ବିନେଶ ରଚିଲେ ଇତିହାସ : ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ

ଜାକର୍ତା/ପାଲେମବାଙ୍ଗ : ଅଷ୍ଟାଦଶ ଏସୀୟ କ୍ରୀଡ଼ାର ଦ୍ୱିତୀୟ ଦିନରେ ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗଟ ଐତିହାସିକ ସଫଳତା ଲାଭ କରିଛନ୍ତି। ସୋମବାର ଜାପାନର ୟୁକି ଇରିଙ୍କୁ ଏକତରଫା ଭାବେ ୬-୨ରେ ହରାଇ ୫୦ କିଲୋଗ୍ରାମ ଫ୍ରି-ଷ୍ଟାଇଲ୍‌ କୁସ୍ତିରେ ସେ ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି। ଏଥିସହିତ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାରେ ବିନେଶ ଭାରତର ପ୍ରଥମ ମହିଳା କୁସ୍ତିଯୋଦ୍ଧା ହୋଇଛନ୍ତି। ବ୍ୟକ୍ତିଗତ ଭାବେ ମଧ୍ୟ ଏହି ହରିଆଣା ଝିଅ ପ୍ରଥମ ଏସୀୟ କ୍ରୀଡ଼ା’ ସ୍ୱର୍ଣ୍ଣ ଜିତିଛନ୍ତି। କୁସ୍ତିରୁ ଗୋଟିଏ ସ୍ୱର୍ଣ୍ଣ ସହ ସୋମବାର ଭାରତ ବନ୍ଧୁକ ଚାଳନାରୁ ଦୁଇଟି ରୌପ୍ୟ ପାଇଥିଲା। ପୁରୁଷ ୧୦ ମିଟର ରାଇଫଲ୍‌ରେ ଦୀପକ କୁମାର ଏବଂ ପୁରୁଷ ଟ୍ରାପ୍‌ରେ ଲକ୍ଷ୍ୟ ସେରନ୍‌ ଦ୍ୱିତୀୟ ସ୍ଥାନରେ ରହି ଏହି ଦୁଇଟି ପଦକ ଜିତିଥିଲେ। ଫଳରେ ଭାରତର ମୋଟ ପଦକ ସଂଖ୍ୟା ୫ରେ ପହଞ୍ଚି ଥିଲା। ସେଥିମଧ୍ୟରେ ରହିଛି ଦୁଇଟି ଲେଖାଏଁ ସ୍ୱର୍ଣ୍ଣ ଏବଂ ଗୋଟିଏ କାଂସ୍ୟ।

ଆଜିର ପ୍ରତୀକ୍ଷିତ ଫାଇନାଲ୍‌ରେ ବିନେଶ ପ୍ରଥମ ରାଉଣ୍ଡରେ ହିଁ ୪-୦ର ଅସାଧ୍ୟ ଅଗ୍ରଣୀ ଲାଭ କରି ନେଇଥିଲେ। ପରବର୍ତୀ ଦୁଇ ରାଉଣ୍ଡରେ ୟୁକି ତାଙ୍କୁ କଡ଼ା ଟକ୍କର ଦେଇଥିଲେ। ତେବେ ନିଜେ ମାତ୍ର ଦୁଇ ପଏଣ୍ଟ ୍‌ଅର୍ଜନ କରିବା ସହ ବିନେଶଙ୍କୁ ଆଉ ଦୁଇ ପଏଣ୍ଟ୍‌ ଦେଇ ୬-୨ରେ ପରାଜିତ ହୋଇଥିଲେ। କୁସ୍ତି ଆଖଡ଼ାରୁ ଦୁଇ ଦିନରେ ଭାରତର ଏହା ଦ୍ୱିତୀୟ ସ୍ୱର୍ଣ୍ଣ ଥିଲା। ରବିବାର ପ୍ରଥମ ଦିନରେ ୬୫ କିଲୋଗ୍ରାମ ପୁରୁଷ ଫ୍ରି-ଷ୍ଟାଇଲ୍‌ରେ ବଜରଙ୍ଗ ପୁନିଆ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଉପହାର ଦେଇଥିଲେ। ଭାରତ ମଧ୍ୟ ପ୍ରଥମ ଦିନରେ ବନ୍ଧୁକ ଚାଳନାରୁ ଗୋଟିଏ ପଦକ ଜିତିଥିଲା।

ବିିନେଶ ସେମିଫାଇନାଲରେ ଉଜବେକିସ୍ତାନର ଦୌଲତବାଇକ୍‌ ୟାକସିମୋରାତୋଭାଙ୍କୁ ଧୂଳି ଚଟାଇ ଥିଲେ। ଏପରିକି ମାତ୍ର ୭୫ ସେକେଣ୍ଡ ଭିତରେ ୧୦-୦ରେ ଆଗୁଆ ହେବା ପରେ ରେଫରି ତାଙ୍କୁ ଉନ୍ନତ ବୈଷୟିକ କୌଶଳର ଅଧିକାରିଣୀ ଭାବେ ଲଢ଼େଇ ଅଧାରୁ ବିଜୟୀ ଘୋଷଣା କରିଥିଲେ। ସେମିଫାଇନାଲରେ ପୂରା ଆଧିପତ୍ୟ ବିସ୍ତାର କରିବା ପରେ ଭିନେଶଙ୍କ ସ୍ୱର୍ଣ୍ଣ ଜିତିବା ଆଶା ବଢ଼ି ଯାଇଥିଲା। ଯାହାକୁ ସେ ୪ ପଏଣ୍ଟ୍‌ ବ୍ୟବଧାନରେ ଜିତି ଇତିହାସ ରଚିଥିଲେ। ଏହା ପୂର୍ବରୁ ୨୩ ବର୍ଷୀୟା ବିନେଶ କ୍ୱାର୍ଟର ଫାଇନାଲରେ ଦକ୍ଷିଣ କୋରିଆର କିମ୍‌ ହିଆଙ୍ଗଜୋଙ୍କୁ ୧୧-୦ ଏବଂ ପ୍ରି-କ୍ୱାର୍ଟରରେ ଚୀନର ସୁନ୍‌ ୟାନନଙ୍କୁ ୮-୨ରେ ହରାଇ ଦେଇଥିଲେ। ତେବେ କାଂସ୍ୟ ପଦକ ଦୌଡ଼ରେ ଥିବା ଅଲିମ୍ପିଆନ୍‌ ସାକ୍ଷୀ ମଲ୍ଲିକ ଏବଂ ପୂଜା ଧଣ୍ଡା ନିଜ ନିଜ ଲଢ଼େଇ ହାରିବା ପରେ ଭାରତ ଆଉ ଦୁଇଟି ପଦକରୁ ବଞ୍ଚିତ ହୋଇଥିଲା। ପୁରୁଷରେ ସୁମିତ ମଧ୍ୟ ନିଜ କାଂସ୍ୟ ପଦକ ଲଢ଼େଇ ହାରି ଯାଇଥିଲେ।

୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା (୪୮ କିଲୋଗ୍ରାମ) ଓ ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା (୫୦ କିଲୋଗ୍ରାମ)ରେ ଲଗାତାର ସ୍ୱର୍ଣ୍ଣ ଜିତିବା ପରେ ବିନେଶଙ୍କର ଏହା ହ୍ୟାଟ୍ରିକ୍‌ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ବିଜୟ ଥିଲା। ୨୦୧୪ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ାରେ ସେ କାଂସ୍ୟ ପଦକ ଜିତିଥିଲେ। ଭାରତୀୟ କୁସ୍ତିରେ ନୂଆ ଅଧ୍ୟାୟ ଯୋଡ଼ିଥିବା ବିନେଶ ହେଉଛନ୍ତି ଭାରତୀୟ ମହିଳା କୁସ୍ତିର ଦୁଇ ମହାନାୟିକା ଗୀତା ଓ ବବିତା ଫୋଗଟଙ୍କ ସଂପର୍କୀୟ ଭଉଣୀ।

ସମ୍ବନ୍ଧିତ ଖବର