ଦିନିକିଆ ଦଳରେ ସାର୍ଦୁଲଙ୍କ ଜାଗା ନେଲେ ଉମେଶ

ନୂଆଦିଲ୍ଲୀ: ଟେଷ୍ଟ ଶୃଙ୍ଖଳାରେ ଦମ୍‌ଦାର ବୋଲିଂ କରିଥିବା ଦ୍ରୁତ ବୋଲର ଉମେଶ ଯାଦବ ଚଳିତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ୨ ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ସୁଯୋଗ ପାଇଛନ୍ତି। ସେ ଆହତ ଦ୍ରୁତ ବୋଲର ସାର୍ଦୁଲ ଠାକୁରଙ୍କ ବଦଳ ଖେଳାଳି ଭାବେ ଦଳରେ ସ୍ଥାନ ପାଇଛନ୍ତି। ସାର୍ଦୁଲ ଦ୍ବିତୀୟ ଟେଷ୍ଟରେ ମାତ୍ର ୧୦ ବଲ୍‌ ବୋଲିଂ କରିବା ପରେ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ। ହେଲେ ଉମେଶ ଯାଦବଙ୍କ ୧୦ ୱିକେଟ୍‌ ଦଖଲ ଭାରତକୁ ହାଇଦ୍ରାବାଦରେ ବିଜୟ ସହ ୨-୦ର ଶୃଙ୍ଖଳା ପୋଛିବାରେ ସହାୟକ ହୋଇଥିଲା। କପିଳ ଦେବ ଓ ଜଭଗଲ୍‌ ଶ୍ରୀନାଥଙ୍କ ପରେ ତୃତୀୟ ଭାରତୀୟ ଦ୍ରୁତ ବୋଲର ଭାବେ ଉମେଶ ମଧ୍ୟ କୌଣସି ଘରୋଇ ଟେଷ୍ଟ୍‌ରେ ୧୦ ୱିକେଟ୍‌ ଅକ୍ତିଆର କରିବାର ସଫଳତା ପାଇଥିଲେ। ଉମେଶ ଯାଦବ ଏବେ ସୁଦ୍ଧା ୭୩ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ୧୦୫ ୱିକେଟ୍‌ ଦଖଲ କରି ସାରିଛନ୍ତି। ଗତ ଜୁଲାଇରେ ଇଂଲଣ୍ଡ୍‌ ବିପକ୍ଷ ଲର୍ଡସ୍‌ରେ ସେ ଶେଷ ଦିନିକିଅା ଖେଳିଥିଲେ।
ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧାୱନ୍‌, ଲୋକେଶ ରାହୁଲ୍‌, ଅମ୍ବାଟି ରାୟୁଡୁ, ମନୀଷ ପାଣ୍ଡେ, ମହେନ୍ଦ୍ର ସିଂହ ଧୋନି (ୱିକେଟ୍‌ରକ୍ଷକ), ଋଷଭ ପନ୍ତ୍‌, ରବୀନ୍ଦ୍ର ଜାଦେଜା, ୟୁଜ୍‌ବେନ୍ଦ୍ର ଚହଲ୍‌, କୁଲ୍‌ଦୀପ ଯାଦବ, ମହମ୍ମଦ ସାମି, ଖଲିଲ ଅହମ୍ମଦ ଏବଂ ଉମେଶ ଯାଦବ।

ସମ୍ବନ୍ଧିତ ଖବର