ଆର୍‌ସିବିରୁ ଭିଟୋରିଙ୍କ ସହ ୩ ବହିଷ୍କୃତ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଜାଇଜ୍‌ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ତା’ର ପ୍ରଶାସନିକ ଓ ପ୍ରଶିକ୍ଷକ ସ୍ତରରେ ଆମୁଳଚୂଳ ପରିବର୍ତନ କରିଛି। ଆଇପିଏଲ୍‌ର ଗତ ଏକାଦଶ ସଂସ୍କରଣରେ ଦଳର ପ୍ରଦର୍ଶନକୁ ବିଚାରକୁ ନେଇ ଆର୍‌ସିବି ତା’ର ମୁଖ୍ୟ ପ୍ରଶିକ୍ଷକ ନ୍ୟୁଜିଲାଣ୍ଡ୍‌ ଅଲ୍‌ରାଉଣ୍ଡର ଡାନିଏଲ୍‌ ଭିଟୋରି, ବ୍ୟାଟିଂ ଓ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଅଷ୍ଟ୍ରେଲିଆର ଟ୍ରେଣ୍ଟ୍‌ ଉଡ୍‌ହିଲ୍‌ ଏବଂ ଅଷ୍ଟ୍ରେଲୀୟ ବୋଲିଂ ପ୍ରଶିକ୍ଷକ ଆଣ୍ଡରୁ ମ୍ୟାକ୍‌ଡୋନାଲ୍‌ଡଙ୍କୁ ପଦରୁ ବହିଷ୍କାର କରିଦେଇଛି। ଶକ୍ତିଶାଳୀ ବ୍ୟାଟିଂକ୍ରମ ରହିଥିବା ସତ୍ତ୍ୱେ ଆର୍‌ସିବି ଗତ ସଂସ୍କରଣରେ ୧୪ ଲିଗ୍‌ ମ୍ୟାଚ୍‌ରୁ ମାତ୍ର ୬ ବିଜୟ ପାଇଥିଲା ଏବଂ ନୈରାଶ୍ୟଜନକ ଭାବେ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଗତବର୍ଷ ବୋଲିଂ ପରାମର୍ଶଦାତା ଭାବେ ଫ୍ରାଞ୍ଚାଇଜ୍‌ ସହ ଯୋଗଦେଇଥିବା ପୂର୍ବତନ ବାମହାତୀ ଦ୍ରୁତ ବୋଲର ଆଶିଷ ନେହେରାଙ୍କ ପାଇଁ କୌଣସି କ୍ଷତି ପହଞ୍ଚିନି। ଅନ୍ୟପକ୍ଷରେ ଏଭଳି ବହିଷ୍କାର ପଛରେ କୋହଲିଙ୍କ ହାତ ଥିବା କୁହାଯାଉଛି। କୋହଲିଙ୍କ ସୁପାରିସରେ ହିଁ ସମସ୍ତ ଅଧିକାରୀ ଓ ପ୍ରଶିକ୍ଷକଙ୍କୁ ତଡ଼ା ଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୂର୍ବତନ ଦକ୍ଷିଣ ଆଫ୍ରିକା ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନ୍‌ ଆର୍‌ସିବିର ପରବର୍ତି ମୁଖ୍ୟ ପ୍ରଶିକ୍ଷକ ଦୌଡ଼ରେ ସର୍ବାଗ୍ରେ ରହିଥିବା କୁହାଯାଉଛି। କର୍ଷ୍ଟେନ୍‌ଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ୨୦୧୧ ବିଶ୍ୱକପ୍‌ ବିଜେତା ହୋଇଥିଲା। କର୍ଷ୍ଟେନ୍‌ ମଧ୍ୟ ଗତବର୍ଷ ବ୍ୟାଟିଂ ପରାମର୍ଶଦାତା ଭାବେ ଦଳରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର