ବିରାଟ ବିସ୍ଫୋରଣରେ ଇଣ୍ଡିଜ୍‌ ଧରାଶାୟୀ, ଭାରତ ୬ ୱିକେଟ୍‌ରେ ବିଜୟୀ

ହାଇଦ୍ରାବାଦ: ଆସନ୍ତା ବର୍ଷର ଟି-୨୦ ବିଶ୍ବକପ୍‌ ପୂର୍ବରୁ ଭାରତ ନିଜ ପ୍ରସ୍ତୁତିକୁ ଜବରଦସ୍ତ ଢଙ୍ଗରେ ଆରମ୍ଭ କରିଛି। ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍‌ ଶୃଙ୍ଖଳାରେ ୬ ୱିକେଟ୍ ବିଜୟରୁ ଶୁଭାରମ୍ଭ କରିଛି। ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ (୯୪*, ୫୦ ବଲ୍‌, ୬ ଚୌକା, ୬ ଛକା) ଏବଂ ଲୋକେଲ ରାହୁଲ (୬୨, ୪୦ ବଲ୍‌, ୫ ଚୌକା, ୪ ଛକା)ଙ୍କ ଆକର୍ଷଣୀୟ ଅର୍ଧଶତକ ବଳରେ ଭାରତୀୟ ଦଳ ଇଣ୍ଡିଜ୍‌ର ୨୦୭ ରନ୍‌କୁ ୮ ବଲ୍‌ ପୂର୍ବରୁ ପଛରେ ପକାଇ ଦେଇଥିଲା। କୋହଲି ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭାରତ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ରବିବାର ଦ୍ବିତୀୟ ମ୍ୟାଚ୍‌ ତ୍ରିଭେନ୍ଦ୍ରମରେ ଖେଳାଯିବ।

ଟସ୍ ଜିତି ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୱାସିଂଟନ୍ ସୁନ୍ଦରଙ୍କ ପ୍ରଥମ ଓଭରରୁ ଅତିଥି ଦଳ ୧୩ ରନ୍ ଆଦାୟ କରି ନେଇଥିଲେ, କିନ୍ତୁ ଦୀପକ ଚହର ଦ୍ବିତୀୟ ଓଭର ଦ୍ବିତୀୟ ବଲ୍‌ରେ ଲେଣ୍ଡଲ୍ ସିମନ୍ସଙ୍କୁ ଆଉଟ୍ କରି ଦେଇଥିଲେ। ଏହା ପରେ କିନ୍ତୁ ଏଭିନ୍ ଲୁଇସ୍ (୪୦, ୧୭ ବଲ୍‌, ୩ ଚୌକା, ୪ ଛକା) ଏବଂ ବ୍ରେଣ୍ଡନ୍ କିଙ୍ଗ୍ (୩୧, ୨୩ ବଲ୍‌, ୩ ଚୌକା, ୧ ଛକା) ଦ୍ବିତୀୟ ୱିକେଟ୍ ପାଇଁ ୫୧ ରନ୍ ଯୋଡ଼ିଥିଲେ। ଲୁଇସଙ୍କୁ ଆଉଟ୍ କରି ସୁନ୍ଦର ପ୍ରଥମ ଓଭରର ପ୍ରତିଶୋଧ ନେଇଥିଲେ। କିଙ୍ଗଙ୍କୁ ଜାଦେଜା ୱିକେଟରକ୍ଷକ ପନ୍ତ୍‌ଙ୍କ ଜରିଆରେ ଷ୍ଟମ୍ପିଂ କରାଇ ନେଇଥିଲେ। ଏହି ସମୟରେ ଏକାଠି ହୋଇଥିବା ସିମରନ୍‌ ହେଟମେୟର୍ (୫୬, ୪୧ ବଲ୍‌, ୨ ଚୌକା, ୪ ଛକା) ଏବଂ ଅଧିନାୟକ କିରଣ ପୋଲାର୍ଡ (୩୭, ୧୯ ବଲ୍‌, ୧ ଚୌକା, ୪ ଛକା) ଚତୁର୍ଥ ୱିକେଟ୍‌ ଭାଗୀଦାରିରେ ୬୧ ରନ୍ ଯୋଡ଼ିବା ଦଳର ରନ୍‌ ହାରକୁ ସର୍ବଦା ୧୦ ଉପରେ ରଖୁଥିଲା। ଉଭୟଙ୍କୁ ଗୋଟିଏ ଓଭରରେ ୟୁଜବେନ୍ଦ୍ର ଚହଲ ଗୋଟିଏ ବଲ୍‌ ବ୍ୟବଧାନରେ ଆଉଟ୍ କରିବାରୁ ଇଣ୍ଡିଜ୍‌ର ଶେଷ ଭାଗ ବିସ୍ଫୋରଣ ସମ୍ଭବ ହୋଇନଥିଲା। ତଥାପି ପୂର୍ବତନ ଅଧିନାୟକ ଜାସନ୍ ହୋଲ୍‌ଡର ୯ ବଲ୍‌ରୁ ୨୪* ରନ୍ ଏବଂ ୱିକେଟରକ୍ଷକ ଦୀନେଶ ରାମଦିନ୍‌ ୭ ବଲ୍‌ରୁ ୧୧ ରନ୍ କରିବା ଇଣ୍ଡିଜ୍‌ ସ୍କୋରକୁ ୨୦୦ ପାର୍ କରାଇ ନେଇଥିଲା। ଭାରତ ପକ୍ଷରୁ ଚହଲ୍‌ ସଫଳ ବୋଲର ଭାବେ ୨ ୱିକେଟ୍ ନେଇଥିଲେ। ତେବେ ପ୍ରଥମ ସଫଳତା ‌ଦେଇଥିବା ଦୀପକ ଚହରର (୪-୦-୫୬-୧) ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

ଜବାବରେ ଭାରତ ସଅଳ ରୋହିତ ଶର୍ମା (୮ ରନ୍, ୧୦ ବଲ୍‌)ଙ୍କୁ ହରାଇଥିଲା। ଲୋକେଶ ରାହୁଲ ଏବଂ ବିରାଟ କୋହଲି କିନ୍ତୁ ଶତକୀୟ ଭାଗୀଦାରି କରି ଭାରତକୁ ଚାପରେ ପଡ଼ିବାକୁ ଦେଇନଥିଲେ। ବାମହାତୀ ସ୍ପିନର୍‌ କରି ପିଏରଙ୍କ ଦ୍ବିତୀୟ ଶିକାର ହେବା ପୂର୍ବରୁ ରାହୁଲ (୬୨, ୪୦ ବଲ୍‌, ୫ ଚୌକା, ୪ ଛକା) ନିଜ ଆକର୍ଷଣୀୟ ଅର୍ଧଶତକ ହାସଲ କରିଥିଲେ। ଛକା ମାରିବାର ପରବର୍ତୀ ବଲ୍‌ରେ ଲଙ୍ଗଅନ୍‌ରେ ଥିବା ପୋଲାର୍ଡଙ୍କୁ କ୍ୟାଚ୍‌ ଦେଇ ବସିଥିଲେ। ଏହି ଅବସରରେ ୧୦୦୦ ଟି-୨୦ ରନ୍‌ ପୂର୍ଣ୍ଣ କରିଥିଲେ। ପ୍ରଥମ ବଲ୍‌ରେ ଛକା ମାରି ଅଭିଯାନ ଆରମ୍ଭ କରିଥିବା ଋଷବ ପନ୍ତ୍‌ (୧୮, ୮ ବଲ୍‌, ୨ ଛକା) କିନ୍ତୁ ବିଶେଷ ପ୍ରଭାବ ଛାଡ଼ି ପାରିନଥିଲେ। ଶ୍ରେୟସ ଆୟର (୪) ପୋଲାର୍ଡଙ୍କୁ ଫେରନ୍ତା କ୍ୟାଚ୍‌ ଦେଇ ଫେରିଥିଲେ। କୋହଲି କିନ୍ତୁ ମ୍ୟାଚ୍‌ ଛାଡ଼ିବା ସ୍ଥିତିରେ ନଥିଲେ। ମାତ୍ର ୩୫ ବଲ୍‌ରୁ ଅର୍ଧଶତକ ହାସଲ କରିଥିବା ଏହି ତାରକା ଅଧିନାୟକ କେସରିକ୍‌ ୱିଲିୟମ୍ସଙ୍କୁ ଛକା ମାରି ମ୍ୟାଚ୍‌ ଶେଷ କରିଥିଲେ। କୋହଲି ୫୦ ବଲ୍‌ରୁ ୬ ଲେଖାଏଁ ଛକା ଓ ଚୌକା ମାରି ୯୪ ରନ୍‌ରେ ଅପରାଜିତ ରହି ବିଜୟ ପରେ ନିଜ ଜର୍ସିରେ ଲେଖାଥିବା ‘ବିରାଟ’କୁ ବାରମ୍ବାର ସଙ୍କେତ ଦେଇଥିଲେ।

ସମ୍ବନ୍ଧିତ ଖବର