ବର୍ଣ୍ଣବୈଷମ୍ୟ ସୀମା ଟପିଲାଣି

ମାସ୍କୋ: ଚଳିତ ଫିଫା ବିଶ୍ୱକପ୍‌ ଅବସରରେ ବର୍ଣ୍ଣବୈଷମ୍ୟ ଆକ୍ଷେପ ସୀମା ଟପିଗଲାଣି। ଏଭଳି ଅଭିଯୋଗ ଆଣିଛନ୍ତି ସ୍ୱିଡେନ୍‌ ଓ୍ଵିଙ୍ଗର୍‌ ଜିମି ଦୁର୍ମାଜ୍‌। ଜର୍ମାନି ବିପକ୍ଷ ଶେଷ ମୁହୂର୍ତ ପରାଜୟ ପରେ ଏହା ଏଭଳି ସ୍ତରକୁ ପହଞ୍ଚିଛି ଯାହା ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ। ୨୯ ବର୍ଷୀୟ ଦୁର୍ମାଜଙ୍କ କାରଣରୁ ଜର୍ମାନିକୁ ମିଳିଥିଲା ଫ୍ରି କିକ୍‌ରୁ ଟୋନି କ୍ରୁସ୍‌ ଗୋଲ୍‌ ଦେଇଥିଲେ। ତତ୍‌କ୍ଷଣାତ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ବର୍ଣ୍ଣବୈଷମ୍ୟ ଆକ୍ଷେପ ଆରମ୍ଭ ହୋଇଯାଇଥିଲା ବୋଲି ସେ ରବିବାର ଏକ ଲିଖିତ ବିବୃତ୍ତି ପଢ଼ି ଅଭିଯୋଗ କରିଛନ୍ତି। ସ୍ୱିଡେନ୍‌ ଫୁଟ୍‌ବଲ୍‌ ସଂଘ ମଧ୍ୟ ପୁଲିସ୍‌ରେ ଅଭିଯୋଗ କରିଛି। ମୁଁ ସମାଲୋଚନାକୁ ଗ୍ରହଣ କରିବାକୁ ପ୍ରସ୍ତୁତ କିନ୍ତୁ ଏହା ସୀମା ଟପିଗଲାଣି। ଦୁର୍ମାଜ୍‌ ଫ୍ରାନ୍‌ସରେ ତୌଲୋସ୍‌ ପାଇଁ ଖେଳିଥିଲୋ।

ସୂଚନାଯୋଗ୍ୟ, ଦୁର୍ମାଜ୍‌ ସ୍ୱିଡେନ୍‌ରେ ଏକ ଆସିରୀୟ ଦମ୍ପତିଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ ଯିଏକି ତୁର୍କିରୁ ଆସିଥିଲେ। ରବିବାର ଦୁର୍ବାଜ୍‌ ବିବୃତ୍ତି ପଢ଼ୁଥିବାବେଳେ ସାଥୀ ଖେଳାଳିମାନେ ପଛରେ ଛିଡ଼ା ହୋଇଥିଲେ ଏବଂ ଏହାକୁ ସ୍ୱିଡେନ୍‌ ଫୁଟ୍‌ବଲ୍‌ ସଂଘ ପକ୍ଷରୁ ଫିଲ୍ମ କରାଯାଇଥିଲା। ‘ଯେତେବେଳେ ତୁମେ ଧମକ ଦେଉଛ, ମୋତେ ଉଗ୍ରବାଦୀ ବୋଲି ଡାକୁଛ ତୁମେ ନିଶ୍ଚିତ ସୀମା ଟପିଯାଉଛ’ ବୋଲି ସେ କହିଥିଲେ। ଏପିରକି ମୋତେ ଓ ମୋ ପାରିବାରକୁ ଧମକ ଚମକ ଦେବା ସମ୍ପୂର୍ଣ୍ଣ ଅଗ୍ରହଣୀୟ। ସ୍ୱିଡେନ୍‌ ପାଇଁ ମୁଁ ଖେଳୁଥିବାରୁ ଗର୍ବିତ ଏବଂ କୌଣସି ପରିସ୍ଥିତିରେ ବର୍ଣ୍ଣବୈଷମ୍ୟକୁ ବରଦାସ୍ତ କରାଯିବ ନାହିଁ। ସମାନ ସମୟରେ ମୁଁ ଆମକୁ ଭଲ ପାଉଥିବା ଲୋକମାନଙ୍କୁ ଧନ୍ୟବାଦ ଜଣାଉଛି ଏବଂ ସ୍ୱିଡେନ୍‌କୁ ଏଭଳି ସମର୍ଥନର ଆବଶ୍ୟକତା ରହିଛି ବୋଲି ଦୁର୍ମାଜ୍‌ ପ୍ରକାଶ କରିଛନ୍ତି। ଦୁର୍ମାଜଙ୍କ ଏହି ବିବୃତ୍ତି ସହିତ ସମ୍ପୂର୍ଣ୍ଣ ଦଳ ୧୦୦ ପ୍ରତିଶତ ରହିଛି ବୋଲି କହିଛନ୍ତି ପ୍ରଶିକ୍ଷକ ଜାନ୍‌ ଆଣ୍ଡରସନ୍‌।

ସମ୍ବନ୍ଧିତ ଖବର