ରୋମାଞ୍ଚକ ମୋଡ଼ରେ ଓଡ଼ିଶା-ଆସାମ ମ୍ୟାଚ୍‌

କଟକ: ନାଗାଓଁର ନୁରୁଲ ଅମିନ୍‌ ଷ୍ଟାଡିୟମରେ ଓଡ଼ିଶା ଓ ଆସାମ ମଧ୍ୟରେ ଚାଲିଥିବା ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି। ପ୍ରଥମ ଦିନ ଓଡ଼ିଶା ଅଗ୍ରଣୀ ନେଇସାରିଥିଲା ବେଳେ ଦ୍ୱିତୀୟ ଦିନ ୧୧୯ ରନ୍‌ରେ ସୀମିତ ରହିଥିଲା। ତେବେ ଦ୍ୱିତୀୟ ପାଳି ଆରମ୍ଭ କରିଥିବା ଘରୋଇ ଷ୍ଟମ୍ପ୍‌ସ ଅପସାରଣ ବେଳକୁ ୭ ଓ୍ଵିକେଟ ବିନିମୟରେ ୨୨୧ ରନ୍‌ କରିସାରିଛି। ଫଳରେ ପ୍ରଥମ ପାଳିରେ ୭୪ ରନ୍‌ କରିଥିବା ଆସାମ ଏବେ ୧୭୬ ରନ୍‌ରେ ଆଗୁଆ ହୋଇଛି। ବୁଧବାର ଶେଷ ଦିନରେ ଆସାମକୁ ସଅଳ ଆଉଟ୍‌ କରିଦେଲେ ଓଡ଼ିଶା ବିଜୟ ସହଜ ହୋଇପାରିବ।
ପ୍ରଥମ ଦିନର ଅସମାପ୍ତ ସ୍କୋର ୧୦୧/୮ରୁ ଓଡ଼ିଶା ଖେଳ ଆରମ୍ଭ କରିଥିଲା ବେଳେ ସିଦ୍ଧାର୍ଥ ଜୈନଙ୍କ ୨୪ ରନ୍‌ ଯୋଗୁଁ ୧୧୯ ରନ୍‌ କରିପାରିଥିଲା। ଏହାପରେ ଦ୍ୱିତୀୟ ପାଳି ଆରମ୍ଭ କରିଥିବା ଆସାମର ପ୍ରତ୍ୟେକ ବ୍ୟାଟ୍ସମ୍ୟାନ ରକ୍ଷଣାତ୍ମକ ଭାବେ ଖେଳିଥିଲେ। ତଥାପି ୮୮.୪ ଓଭର ମଧ୍ୟରେ ୭ ଜଣ ପାଭିଲିଅନ୍‌ ଫେରିଯାଇଛନ୍ତି। ନିବିର ଦେକା ୩୮, ଶିବମ୍‌ ମିତ୍ତଲ୍‌ ୪୨, ଦିନେଶ ଦାସ ୫୦, ରୁତୁରାଜ ବିଶ୍ୱାସ ୩୦, ରୁହି ନନ୍ଦନ ପେଗୁ ୨୫ ରନ୍‌ କରିଥିଲେ। ଓଡ଼ିଶା ପାଇଁ ସୁଶୀଲ ବାରିକ ଓ ବିକାଶ ନାଏକ ୩ ଓ୍ଵିକେଟ ଲେଖାଏଁ ଅକ୍ତିଆର କରିଛନ୍ତି।

ସମ୍ବନ୍ଧିତ ଖବର