ସିଲି ପଏଣ୍ଟ୍‌: ଇଂଲଣ୍ଡରେ ବିରାଟ-ଅନୁଷ୍କାଙ୍କ ମସ୍ତି

ଲଣ୍ଡନ: ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଭାରତୀୟ ଖେଳାଳିମାନେ ନିଜ ପରିବାରବର୍ଗଙ୍କ ସହ ଇଂଲଣ୍ଡରେ ବୁଲା ବୁଲି କରି ମନ ସଜେତ ରଖିବାକୁ ଚେଷ୍ଟା ଚଳାଇଛନ୍ତି। ଏଥିରେ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଅଗ୍ରଣୀ ଭୂମିକା ନେଉଛନ୍ତି। ଉଭୟ ଏକାଠି ଲିଡ୍ସର କେତେକ ଦର୍ଶନୀୟ ସ୍ଥାନ ବୁଲୁଥିବାର ଦେଖିବାକୁ ମିଳିଛି। ଦୁଇ ଦିନ ତଳେ ଦୁଇ ଜଣ ଏକ ତେଜରାତି ଦୋକାନକୁ ଯାଇ କିଣା କିଣି କରୁଥିବାର ଫଟୋ ବିରାଟ ତାଙ୍କ ଟ୍ଵିଟର ପୃଷ୍ଠାରେ ପ୍ରକାଶ କରିଥିଲେ। ଶନିବାର ଲିଡ୍ସ ଭ୍ରମଣର ଫଟୋ ମଧ୍ୟ କୋହଲି ପ୍ରକାଶ କରିଛନ୍ତି। ଯାହାକୁ ତାଙ୍କ ପ୍ରଶଂସକ ବେଶ୍‌ ପସନ୍ଦ କରୁଛନ୍ତି। ବିରାଟ-ଅନୁଷ୍କାଙ୍କ ସହ ଶିଖର ଧାଓ୍ଵନଙ୍କ ପରିବାର ମଧ୍ୟ ଭ୍ରମଣ ଏବଂ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ସମୟ କଟାଇଥିଲେ।

ବକିମ୍‌ହାମ୍‌ ପ୍ରାସାଦ ବୁଲିଲେ ଧାଓ୍ଵନ ପରିବାର
ଲଣ୍ଡନ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‍ ଶୃଙ୍ଖଳା ଆରମ୍ଭ ପୂର୍ବରୁ ଭାରତୀୟ ଦଳ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଶିଖର ଧାଓ୍ଵନ ନିଜ ପରିବାର ସହିତ ଲଣ୍ଡନ୍‌ର ପ୍ରସିଦ୍ଧ ବକିମ୍‌ହାମ୍‌ ପ୍ରାସାଦ ବୁଲିଛନ୍ତି। ୩୨ ବର୍ଷୀୟ ଏହି ଷ୍ଟାଇଲିସ୍‌ ବାମହାତୀ ବ୍ୟାଟସମ୍ୟାନ୍‌ଙ୍କ ସହିତ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀ ଏବଂ ୩ ସନ୍ତାନ ପ୍ରାସାଦର ବିଭିନ୍ନ ଜାଗାରେ ଫଟୋ ପୋଜ୍‌ ଦେଇଥିଲେ। ଏହା ପରେ ଶିଖର ଧାଓ୍ଵନ ନିଜ ଫଟୋଗୁଡ଼ିକୁ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଭର୍ତି କରି ପ୍ରଶଂସକଙ୍କ ଶୁଭେଚ୍ଛା ସାଉଁଟିଛନ୍ତି। ଅଗଷ୍ଟ ପହିଲାରୁ ପ୍ରଥମ ଟେଷ୍ଟ୍‍ ବର୍ମିଂହାମ୍‌ରେ ଆରମ୍ଭ ହେଉଥିବାବେଳେ ଦ୍ୱିତୀୟ ଟେଷ୍ଟ୍‍ ପାଇଁ ଭାରତୀୟ ଦଳ ‘କ୍ରିକେଟ୍‌ର ମକ୍କା’ ଲର୍ଡସକୁ ଫେରିବ। କିଛି ଦିନ ତଳେ ଶିଖର ଧାଓ୍ଵନ ଅଧିନାୟକ ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ସୂଚନାଯୋଗ୍ୟ ଇଂଲଣ୍ଡ ଗସ୍ତରେ ସୀମିତ ଓଭର ଶୃଙ୍ଖଳାରେ ଶିଖର ଧାଓ୍ଵନ ଭଲ ପ୍ରଦର୍ଶନ କରିନଥିବାବେଳେ ଏବେ ଟେଷ୍ଟ୍‍ କ୍ରିକେଟ୍‌ରେ ଉନ୍ନତ ଖେଳ ଦେଖାଇବା ଆଶାରେ ରହିଛନ୍ତି।

ସମ୍ବନ୍ଧିତ ଖବର