ଭିଡିଓ: ୨୦ ବର୍ଷ ତଳର ପୁରୁଣା ବ୍ଲେଜର ପିନ୍ଧି ସାମ୍ବାଦିକ ସମ୍ମିଳନୀକୁ ଆସିଲେ ଗାଙ୍ଗୁଲୀ, ଏମିତି କଲେ ଖୁଲାସା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ରେ ନିଜେ ଅଧିନାୟକ ଥିବା ବେଳେ ଅନେକ ରେକର୍ଡ ସୃଷ୍ଟି କରିଥିବା ସୌରଭ ଗାଙ୍ଗୁଲୀ ବୁଧବାର ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସବୁଠାରୁ ବଡ଼ କଥା ଯେ, ଗାଙ୍ଗୁଲୀ ଅଧିନାୟକ ଭାବେ କ୍ରିକେଟରେ ଯେଉଁ ଅବତାରରେ ଆସିଥିଲେ ସଭାପତି ଭାବେ ମଧ୍ୟ ଆଜି ମୁମ୍ବାଇରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେହିଭଳି ଦେଖାଯାଇଛନ୍ତି।

ସୌରଭ ଗାଙ୍ଗୁଲୀ ନିଜର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଢିଲା ବ୍ଲେଜର ପିନ୍ଧି ଆସିଥିଲେ, ଯେଉଁଥିରେ କି ‘ବିସିସିଆଇ’ର ଲୋଗା ଥିଲା। ଏବାବଦରେ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ ଯେ, ଏଭଳି ବ୍ଲେଜର ଅଧିକ ସଭାପତି ପିନ୍ଧି ନ ଥାନ୍ତି। ଗାଙ୍ଗୁଲୀ ଉତ୍ତର ରଖିଥିଲେ ଯେ, ମୁଁ ଯେତେବେଳେ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ହୋଇଥିଲି, ସେତେବେଳେ ମୋତେ ଏହି ବ୍ଲେଜର ମିଳିଥିଲା। ସେଥିପାଇଁ ମୁଁ ଏହି ବ୍ଲେଜର ପିନ୍ଧି ସାମ୍ବାଦିକ ସମ୍ମିଳନୀ ଯିବାକୁ ଇଚ୍ଛା କରିଥିଲି।

ସୌରଭ ଗାଙ୍ଗୁଲୀ କହିଛନ୍ତି, ମୁଁ ତ ଭାବି ନେଇଥିଲି ଯେ, ଏହି ବ୍ଲେଜର ହିଁ ପିନ୍ଧିବି। ମାତ୍ର ମୋତେ ଏହା ବିଶ୍ୱାସ ନ ଥିଲା ଯେ, ବ୍ଲେଜର ଏତେ ଢିଲା ହୋଇଯିବ। କାରଣ ଏହି ବ୍ଲେଜର ମୁଁ ଯେତେବେଳେ ଅଧିନାୟକ ହୋଇଥିଲି, ସେହି ସମୟରେ ମିଳିଥିଲା। ସୂଚନାଯୋଗ୍ୟ ୧୯୯୯ରେ ସୌରଭ ଗାଙ୍ଗୁଲୀ ଭାରତୀୟ କ୍ରିକେଟ ଟିମ୍‌ର ଅଧିନୟକ ହୋଇଥିଲେ। ଗାଙ୍ଗୁଲୀ କହିଛନ୍ତି, ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ କାଲି (ଅକ୍ଟୋବର ୨୪) ଆଲୋଚନା କରିବି।

ସମ୍ବନ୍ଧିତ ଖବର