ବିଜୟ ହଜାରେ ଟ୍ରଫି: ବିସ୍ଫୋରକ ଆରମ୍ଭ ସତ୍ତ୍ୱେ ହାରିଲା ଓଡ଼ିଶା

ଭୁବନେଶ୍ୱର: ବେଙ୍ଗାଲୁରୁଠାରେ ଚାଲିଥିବା ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ମଙ୍ଗଳବାର ୧୩୩ ରନ୍‌ରେ ଶୋଚନୀୟ ଭାବେ ଶକ୍ତିଶାଳୀ କର୍ଣ୍ଣାଟକ ନିକଟରୁ ହାରିଯାଇଛି। ଘରୋଇ ଦଳର ୩୫୩ ରନ୍‌କୁ ପିଛା କରିଥିବା ଓଡ଼ିଶାର ପ୍ରାରମ୍ଭିକ ଯୋଡ଼ି ରାଜେଶ ଧୂପର (୫୩, ୪୮ ବଲ୍‌, ୫ ଚୌକା, ୧ ଛକା) ଏବଂ ଅନୁରାଗ ଷଡ଼ଙ୍ଗୀ (୫୮, ୫୧ ବଲ୍‌, ୪ ଚୌକା, ୩ ଛକା) ୧୫.୨ ଓଭରରେ ୧୧୮ ରନ୍‌ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। କିନ୍ତୁ ଏହା ପରେ ଅଧିନାୟକ ଶୁଭ୍ରାଂଶୁ ସେନାପତି ୯୧୩, ୨୯ ବଲ) ଏବଂ ସନ୍ଦୀପ ପଟ୍ଟନାୟକ (୧୯, ୩୩ ବଲ୍‌) ଆଗକୁ ବଢ଼ି ନ ପାରିବାରୁ ଓଡ଼ିଶା ଦଳ ସୁଯୋଗ ହାତଛଡ଼ା କରିଥିଲା। ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ହରାଇବା ସହିତ ୪୧ ଓଭରରେ ୨୨୦ ରନ୍‌ରେ ସୀମିତ ରହିଥିଲା। ମଧ୍ୟକ୍ରମରେ ଶାନ୍ତନୁ ମିଶ୍ର, ପ୍ରୟାସ ସିଂହ ଏବଂ ଶେଷ ଦୁଇ ଖେଳାଳି ସୂର୍ଯ୍ୟକାନ୍ତ ପ୍ରଧାନ ଓ ଜୟନ୍ତ ବେହେରା ଖାତା ଖୋଲି ପାରିନଥିଲେ। ଅଭିଷେକ ରାଉତ (୩୬, ୨୪ ବଲ୍‌, ୪ ଚୌକା, ୧ ଛକା) ଏବଂ ଦୀପକ ବେହେରା (୨୦*, ୨୮ ବଲ୍‌, ୨ ଛକା) ଭଲ ପ୍ରୟାସ କରିଥିଲେ ମଧ୍ୟ ଏହା ବିଜୟ ସମ୍ଭାବନା ଦେବାକୁ ଯଥେଷ୍ଟ ହୋଇନଥିଲା। ଅଭିଷେକ ରନ୍‌ ଆଉଟ୍‌ ହେବା ପରେ ଓଡ଼ିଶା ଶେଷ ଶେଷ ୫ ଓ୍ଵିକେଟ୍‌କୁ ୪୮ ରନ୍‌ରେ ହରାଇଥିଲା। ଓଡ଼ିଶା ୪ ମ୍ୟାଚ୍‌ରୁ ୨ ବିଜୟ ସହିତ ୭ ଦଳୀୟ ଗ୍ରୁପ୍‌ ‘ଏ’ ପଏଣ୍ଟ ଟେବୁଲ୍‌ରେ ୮ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। କର୍ଣ୍ଣାଟକ ୫ ମ୍ୟାଚ୍‌ରୁ ୧୪ ପଏଣ୍ଟ୍‌ ସହ ଶୀର୍ଷରେ ଥିବାବେଳେ ବରୋଦା ଏବଂ ପଞ୍ଜାବ ଯଥାକ୍ରମେ ୪ ଓ ୫ ମ୍ୟାଚ୍‌ରୁ ୧୨ ପଏଣ୍ଟ ଲେଖାଏଁ ପାଇ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
ପୂର୍ବରୁ ଓଡ଼ିଶା ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲା। କର୍ଣ୍ଣାଟକ ପ୍ରାରମ୍ଭିକ ଯୋଡ଼ି ମୟଙ୍କ ଅଗ୍ରଓ୍ଵାଲ (୧୦୨, ୯୪ ବଲ୍‌, ୧୦ ଚୌକା, ୨ ଛକା) ଏବଂ କରୁଣ ନାୟାର (୧୦୦, ୧୧୧ ବଲ୍‌, ୧୨ ଚୌକା) ପ୍ରଥମ ଓ୍ଵିକେଟ୍‌ ପାଇଁ ୩୦.୩ ଓଭରରେ ୧୯୦ ରନ୍‌ ଉଠାଇଥିଲେ। ଏହା ପରେ ପବନ ଦେଶପାଣ୍ଡେ (୫୪, ୩୭ ବଲ୍‌, ୫ ଚୌକା, ୨ ଛକା) ଏବଂ କ୍ରିଷ୍ଣାପ୍ପା ଗୌତମ (୪୭, ୨୦ ବଲ୍‌, ୫ ଚୌକା, ୩ ଛକା)ଙ୍କ ଜରିଆରେ କର୍ଣ୍ଣାଟକ ନିର୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୩୫୩ ରନ୍‌ କରି ନେଇଥିଲା। ଓଡ଼ିଶା ପକ୍ଷରୁ ଦେବବ୍ରତ ପ୍ରଧାନ ଓ ଦୀପକ ବେହେରା ୨ ଲେଖାଏଁ ଓ୍ଵିକେଟ୍‌ ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ଓ ପ୍ରୟାସ ସିଂହ ଠାକୁର ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।
ସୂଚନାଯୋଗ୍ୟ, ଓଡ଼ିଶା ପୂର୍ବରୁ ଆସାମ ଓ ରେଳବାଇକୁ ପରାସ୍ତ କରିଥିବାବେଳେ ପଞ୍ଜାବ ଏବଂ ହରିଆନା ନିକଟରୁ ହାରିଥିଲା।

ସମ୍ବନ୍ଧିତ ଖବର