ଧୋନିଙ୍କ ନେତୃତ୍ୱର ଦିନିକିଆ ଦ୍ୱିଶତକ

ଦୁବାଇ: ଏସିଆ କପ୍‌ରେ ମଙ୍ଗଳବାର ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଭାରତୀୟ ପ୍ରଶଂସକମାନେ ଚକିତ ହୋଇଯାଇଥିଲେ। ସେମାନଙ୍କ ପ୍ରିୟ ତଥା ଦୁଇ ଥର ବିଶ୍ୱକପ୍‌ (ଟେ୍ଵଣ୍ଟି-୨୦ ଓ ଦିନିକିଆ) ବିଜେତା ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପୁଣି ଥରେ ଦଳର ନେତୃତ୍ୱ ନେବାର ଦେଖିଥିଲେ ପ୍ରଶଂସକ। ଅଧିନାୟକ ପଦ ଛାଡ଼ିବାର ପାଖପାଖି ୨ ବର୍ଷ ପରେ ଧୋନି ଦଳର ନେତୃତ୍ୱ ନେଇଥିଲେ। ଦଳୀୟ ମ୍ୟାନେଜମେଣ୍ଟ୍‌ର ଏଭଳି ଗୁଗ୍‌ଲି ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କୁ ମଧ୍ୟ ଖୁସି କରି ଦେଇଥିଲା। ଆଫଗାନିସ୍ତାନ ବିପକ୍ଷ ଏହି ଗୁରୁତ୍ୱହୀନ ମ୍ୟାଚ୍‌ରେ ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ୫ଟି ପରିବର୍ତନ କରି ଖେଳିବାରୁ ଧୋନିଙ୍କ ପାଇଁ ଏଭଳି ସୁଯୋଗ ଆସିଥିଲା। ସଂଯୋଗ ବଶତଃ ଧୋନିଙ୍କ ଆଉ ଏକ ଅଧୁରା ମାଇଲଖୁଣ୍ଟ ମଧ୍ୟ ପୂର୍ଣ୍ଣ ହୋଇଯାଇଥିଲା।

ଭାରତୀୟ ଦଳର ନେତୃତ୍ୱ ନେବାରେ ଏହା ଥିଲା ଧୋନିଙ୍କ ୨୦୦ତମ ମ୍ୟାଚ୍‌। ଗତବର୍ଷ ଜାନୁଆରିରେ ଧୋନି ସୀମିତ ଓଭର ନେତୃତ୍ୱ ପଦ ଛାଡ଼ିବାବେଳକୁ ୧୯୯ ଦିନିକିଆରେ ଅଧିନାୟକତ୍ୱ କରିଥିଲେ। ସେ ମଧ୍ୟରୁ ୧୧୦ ଜିତିଥିବା ବେଳେ ୭୪ ହାରିଥିଲେ। ଶେଷ ଥର ପାଇଁ ମଧ୍ୟ ତାଙ୍କ ନେତୃତ୍ୱରେ ଭାରତ ୨୦୧୬ ଅକ୍ଟୋବର ୨୯ରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଖେଳି ୧୯୦ ରନ୍‌ରେ ବିଜୟୀ ହୋଇଥିଲା। ଟେ୍ଵଣ୍ଟି-୨୦ରେ ସେ ଭାରତର ୭୨ ମ୍ୟାଚ୍‌ରେ ଅଧିନାୟକ ଥିଲେ। ଯେଉଁଥିରୁ ୪୧ ବିଜୟ ଓ ୨୮ ପରାଜୟ ଦେଇଥିଲେ।
ମଙ୍ଗଳବାର ଏହି ଅବସରରେ ମଧ୍ୟ ଧୋନି ୨୦୦ରୁ ଅଧିକ ଦିନିକିଆରେ ନେତୃତ୍ୱ ନେବାରେ ପ୍ରଥମ ଭାରତୀୟ ଏବଂ ବିଶ୍ୱର ତୃତୀୟ ଖେଳାଳି ହୋଇଥିଲେ। ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଏବଂ ନ୍ୟୁଜିଲାଣ୍ଡ୍‌ର ଷ୍ଟିଫେନ୍‌ ଫ୍ଲେମିଂ ପୂର୍ବରୁ ଏଭଳି କୃତିତ୍ୱର ଅଧିକାରୀ ଅଛନ୍ତି। ‘ମୁଁ ପୂର୍ବରୁ ୧୯୯ ଦିନିକିଆରେ ନେତୃତ୍ୱ ନେଇଥିବାରୁ ଏହାକୁ ୨୦୦ରେ ପହଞ୍ଚାଇବାର ସୁଯୋଗ ପାଇଛି। ଏହା ଏକ ଲକ୍ଷ୍ୟ ଯେଉଁଥିରେ ମୁଁ ବିଶ୍ୱାସ ରଖିଥିଲି। କିନ୍ତୁ ମୋ ନିୟନ୍ତ୍ରଣରେ ନ ଥିଲା। ଅଧିନାୟକତ୍ୱ ଛାଡ଼ିବା ପରେ ୨୦୦ ପୂର୍ଣ୍ଣ କରିବା ଭଲ କଥା। କିନ୍ତୁ ଏହା କିଛି ନୁହେଁ’ ବୋଲି ଧୋନି କହିଛନ୍ତି।
ଏହା ପୂର୍ବରୁ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଧୋନି ମଧ୍ୟ ଆଉ ଏକ କୀର୍ତିମାନ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ମ୍ୟାଚ୍‌ ଖେଳିବା ତାଲିକାରେ ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିଲେ। ସମସ୍ତ ଫର୍ମାଟକୁ ମିଶାଇ ଧୋନିଙ୍କର ଏହା ଥିଲା ୫୦୫ତମ ମ୍ୟାଚ୍‌। ୩୭ ବର୍ଷୀୟ ଧୋନି ରାହୁଲ ଦ୍ରାବିଡ଼ (୫୦୪)ଙ୍କୁ ଅତିକ୍ରମ କରିଥିଲେ। ତେନ୍ଦୁଲକର ମୋଟ ୬୬୪ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି ଯାହାକି ସର୍ବକାଳୀନ ଶୀର୍ଷରେ ରହିବା ସମ୍ଭାବନା ଯଥେଷ୍ଟ ଅଧିକ। ଧୋନି ୯୦ ମ୍ୟାଚ୍‌ ଖେଳିବା ପରେ ୨୦୧୪ରେ ଟେଷ୍ଟ୍‍ କ୍ରିକେଟରୁ ଅବସର ନେଇଯାଇଥିଲେ।

ସମ୍ବନ୍ଧିତ ଖବର