ୟୁଏସ୍‌ ଓପନ୍‌ ଜିତିଲେ ଜୋକୋଭିକ୍‌

ନ୍ୟୁୟର୍କ: ଯାହା ଆଶା କରାଯାଉଥିଲା ତାହା ହିଁ ଘଟିଲା। ରାଫେଲ ନାଦାଲ ଓ କେଇ ନିଶିକୋରି ସେମିଫାଇନାଲ୍‌ରୁ ବିଦାୟ ନେବା ପରେ ସର୍ବିଆ ତାରକା ନୋଭାକ୍‌ ଜୋକୋଭିକ୍‌ ଏଥର ୟୁଏସ୍‌ ଓପନ୍‌ ପୁରୁଷ ଏକକ ଟ୍ରଫି ଜିତିବାର ସମ୍ଭାବନା ଅଧିକ ରହିଥିଲା। କାରଣ ତାଙ୍କର ଫାଇନାଲ୍‌ ପ୍ରତିଦ୍ୱନ୍ଦ୍ୱୀ ଆର୍ଜେଣ୍ଟିନାର ଜୁଆନ୍‌ ମାର୍ଟିନ୍‌ ଡେଲ୍‌ ପୋଟ୍ରୋଙ୍କୁ ସେ ୧୮ ଥର ମୁହାଁମୁହିଁରେ ୧୪ ଥର ପରାସ୍ତ କରିଥିଲେ। ଏପରିକି ପୂର୍ବରୁ ୟୁଏସ୍‌ ଓପନ୍‌ରେ ଜୋକୋଭିକ୍‌ଙ୍କ ନିକଟରୁ ଡେଲ୍‌ ପୋଟ୍ରୋ ଦୁଇ ଥର ପରାସ୍ତ ହୋଇଥିଲେ। ୨୦୦୭ ଓ ୨୦୧୨ରେ ଏହି ଦୁଇଟି ବିଜୟ ଜୋକୋଭିକ୍‌ କୌଣସି ସେଟ୍‌ ନହାରି ପାଇଥିଲେ। ସେହି ଦୃଷ୍ଟିରୁ ଚଳିତ ବର୍ଷ ୟୁଏସ୍‌ ଓପନ୍‌ରେ ଜୋକୋଭିକ୍‌ଙ୍କ ପଲା ଭାରି ରହିଥିଲା। ଏହି ସମ୍ଭାବନାକୁ ବାସ୍ତବ ରୂପ ଦେଇ ଜୋକୋଭିକ୍‌ ମଧ୍ୟ ବିଜୟ ବାନା ଉଡ଼ାଇଲେ।

ରବିବାର ଫାଇନାଲ୍‌ରେ ଷଷ୍ଠ ମାନ୍ୟତା ଜୋକୋଭିକ୍‌ ସିଧାସଳଖ ୬-୩, ୭-୬ ଓ ୬-୩ ସେଟ୍‌ରେ ତୃତୀୟ ମାନ୍ୟତା ଡେଲ୍‌ ପୋଟ୍ରୋଙ୍କୁ ପରାସ୍ତ କରି ଦୁଇ ବର୍ଷ ପରେ ପୁଣି ଥରେ ୟୁଏସ୍‌ ଓପନ୍‌ ମୁକୁଟ ପିନ୍ଧିଥିଲେ। ୮ ଥର ଏଠାରେ ଫାଇନାଲ୍‌ ଖେଳି ୨୦୧୧ ଓ ୨୦୧୫ରେ ବିଜେତା ହୋଇଥିବା ଜୋକୋଭିକ୍‌ ଏଥି ସହିତ ତୃତୀୟ ଥର ପାଇଁ ୟୁଏସ୍‌ ଓପନ୍‌ ଟ୍ରଫି ଜିତିନେଲେ। ଏହା ଜୋକୋଭିକ୍‌ଙ୍କ ପାଇଁ ତାଙ୍କ ଟେନିସ୍‌ ଜୀବନର ମୋଟ ୧୪ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ହୋଇଛି। ଆଉ ୧୪ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଜିତି ସର୍ବିଆ ତାରକା ମଧ୍ୟ ଆମେରିକାର ପିଟ୍‌ ସାମ୍ପ୍ରାସ୍‌ଙ୍କ କୀର୍ତିମାନର ସମକକ୍ଷ ହୋଇଛନ୍ତି। ଫଳରେ ଜୋକୋଭିକ୍‌ ଏବେ ସର୍ବାଧିକ ଗ୍ରାଣ୍ଡ୍‌ ସ୍ଲାମ୍‌ ଜିତିବାରେ ସର୍ବକାଳୀନ ପୁରୁଷ ତାଲିକାର ତୃତୀୟ ସ୍ଥାନରେ ରହିଲେ। ଆଉ ସବୁଠୁ ସଂଯୋଗର କଥା ହେଲା, ଯେଉଁ କୋର୍ଟରେ ସାମ୍ପ୍ରସ୍‌ ଖେଳି ଚତୁର୍ଦଶ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଜିତିଥିଲେ ସେହି କୋର୍ଟରେ ରବିବାର ଜୋକୋଭିକ୍‌ ଖେଳି ସେହି କୀର୍ତିମାନର ସମକକ୍ଷ ହେଲେ। ଜୋକୋଭିକ୍‌ ମଧ୍ୟ ଚଳିତ ବର୍ଷ ଲଗାତାର ଦୁଇଟି ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି କରାୟତ କଲେ। ଏହା ପୂର୍ବରୁ ସେ ଓ୍ଵିମ୍ବିଲଡନ୍‌ ଟ୍ରଫି ମଧ୍ୟ ହାସଲ କରିଥିଲେ। ଅନ୍ୟପକ୍ଷରେ ୨୦୦୯ରେ ପ୍ରଥମ ତଥା ଏକମାତ୍ର ଥର ପାଇଁ ଏଠାରେ ବିଜେତା ହୋଇଥିବା ଡେଲ୍‌ ପୋଟ୍ରୋ ୯ ବର୍ଷ ପରେ ପ୍ରଥମ ଥର ଲାଗି ଆର୍ଥର ଆସେସ୍‌ ଷ୍ଟାଡିୟମ୍‌ରେ ଫାଇନାଲ୍‌ ଖେଳିବା ସୁଯୋଗ ପାଇଥିଲେ ମଧ୍ୟ ଉପବିଜେତାରେ ସନ୍ତୁଷ୍ଟ ରହିଲେ।

ସମ୍ବନ୍ଧିତ ଖବର