ମେଲ୍ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍ ଓପନ୍ର ମହିଳା ଏକକରୁ ଭେନସ୍ ୱିଲିୟମ୍ସଙ୍କ ଅଭିଯାନ ଶେଷ ହୋଇଯାଇଛି। ଏକାଧିକ ଗ୍ରାଣ୍ଡ୍ସ୍ଲାମ୍ ବିଜୟିନୀ ଏହି ଆମେରିକୀୟ ମହିଳା ଶନିବାର ତୃତୀୟ ରାଉଣ୍ଡ୍ ହାରି ବିଦାୟ ନେଇଛନ୍ତି। ତାଙ୍କୁ ସିଧାସଳଖ ୬-୨ ଓ ୬-୩ ସେଟ୍ରେ ପରାସ୍ତ କରି ଶୀର୍ଷ ମାନ୍ୟତା ସିମୋନା ହାଲେନ୍ ପ୍ରିକ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିନେଇଛନ୍ତି। ତେବେ ଫ୍ରେଞ୍ଚ୍ ଓପନ୍ ବିଜୟିନୀ ୨୭ ବର୍ଷ ବୟସ୍କା ଏହି ରୋମାନିଆ ଖେଳାଳିଙ୍କ ପାଇଁ ମେଲ୍ବର୍ନ ପାର୍କରେ ଆଗକୁ କଡ଼ା ଆହ୍ବାନ ଅପେକ୍ଷା କରିଛି। କାରଣ ହାଲେପ୍ ପ୍ରିକ୍ବାର୍ଟର ଫାଇନାଲ୍ରେ ଭେନସ୍ଙ୍କ ସାନ ଭଉଣୀ ତଥା ୭ ଥର ଏଠାରେ ଟ୍ରଫି ଜିତି ସାରିଥିବା ସେରେନା ୱିଲିୟମ୍ସଙ୍କୁ ଭେଟିବେ। ମେଲ୍ବର୍ନ ପାର୍କରେ ଅଷ୍ଟମ ଥର ମହିଳା ଏକକ ଟ୍ରଫି ଜିତିବା ଲକ୍ଷ୍ୟରେ ଥିବା ୩୭ ବର୍ଷ ବୟସ୍କା ସେରେନା ଶନିବାର ଏକ ତୃତୀୟ ରାଉଣ୍ଡ୍ ମ୍ୟାଚ୍ରେ ୟୁକ୍ରେନ୍ର ଯୁବା ଖେଳାଳି ଦୟାନା ୟାଷ୍ଟ୍ରେମ୍ସାଙ୍କୁ ୬-୨ ଓ ୬-୧ ସେଟ୍ରେ ପରାସ୍ତ କରିଦେଇଛନ୍ତି। ମହିଳା ଏକକ ତୃ୍ତୀୟ ରାଉଣ୍ଡ୍ର ଅନ୍ୟ ଏକ ମ୍ୟାଚ୍ରେ ୟୁଏସ୍ ଓପନ୍ ବିଜୟିନୀ ନାଓମି ଓସାକା ମଧ୍ୟ ବିଜୟୀ ହୋଇ ପ୍ରି-କ୍ବାର୍ଟର ଫାଇନାଲ୍ ପ୍ରବେଶ କରିଛନ୍ତି। ଏହି ଚତୁର୍ଥ ମାନ୍ୟତା ଜାପାନୀ ଲଳନା ୫-୭, ୬-୪ ଓ ୬-୧ ସେଟ୍ରେ ତାଇୱାନ୍ର ସି ସୁ ୱି’ଙ୍କୁ ପରାସ୍ତ କରିଦେଇଛନ୍ତି। କ୍ବାର୍ଟର ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିବା ପାଇଁ ଓସାକାଙ୍କୁ ତ୍ରୟୋଦଶ ମାନ୍ୟତା ଆନାସ୍ତେସିଆ ସେବାତ୍ସୋଭାଙ୍କ ସହ ମୁକାବିଲା କରିବାକୁ ପଡ଼ିବ। ଆନାସ୍ତେସିଆ ତୃତୀୟ ରାଉଣ୍ଡ୍ ମୁକାବିଲାରେ ୨୧ ମାନ୍ୟତା ୱାଙ୍ଗ୍ କ୍ବିୟାଙ୍ଗ୍ଙ୍କୁ ସିଧାସଳଖ ୬-୩ ଓ ୬-୩ ସେଟ୍ରେ ପରାସ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଷଷ୍ଠ ମାନ୍ୟତା ଈଲିନା ସ୍ବେତୋଲାନା, ସପ୍ତମ ମାନ୍ୟତା କାରୋଲିନା ପ୍ଲିସ୍କୋଭା, ସପ୍ତଦଶ ମାନ୍ୟତା ମାଡିସନ୍ କିଜ୍, ଅଷ୍ଟାଦଶ ମାନ୍ୟତା ଗାର୍ବିନେ ମୁଗୁରୁଜା ନିଜ ନିଜ ତୃତୀୟ ରାଉଣ୍ଡ୍ ମୁକାବିଲା ଜିତି ପ୍ରିକ୍ବାର୍ଟର ଫାଇନାଲ୍ ସ୍ଥାନ ସୁରକ୍ଷିତ କରିଛନ୍ତି। ପ୍ରିକ୍ବାର୍ଟରରେ ସ୍ବିତୋଲିନା-କିଜ୍ ଏବଂ ପ୍ଲିସ୍କୋଭା-ମୁଗୁରୁଜା ମୁହାଁମୁହିଁ ହେବେ। ପୁରୁଷ ଏକକରେ ଶୀର୍ଷ ମାନ୍ୟତା ନୋଭାକ୍ ଜୋକୋଭିକ୍, ଚତୁର୍ଥ ମାନ୍ୟତା ଆଲେକ୍ଜାଣ୍ଡର ଭେରେଭ୍ ଏବଂ ଅଷ୍ଟମ ମାନ୍ୟତା କେଇ ନିଶିକୋରି ପ୍ରିକ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ୧୪ ଗ୍ରାଣ୍ଡ୍ ସ୍ଲାମ୍ ବିଜେତା ସର୍ବିଆ ତାରକା ଜୋକୋଭିକ୍ ୬-୩, ୬-୪, ୪-୬ ଓ ୬-୦ସେ କାନାଡା ଯବୁ ତାରକା ଡେନିସ୍ ସାପାଭୋଲଭ୍ଙ୍କୁ ପରାସ୍ତ କରିଥିଲା ବେଳେ ଜର୍ମାନିର ଭେରେଭ୍ ୬-୩, ୬-୩ ଓ ୬-୨ରେ ଅଷ୍ଟ୍ରେଲିଆର ଆଲେକ୍ସ ବୋଲ୍ଟଙ୍କୁ, ଜାପାନ ତାରକା ନିଶିକୋରି ୭-୬, ୬-୧ ଓ ୬-୨ରେ ପର୍ତୁଗାଲ୍ର ଜୋଆଓ ସୌସାଙ୍କୁ ପରାସ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏକାଦଶ ମାନ୍ୟତା କୋରିକ୍, ପଞ୍ଚଦଶ ମାନ୍ୟତା ମେଦ୍ଭେଦେଭ୍, ଷୋଡ଼ଷ ମାନ୍ୟତା ମିଲୋସ୍ ରାଓନିକ୍ ପ୍ରିକ୍ବାର୍ଟର ଫାଇନାଲ୍ ପହଞ୍ଚି ଯାଇଥିଲା ବେଳେ ଦ୍ବାଦଶ ମାନ୍ୟତା ଫାବିଓ ଫୋଗ୍ନିନି ପରାଜୟ ସହ ବିଦାୟ ନେଇଛନ୍ତି।