfhkjfsihpjsiphmslhksfohgk657987684654sgdf.jpg)