ସେମି ପାଇଁ ଆଜି ଲଢ଼ିବେ ଦୁଇ ବିଜେତା

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଚଳିତ ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ ସ୍ଥାନ ପାଇଁ ଗୁରୁବାର ଦୁଇ ବିଜେତା ବେଙ୍ଗାଲୁରୁ ଏଫ୍‌ସି (ଆଇଏସ୍‌ଏଲ୍‌) ଏବଂ ଚେନ୍ନାଇ ସିଟି ଏଫ୍‌ସି (ଆ‌ଇଲିଗ୍‌) ମୁହାଁମୁହିଁ ହେବେ। ସୁପର କପ୍‌ର ଉଦ୍‌ଘାଟନୀ ସଂସ୍କରଣ ବିଜେତା ବେଙ୍ଗାଲୁରୁ ଟ୍ରଫି ବଜ‌ାୟ ରଖିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଆଇଏସ୍‌ଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିବା କାର୍ଲେସ କୁଆଦ୍ରାତଙ୍କ ବେଙ୍ଗାଲୁରୁ ‌ଯେ କୌଣସି ପ୍ରତିପକ୍ଷ ଦଳକୁ ମାତ୍‌ ଦେବାର ଯୋଗ୍ୟତା ରଖିଛି। ଦେଶରେ ଥିବା ସବୁ ଲିଗ୍‌ ଦଳ ମଧ୍ୟରେ ବେଙ୍ଗାଲୁରୁ ଏକ ଶ୍ରେଷ୍ଠ ସନ୍ତୁଳିତ ଦଳ। ସୁନିଲ ଛେତ୍ରୀ ଓ ମିକୁଙ୍କୁ ନେଇ ଦଳର ଅଗ୍ରଭାଗ ମଜବୁତ। ମଧ୍ୟଭାଗ ଓ ରକ୍ଷଣଭାଗ ସମ୍ଭାଳିବା ଲାଗି ଜୁଆନାନ୍‌, ରାହୁଲ ଭେକେ, ଅଲବର୍ଟ ସେରାନ ରହିଛନ୍ତି। ଏସବୁକୁ ଦେଖି‌ଲେ ଗୁରୁବାର ବେଙ୍ଗାଲୁରୁ ପଲ୍ଲା ଭାରି ରହିବା ସମ୍ଭାବନା ରହିଛି। ଆମ ପାଇଁ କାଲି ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ। କାରଣ ଏହା ପରର ଦୁଇଟି ବିଜୟ ହିଁ ବିଜେତା ହେବାର ଗୌରବ ଦେବ। ଏଠାରେ ଆମକୁ ଦର୍ଶକ ସମର୍ଥନ ମିଳୁଥିବାରୁ ଭଲ ପ୍ରଦର୍ଶନ ଦେବ‌ା ଲାଗି ଉତ୍ସା‌ହ ବଢ଼ିବ। ପୂର୍ବରୁ କାନ୍ତିରଭା ଷ୍ଟାଡିୟମରେ ଆମେ ଚେନ୍ନାଇ ସିଟି ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ଖେଳି ବିଜୟୀ ହୋଇଥିଲୁ। ଫଳରେ ଚେନ୍ନାଇର ଖେଳାଳିଙ୍କୁ କିଛି ମାତ୍ରାରେ ପରଖି ନେଇଛୁ ବୋଲି କହିଛନ୍ତି ବେଙ୍ଗାଲୁରୁ ପ୍ରଶିକ୍ଷକ କୁଆଦ୍ରାତ।
ଅନ୍ୟପକ୍ଷରେ ଆଇଲିଗ୍‌ର ବିଜେତା ଦଳ ଚେନ୍ନାଇ ସିଟି ବିଜୟ ଧାରା ଜାରି ରଖି ସୁପର କପ୍‌ର ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ଏଫ୍‌ସି ପୁନେ ସିଟିକୁ ୪-୨ ଗୋଲ୍‌ରେ ହରାଇ କ୍ବାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଥିଲା। ଏହି ମ୍ୟାଚ୍‌ରେ ଅଧିନାୟକ ପେଡ୍ରୋ ଜାଭିୟର ମାଞ୍ଜି ହ୍ୟ‌ାଟ୍ରିକ ହାସଲ କରିଥିଲେ। ମାଞ୍ଜିଙ୍କ ସହ ତାଙ୍କ ସ୍ପେନୀୟ ସାଥୀ ନେଷ୍ଟର ଓ ସ‌ାଣ୍ଡ୍ରୋ ଭଲ ଖେଳୁଛନ୍ତି। ଫଳରେ ଏହି ଦଳ ‌ବେଙ୍ଗାଲୁରୁକୁ ଟକ୍କର ଦେବାକୁ ପୁରା ପ୍ରସ୍ତୁତ ରହିଛି। ଆମେ ପଡ଼ିଆ ଭଲ ନଥିବାରୁ ଦୁଇ ଦିନ ଭଲ ଅଭ୍ୟାସ କରିପାରିନଥିଲୁ। ବୁଧବାର କିଛି ସମୟ ଅଭ୍ୟାସ କରିଛୁ। ଆସନ୍ତାକାଲିର ମ୍ୟାଚ୍‌ ଲାଗି ଆମେ ନକ୍‌ସା ପ୍ରସ୍ତୁତ କରି ସାରିଛୁ ବୋଲି କହିଛନ୍ତି ଚେନ୍ନାଇ ସିଟି ପ୍ରଶିକ୍ଷକ ଆକବର ନଓ୍ବାସ। ଟ୍ରଫି ଜିତିବା ଲାଗି ବେଙ୍ଗାଲରୁ ନିଶ୍ଚିତ ହକ୍‌ଦାର। କାରଣ ଏହା ଦେଶର ଶ୍ରେଷ୍ଠ ଦଳ ଏବଂ ଭଲ ଖେଳାଳି ମଧ୍ୟ ଦଳରେ ରହିଛନ୍ତି। ତଥାଫି ଆମେ ବେଙ୍ଗାଲୁରୁକୁ ହରାଇବା ଲାଗି ସାମର୍ଥ୍ୟ ରଖିଛୁ ବୋଲି କହିଛନ୍ତି ନୱାସ।

ସମ୍ବନ୍ଧିତ ଖବର