ବିଦ୍ୟାଳୟ କ୍ରିକେଟ୍‌କୁ ବଞ୍ଚାଇ ରଖିଛି ୟୁନିଅନ୍‌ ସ୍ପୋର୍ଟିଂ

କଟକ: ବିଦ୍ୟାଳୟସ୍ତରୀୟ କ୍ରିକେଟ୍‌ ଏବେ ବିଭିନ୍ନ ସ୍ଥାନରେ ପ୍ରାୟତଃ ବନ୍ଦ ହେବା ଅବସ୍ଥାରେ। ତୃଣମୂଳସ୍ତରରୁ ଖେଳାଳି ଚିହ୍ନଟ କରିବା ଓ ସେମାନଙ୍କୁ ସଠିକ୍‌ ବାଟରେ ତାଲିମ ଦେବା ଦାୟିତ୍ୱ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ)ର ହୋଇଥିଲେ ବି ଏବେ ଏହି ସଂଘ ନିଜର ମୂଳ ଦାୟିତ୍ୱଠୁ ଦୂରେଇ ଗଲାଣି। ଏପରିସ୍ଥିତିରେ ବିଦ୍ୟାଳୟସ୍ତରୀୟ କ୍ରିକେଟ୍‌କୁ ବଞ୍ଚାଇ ରଖିଛି କଟକର ‘ୟୁନିଅନ୍‌ ସ୍ପୋର୍ଟିଂ କ୍ଲବ୍‌’। ପ୍ରତ୍ୟେକ ବର୍ଷ ବାର୍ଷିକ ପରୀକ୍ଷା ଶେଷ ହେବା ପରେ ଏପ୍ରିଲ ମାସରେ ଏହି କ୍ଲବ୍‌ ପକ୍ଷରୁ ପୂର୍ବତନ କ୍ରିକେଟର୍‌ ପିଭିଆର୍‌ ମୂର୍ତ୍ତିଙ୍କ ନାମରେ ଅନ୍ତଃ ବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜନ ହେଉଛି। କଟକ ଓ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟକୁ ନେଇ ଏହି ପ୍ରତିଯୋଗିତା ଆୟୋଜନ ହେଉଥିବା ବେଳେ ଫାଇନାଲ୍‌ରେ ଜଣେ ଆନ୍ତର୍ଜାତିକ କ୍ରିକେଟର୍‌ଙ୍କୁ ଅତିଥିଭାବେ ଆମନ୍ତ୍ରଣ କରିବା ଏହି କ୍ଲବ୍‌ର ସ୍ୱତନ୍ତ୍ରତା ରହିଆସିଛି। ବୋସ୍‌ ବୈଷୟିକ ବିଦ୍ୟାଳୟ ପରିସରରେ ଗଢି ଉଠିଥିବା ଏହି କ୍ଲବ୍‌ରେ ୨୦୦୪ ମସିହାରୁ ବିଦ୍ୟାଳୟସ୍ତରୀୟ କ୍ରିକେଟ୍‌ ଖେଳାଯାଉଛି। ପୂର୍ବରୁ ଏହି ପ୍ରତିଯୋଗିତାରୁ ଖେଳାଳିମାନଙ୍କୁ ଚୟନ କରାଯାଇ ଅନ୍ୟ ରାଜ୍ୟରେ ହେଉଥିବା ବିଦ୍ୟାଳୟସ୍ତରୀୟ କ୍ରିକେଟ୍‌ରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯାଉଥିଲା। ସେହିପରି ଏମ୍‌ଆର୍‌ଏଫ୍‌ ଏକାଡେମି, ଦିଲ୍ଲୀର ଗ୍ରୀଷ୍ମକାଳୀନ କ୍ରିକେଟ୍‌ ଶିବିର ଇତ୍ୟାଦିରେ ଏଠାକାର ମନୋନୀତ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ନେବାକୁ ସୁଯୋଗ ଦିଆଯାଉଥିଲା। ଏହାବ୍ୟତୀତ ପ୍ରତ୍ୟେକ ବର୍ଷ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳିଙ୍କୁ ବାଇକ୍‌ ଉପହାର ମଧ୍ୟ ଦିଆଯାଉଥିବା ଏହାର ଅନ୍ୟତମ ଆକର୍ଷଣ। ବିଦ୍ୟାଳୟସ୍ତରୀୟ କ୍ରିକେଟ୍‌କୁ ଆୟୋଜନ ପାଇଁ ଏଠାରେ ଜାତୀୟମାନର ଟର୍ଫ ପିଚ୍‌ ଓ ପଡ଼ିଆ ପ୍ରସ୍ତୁତ କରାଯାଉଛି। ଯାହାକି ଓଡ଼ିଶାରେ ଅନ୍ୟକେଉଁଠି ଦେଖିବାକୁ ପ୍ରାୟତଃ ମିଳୁନଥିବା କୁହାଯାଉଛି। ଯଦିଓ ରାଜ୍ୟର ଅନ୍ୟାନ୍ୟ କ୍ଲବ୍‌ ମାନଙ୍କରେ ୧୫ ବର୍ଷରୁ କମ୍‌ ବୟସ ବର୍ଗରେ ଅନ୍ତଃ କ୍ଲବ୍‌ ପ୍ରତିଯୋଗିତା ଆୟୋଜନ କରାଯାଉଛି, କିନ୍ତୁ ଜାତୀୟ ମାନର ଭିତ୍ତିଭୂମି ସହିତ ବିଦ୍ୟାଳୟସ୍ତରରେ ପ୍ରତିଦ୍ୱନ୍ଦିତାମୂଳକ ପ୍ରତିଯୋଗିତା ଆୟୋଜନ କରିବାରେ ଏହା ଏକମାତ୍ର କ୍ଲବ୍‌ ବୋଲି ଅନେକ ପୂର୍ବତନ କ୍ରିକେଟର୍‌ ଦାବି କରୁଛନ୍ତି।

ଏହି କ୍ଲବ୍‌ରୁ ଅଭ୍ୟାସ କରି ମନୋଜ ଭଟ୍ଟ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଶ୍ୱଜିତ ମହାନ୍ତି, ରାଜେଶ ସିଂହ, ପବନ ଅଗ୍ରଓ୍ଵାଲ, ଅଜୟ ବାରିକ, ବିପିନ ସିଂହ, କୁଳମଣି ପରିଡ଼ା, ଶ୍ରୀକାନ୍ତ ଜେନା, ସୁଖବିନ୍ଦର ସିଂହ, ବିଶ୍ୱଜିତ ନାଗ, ସଂଜୀବ ବାରିକ, ନିରଂଜନ ବେହେରା, ସନ୍ତୋଷ ଜେନା, ଦେବଦତ୍ତ ଲେଙ୍କା, କାମେଶ୍ୱର ବାରିକ, ମହମ୍ମଦ ଆକ୍ରମ, ସର୍ବେଶ୍ୱର ମହାନ୍ତି, ଅନୁରୋଗ କାନୋଜିଆ, ସୌରଭ କାନୋଜିଆଙ୍କ ପରି ଆହୁରି ଅନେକ ଖେଳାଳି ବିଭିନ୍ନ ବୟସ ବର୍ଗର ରାଜ୍ୟ ପ୍ରତିଯୋଗିତା, ରଣଜୀ ଟ୍ରଫି ଓ ଭାରତ-ଏ’ ଦଳରେ ଖେଳିସାରିଛନ୍ତି। କେବଳ ଖେଳାଳି ନୁହେଁ ନିଶାନ୍ତ ମାଜିଠିଆ, ଶ୍ରୀସେନ୍ଦୁ ରଏ, ଚିରଞ୍ଜିବୀ ପତିଙ୍କ ପରି ଆନ୍ତର୍ଜାତିକସ୍ତରର ଭାଷ୍ୟକାର ମଧ୍ୟ ଏହିଠାରୁ ସୃଷ୍ଟି ହୋଇଛନ୍ତି। ପ୍ରତ୍ୟେକ ଖେଳାଳି ଓ ନବାଗତଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗକୁ ଅନେକ ଆନ୍ତର୍ଜାତିକ କ୍ରିକେଟର୍‌ ପ୍ରଶଂସା ମଧ୍ୟ କରିଛନ୍ତି। ଗତ କିଛିଦିନ ତଳେ ଶେଷ ହୋଇଥିବା ଅନ୍ତଃ ବିଦ୍ୟାଳୟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କ୍ରିକେଟର୍‌ କିରଣ ମୋରେ ଯୋଗଦେଇଥିବା ଅବସରରେ ଏଠାକାର ପଡ଼ିଆ, ପିଚ୍‌ ଓ ଖେଳାଳିଙ୍କ ଦକ୍ଷତାକୁ ପ୍ରଶଂସା କରିଥିଲେ। ଏବେଠାରୁ ବିଦ୍ୟାଳୟସ୍ତରୀୟ ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତାମୂଳକ ମନୋଭାବ ସେମାନଙ୍କୁ ଭବିଷ୍ୟତରେ ବଡ଼ କ୍ରିକେଟର ଭାବେ ଗଢିପାରିବ। ଏହିସ୍ତରରୁ ଖେଳାଳିମାନେ ଆଗକୁ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ ବୋଲି କିରଣ ମୋରେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ।

ଖେଳାଳିଙ୍କ ଶୃଙ୍ଖଳା ଓ ପରିଶ୍ରମ ଉପରେ ଗୁରୁତ୍ୱ ଦିଅଯାଉଛି: ପ୍ରଦୀପ ଚୌହାନ
କେବଳ ବିଦ୍ୟାଳୟ କ୍ରିକେଟ ନୁହେଁ ଏଠାରେ ପ୍ରଶିକ୍ଷଣ ପାଇ ରାଜ୍ୟର ବିଭିନ୍ନ ଦଳରେ ୟୁନିଅନ୍‌ ସ୍ପୋର୍ଟିଂ କ୍ଲବ୍‌ର ଖେଳାଳିମାନେ ସ୍ଥାନ ପାଇଛନ୍ତି। ଖେଳାଳିମାନଙ୍କୁ ପ୍ରଶିକ୍ଷଣ ବେଳେ ଜାତୀୟସ୍ତରର ପ୍ରଶିକ୍ଷଣ ଉପକରଣ ଯୋଗାଇ ଦିଆଯାଉଛି। କଟକରେ ପ୍ରଥମ ଥର ପାଇଁ ୟୁନିଅନ୍‌ ସ୍ପୋର୍ଟିଂ କ୍ଲବ୍‌ରେ ବୋଲିଂ ମେସିନ୍‌ ପ୍ରଚଳନ ଆରମ୍ଭ ହୋଇଥିଲା। ଏଠାରେ ପ୍ରଶିକ୍ଷଣ ନେଉଥିବା କୌଣସି ଖେଳାଳିଙ୍କଠୁ ଟଙ୍କାଟିଏ ବି ଆଦାୟ କରାଯାଉନଥିବା ବେଳେ ଉତ୍କଷ୍ଠମାନର ଭିତ୍ତିଭୂମି ଯୋଗାଇ ଦିଆଯାଉଛି। ଏଥିସହିତ କ୍ଲବ୍‌ର ପୁରାତନ ଖେଳାଳିମାନେ ନବାଗତଙ୍କୁ ପ୍ରଶିକ୍ଷଣ ଦେଇଆସୁଛନ୍ତି। ଆଗ୍ରହୀ ଖେଳାଳିମାନଙ୍କ ଦକ୍ଷତାକୁ ଅଧିକ ମାର୍ଜିତ କରିବା ଦିଗରେ କ୍ଲବ୍‌ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଥାଏ। କ୍ରିକେଟ ସହିତ ଶୃଙ୍ଖଳିତ ହେବା ଓ କଠିନ ପରିଶ୍ରମ କରିବା ପାଇଁ ସବୁବେଳେ ଖେଳାଳିମାନଙ୍କୁ ବୁଝାଯାଇଥାଏ ବୋଲି କ୍ଲବ୍‌ର ସମ୍ପାଦକ ପ୍ରଦୀପ ଚୌହାନ କହିଛନ୍ତି।

ସମ୍ବନ୍ଧିତ ଖବର