ଅନନ୍ୟ ଏବି

ଅସାଧାରଣ ଷ୍ଟ୍ରାଇକ୍‌ ରେଟ୍‌

ଜୋହାନେସବର୍ଗ: ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲିୟର୍ସ ବୁଧବାର ଅଚାନକ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କଲେ। ତାଙ୍କ ନିଷ୍ପତ୍ତି ସମଗ୍ର କ୍ରିକେଟ୍‌ ଜଗତକୁ ସ୍ତବ୍ଧ କରିଦେଲା। ଜବରଦସ୍ତ ଫର୍ମରେ ଥିଲା ବେଳେ ଏବି କାହିଁକି ଅପ୍ରତ୍ୟାଶିତ ଭାବେ ଏଭଳି ନିଷ୍ପତ୍ତି ନେଲେ? ସେହି ପ୍ରଶ୍ନ କ୍ରିକେଟ୍‌ ଦୁନିଆକୁ ଆନ୍ଦୋଳିତ କରିଥିଲା। ତେବେ ସମସ୍ତେ ଗୋଟିଏ ସ୍ୱରରେ କହିଥିଲେ ଏବିଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ ଆଉ ମିଳିବା ଅସମ୍ଭବ ନହେଲେ ମଧ୍ୟ କଷ୍ଟକର ନିଶ୍ଚିତ। ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ଦୁର୍ଦ୍ଧଶ ବ୍ୟାଟ୍ସମ୍ୟାନ୍‌ ଭାବେ ପରିଚିତ ଏବିଙ୍କ କେତେକ ଅଭୁଲା ଏବଂ ଅନନ୍ୟ କୀର୍ତ୍ତିମାନ ଉପରେ ଆସନ୍ତୁ ନଜର ପକାଇବା।

୧: ଏବି ଡିଭିଲିୟର୍ସ ହେଉଛନ୍ତି ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଯିଏ ୫୦ରୁ ଅଧିକ ଦିନିକିଆ ପାଳି ଖେଳି ୧୦୦ରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌ କରିଛନ୍ତି। କେବଳ ମହେନ୍ଦ୍ର ସିଂହ ଧୋନି ତାଙ୍କ ନିଟକତର ଅଛନ୍ତି। ଧୋନି ୪୨ ଦିନିକିଆ ପରେ ୫୦ରୁ ଅଧିକ ହାରରେ ରନ୍‌ କରିଥିଲା ବେଳେ ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୦୦ରୁ ଅଧିକ ରହିଛି। ମୋଟ ଉପରେ କିନ୍ତୁ ଧୋନିଙ୍କ ଷ୍ଟ୍ରାଇକ୍‌ ରେଟ୍‌ ହେଉଛି ୮୮.୪।

୩୨୪.୧୫: ଡିଭିଲିୟର୍ସଙ୍କ ଦ୍ରୁତତମ ଦିନିକିଆ ପାଳି (ଅନ୍ୟୁନ ୪୦ ବଲ୍‌) ଏବଂ ମନ୍ଥରତମ ଟେଷ୍ଟ ପାଳି (ଅନ୍ୟୁନ ୧୦୦ ବଲ୍‌) ମଧ୍ୟରେ ଥିବା ପାର୍ଥକ୍ୟ ସବୁ ବ୍ୟାଟ୍ସମ୍ୟାନଙ୍କଠାରୁ ଅଧିକ। େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨୦୧୫ରେ ଖେଳିଥିବା ୪୪ ବଲ୍‌ ୧୪୯ ରନ୍‌ ପାଳିରେ ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ଥିଲା ୩୩୮.୬୩। ସେହିଭଳି ୨୦୧୫ରେ ଭାରତ ବିପକ୍ଷରେ କରିଥିବା ୨୯୭ ବଲ୍‌ ୪୩ ରନ୍‌ ପାଳିରେ ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ଥିଲା ମାତ୍ର ୧୪.୪୮।

୫: ୨୫ ଓଭର ପରେ ବ୍ୟାଟିଂ କରିବାକୁ ଆସି ଡିଭିଲିୟର୍ସ ସର୍ବାଧିକ ୫ ଶତକ ଅର୍ଜନ କରିଛନ୍ତି। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଏଭଳି ସ୍ଥିତିରେ ଦୁଇଟିରୁ ଅଧିକ ଶତକ ଅର୍ଜନ କରି ପାରି ନାହାନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଇଂଲଣ୍ଡର ଜୋସ୍‌ ବଟଲର ୨୫ ଓଭର ପରେ ବ୍ୟାଟିଂ କରିବାକୁ ଆସି ମାତ୍ର ଦୁଇଟି ଲେଖାଏଁ ଶତକ ହାସଲ କରିଛନ୍ତି। ଡିଭିଲିୟର୍ସ ଚତୁର୍ଥ କିମ୍ବା ତା’ଠାରୁ ତଳେ ବ୍ୟାଟିଂ କରି ୨୧ ଶତକ କରିଛନ୍ତି। ନ୍ୟୁଜିଲାଣ୍ଡର ରସ୍‌ ଟେଲର ୧୭ ଶତକ ସହ ଏହି କ୍ରମରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

୩୧: ଦିନିକିଆର ଦ୍ରୁତ ଶତକ ଡିଭିଲିୟର୍ସ ମାତ୍ର ୩୧ ବଲ୍‌ରୁ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଅର୍ଜନ କରିଥିଲେ। ତାଙ୍କ ନାଁରେ ମଧ୍ୟ ଦ୍ରୁତତମ ଅର୍ଧଶତକ (୧୬ ବଲ୍‌) ଓ ଦ୍ରୁତତମ ଦେଢ଼ଶହ (୬୪ ବଲ୍‌)ର କୀର୍ତ୍ତିମାନ ରହିଛି।

୨: କେବଳ ଦୁଇ ଜଣ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଓ ଏବି ଡିଭିଲିୟର୍ସ ଉଭୟ ଟେଷ୍ଟ ଏବଂ ଦିନିକିଆରେ ୫୦ରୁ ଅଧିକ ହାରରେ ୫,୦୦୦ରୁ ଅଧିକ ରନ୍‌ କରିଛନ୍ତି।

୨: କୌଣସି ଟେଷ୍ଟ୍‌ରେ ଓ୍ଵିକେଟ୍‌ ରକ୍ଷକ ଭାବେ ୧୦ ଜଣଙ୍କୁ ଆଉଟ୍‌ କରିବା ସହ ଶତକ ଅର୍ଜନ କରିବାରେ ଏବି ହେଉଛନ୍ତି ବିଶ୍ୱର ଏକମାତ୍ର କ୍ରିକେଟର। ୨୦୧୩ ମସିହାରେ ଜୋହାନେସବର୍ଗଠାରେ ପାକିସ୍ତାନ ବିପକ୍ଷରେ ସେ ଏହି ବିରଳ କୀର୍ତ୍ତିମାନ କରିଥିଲେ।

୫୭.୬୮: ୨୦୦୮ ମସିହାରୁ ଖେଳ ଜୀବନ ଆରମ୍ଭ କରିବା ପରେ ଟେଷ୍ଟ୍‌ କ୍ରିକେଟ୍‌ରେ ଡିଭିଲିୟର୍ସଙ୍କ ବ୍ୟାଟିଂ ହାର ହେଉଛି ୫୭.୬୮। ୫୦୦୦ରୁ ଅଧିକ ରନ୍‌ କରିଥିବା ଖେଳାଳିଙ୍କ ମଧ୍ୟରେ କେବଳ ଷ୍ଟିଭେନ୍‌ ସ୍ମିଥ ଏବଂ କୁମାର ସାଙ୍ଗାକାରାଙ୍କ ରନ୍‌ ହାର ତାଙ୍କଠାରୁ ଅଧିକ।

୨୦୦୧୪: ଅନ୍ତର୍ଜାତୀୟ କ୍ରିକେଟରେ ଡିଭିଲିୟର୍ସ ମୋଟ ୨୦୦୧୪ ରନ୍‌ କରିଛନ୍ତି। ୨୦୦୪ ମସିହାରେ ତାଙ୍କ ପଦାର୍ପଣ ପରଠାରୁ କେବଳ କୁମାର ସାଙ୍ଗାକାରା (୨୧୪୩୭) ତାଙ୍କଠାରୁ ଅଧିକ ରନ୍‌ କରିଛନ୍ତି।

୬୨.୧୧: ୨୫୦୦ରୁ ଅଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଡିଭିଲିୟର୍ସଙ୍କ ଟେଷ୍ଟ ହାର ହେଉଛି ପଞ୍ଚମ ଶ୍ରେଷ୍ଠ। ଅଷ୍ଟ୍ରେଲିଆର ମାଇକେଲ୍‌ କ୍ଲାର୍କ (୬୦.୮୦) ମଧ୍ୟ ତାଙ୍କ ପଛରେ ଅଛନ୍ତି।

୭୧.୧୬: ଗତ ୩୦ ବର୍ଷ ମଧ୍ୟରେ ନିଜ ଶେଷ ଟେଷ୍ଟ ଶୃଙ୍ଖଳାରେ ଅନ୍ୟୁନ ୩୦୦ ରନ୍‌ କରିଥିବା ଖେଳାଳିଙ୍କ ମଧ୍ୟରେ ଡିଭିଲିୟର୍ସଙ୍କ ବ୍ୟାଟିଂ ହାର ହେଉଛି ଦ୍ୱିତୀୟ ସର୍ବଶ୍ରେଷ୍ଠ। କେବଳ ବ୍ରାଏନ ଲାରା ପାକିସ୍ତାନ ବିପକ୍ଷ ନିଜ ଶେଷ ଟେଷ୍ଟରେ ୮୯.୬୦ ହାରରେ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର