ୟୁନିଲାଇଟ୍‌ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌ ଆରମ୍ଭ: ମଦର ପବ୍ଲିକ୍‌ ଓ ୟୁନିଟ୍‌-୮ ଡିଏଭି ବିଜୟୀ

ଭୁବନେଶ୍ୱର: ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଶନିବାରଠୁ ଆରମ୍ଭ ହୋଇଛି ୟୁନିଲାଇଟ୍‌ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌ ପ୍ରତିଯୋଗିତା। ଏହି ୨୯ତମ ସଂସ୍କରଣର ପ୍ରଥମ ଦିବସରେ ମଦର ପବ୍ଲିକ୍‌ ସ୍କୁଲ୍‌ ଏବଂ ୟୁନିଟ୍‌-୮ ଡିଏଭି ସ୍କୁଲ୍‌ ବିଜୟୀ ହୋଇଛନ୍ତି। ମଦର ପବ୍ଲିକ୍‌ ସ୍କୁଲ୍‌ ୧-୦ ଗୋଲ୍‌ରେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ୍‌କୁ ପରାସ୍ତ କରିଥିଲା। ମ୍ୟାଚ୍‌ର ଏକମାତ୍ର ଗୋଲ୍‌ ବିଜୟୀ ଦଳ ପକ୍ଷରୁ ଶୁଭାଶିଷ ଚୌଧୁରୀ ୧୯ ମିନିଟ୍‌ରେ ଦେଇଥିଲେ। ତେବେ ଏହି ଦଳର ସେକ୍‌ ଓ୍ଵାସିଫ୍‌ ଅଲ୍ଲୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅନ୍ୟପକ୍ଷରେ ୟୁନିଟ୍‌-୮ ଡିଏଭି ସ୍କୁଲ୍‌ ୨-୦ ଗୋଲ୍‌ରେ ପ୍ୟୁଚର ସ୍କୁଲ୍‌କୁ ପରାସ୍ତ କରିଥିଲା। ଶୁଭମ୍‌ ସମୀର ଓ ସାଗର ବାରିକ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଶୁଭମ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଉଦ୍‌ଘାଟନୀ ଉତ୍ସବରେ ଅନୁଗୁଳ-ସୁକିନ୍ଦା ରେଳବାଇ ପ୍ରକଳ୍ପର ପରିଚାଳନା ନିର୍ଦେଶକ ଦିଲୀପ କୁମାର ସାମନ୍ତରାୟ, ତପନ କୁମାର ମହାନ୍ତି, ଅକ୍ଷୟ କୁମାର ଦାସ, ବାବି ମିଶ୍ର, ନରେନ୍ଦ୍ର ସେଠୀ, ପ୍ରଣବ କିଶୋର ସ୍ୱାଇଁ, ଅମୀୟକାନ୍ତ ମିଶ୍ର, ପ୍ରଫୁଲ୍ଲ ମିଶ୍ର, ଦିଲୀପ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ମଧ୍ୟାନ୍ତରରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଅଜିତ୍‌ ଓ୍ଵାଦେକରଙ୍କ ବିୟୋଗରେ ୧ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା। ଆସନ୍ତାକାଲି କେନ୍ଦ୍ରୀୟ ବିଦ୍ୟାଳୟ-୨ ଓ ଅରବିନ୍ଦ ସ୍କୁଲ୍‌ (ଗଣ୍ଡରପୁର) ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର