ଉତ୍କଳ କରାଟେ ସ୍କୁଲ ଅବସ୍ଥା ଦୟନୀୟ

ଭୁବନେଶ୍ବର: ବିବିଧ ଖେଳର ଉତ୍କର୍ଷ କେନ୍ଦ୍ର ଭାବେ ପ୍ରତିଷ୍ଠା ଲାଭ କରିଥିବା ଉତ୍କଳ କରାଟେ ସ୍କୁଲ୍‌କୁ ଶକ୍ତ ଝଟକା ଲାଗିଛି। ସାମୁଦ୍ରିକ ଝଡ଼ ଫନିର ପ୍ରଭାବରେ ଏହା ଅବର୍ଣ୍ଣନୀୟ କ୍ଷୟକ୍ଷତିର ସମ୍ମୁଖୀନ ‌ହୋଇଛି। ଫଳରେ ଖେଳାଳିଙ୍କ ନିୟମିତ ଅଭ୍ୟାସ ବାଧାପ୍ରାପ୍ତ ହେବା ସହିତ ଏହି ଅଗ୍ରଣୀ ରାଜଧାନୀ କ୍ରୀଡ଼ା ଭିତ୍ତିଭୂମିର ଅବସ୍ଥା ଦୟନୀୟ ସ୍ଥିତିକୁ ଚାଲିଆସିଛି। ଫନି ରାଜ୍ୟର ଏହି ସର୍ବପୁରାତନ ସାମରିକ କ୍ରୀଡ଼ା ତଥା ଶକ୍ତିଭିତ୍ତିକ କ୍ରୀଡ଼ା କେନ୍ଦ୍ରର ମେରୁଦଣ୍ଡକୁ ମୋଡି ଦେଇଛି। ବିଗତ କିଛି ବର୍ଷ ମଧ୍ୟରେ ଏହି କ୍ରୀଡ଼ା ସ୍କୁଲ୍‌ ଭିତ୍ତିଭୂମିରେ ଉଲ୍ଲେଖନୀୟ ବିକାଶ ଘଟିଥିଲେ ମଧ୍ୟ ଏବେ ଏହା ପ୍ରାୟ ୫ ବର୍ଷ ତଳକୁ ଚାଲିଯାଇଛି ବୋଲି ବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ହରି ପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ତିନି ମହିଲା ବିଶିଷ୍ଟ ଏହି କ୍ରୀଡ଼ା କେନ୍ଦ୍ରର ଉପର ମହଲା ଝରକା ଭାଙ୍ଗିରୁଜି ପଡ଼ିଛି। ବର୍ଷା ପାଣି ପଶିବା ଫଳରେ ଇଲେକ୍ଟ୍ରୋନିକ୍ସ ସୁଟିଂ ରେଞ୍ଜ୍‌, ଡର୍ମିଟୋରି, ଏମଏମଏ ଗୃହ, ଅତିଥି ଗୃହ ସବୁକୁ ଓପାଡ଼ି ଦେଇଛି। ଟିଣ ଉଡ଼ିଯାଇଥିବାରୁ ସିଲିଂ, କାଚ, ପାଣି ପଶି ଦାମୀ ସୁଟିଂ ରେଞ୍ଜ୍ ମେସିନ୍‌, କମ୍ପ୍ୟୁଟର ସହିତ ଅଗଷ୍ଟିକ୍ (ଶବ୍ଦରହିତ) ପ୍ୟାନେଲକୁ ନଷ୍ଟଭ୍ରଷ୍ଟ କରିଦେଇଛି। ଏୟାରକଣ୍ଡିସନ୍ ଆଉଟର୍‌କୁ ଉଡ଼ାଇ ନେଇଛି। କବାଡ଼ ଝରକା ଭାଙ୍ଗିଯିବାରୁ ପାଣି ପଶି ବହୁ କ୍ରୀଡ଼ା ଉପକରଣକୁ ମଧ୍ୟ ନଷ୍ଟ କରି ଦେଇଛି। ବିଦ୍ୟୁତ, ପାଣି, ସିସିଟିଭି କ୍ୟାମେରା, ସିଲିଂ, କାନ୍ଥ ପ୍ରଭୃତି ନିଷ୍ଟ ହୋଇଯାଇଛି।

ଏହି କାରଣରୁ କେବଳ ଅଭ୍ୟାସ ନୁହେଁ ମେ’ ପ୍ରଥମ ସପ୍ତାହରେ ରେଳବାଇ ଇନ୍‌ଡୋର ଷ୍ଟାଡିୟମ୍‌ରେ ହେବାକୁ ଥିବା ବାର୍ଷିକ ସର୍ବଭାରତୀୟ କରାଟେ ପ୍ରତିଯୋଗିତାକୁ ମଧ୍ୟ ବାତିଲ କରିବାକୁ ପଡ଼ିଛି। ଜୁନ୍ ମାସ ପ୍ରଥମ ସପ୍ତାହରେ ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟ ବରିଷ୍ଠ, ଉପକନିଷ୍ଠ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ପଠାଇବା ଏକ ଆହ୍ବାନ ଆଣି ଦେଇଛି ବୋଲି ଶ୍ରୀ ପଟ୍ଟନାୟକ ଦୁଃଖର ସହ ପ୍ରକାଶ କରିଛନ୍ତି। ମୋଟ ୧୫ ଲକ୍ଷ ଟଙ୍କାର କ୍ଷୟକ୍ଷତି ଘଟିଥିବା ଆକଳନ କରାଯାଇଛି।

ସୂଚନାଯୋଗ୍ୟ, ୧୯୮୧ ମସିହାରେ ପ୍ରତିଷ୍ଠିତ ଏହି ଉତ୍ସର୍ଗିକୃତ କ୍ରୀଡ଼‌ା ଅନୁଷ୍ଠାନ ପାଖାପାଖି ଡଜନେ କ୍ରୀଡ଼ାର ପ୍ରାଣକେନ୍ଦ୍ର ପାଲଟିଥିଲା। ସଦସ୍ୟମାନଙ୍କ ନିଷ୍ଠାପର ପ୍ରଚେଷ୍ଟା କାରଣରୁ ଏହା ଦେଶର ସର୍ବବୃହତ ସାମରିକ କ୍ରୀଡ଼ାକେନ୍ଦ୍ର ଭାବେ ଜାତୀୟ ଏବଂ ଅନ୍ତର୍ଜାତୀୟ ସମ୍ମାନ ଲାଭ କରିଛି। ଶତାଧିକ ଅନ୍ତର୍ଜାତୀୟ ଖେଳାଳିଙ୍କ ଖେଳ ଜୀବନ ଏହି ଏନ୍ତୁଡିଶାଳରୁ ଗଢ଼ି ଉଠିଛି। କରାଟେ, ଶକ୍ତିଉତ୍ତୋଳନ, ଭାରୋତ୍ତୋଳନ, ଟାଏକୋଣ୍ଡୋ, ବାହୁକୁସ୍ତି, ସୁନ୍ଦରସ୍ବାସ୍ଥ୍ୟ, ଟାଏକୋଣ୍ଡୋ, ବଂଧୁକଚାଳନା, ଏମଏମଏ, ମୁଷ୍ଟିଯୁଦ୍ଧର ଅତ୍ୟାଧୁନିକ ବ୍ୟବସ୍ଥା ଏବଂ ଜିମ୍ନାସିୟମ ଉପଲବଧ ଏହି କ୍ରୀଡ଼ା କେନ୍ଦ୍ର କିନ୍ତୁ ପ୍ରଥମ ଥର ବଡ଼ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି।

ସମ୍ବନ୍ଧିତ ଖବର