ଅଜବ ଫଟୋ ପୋଜ୍‌ ଦେଇ ଭାଇରାଲ୍‌ ହେଲେ ବିରାଟ ଓ ତାଙ୍କ ‘ସୁନ୍ଦର ଦୋସ୍ତ’!

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଅନେକ ସମୟରେ ତାଙ୍କର ମଜାଦାର୍‌ ପୋଷ୍ଟ୍‌ ପାଇଁ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟି ଥାଆନ୍ତି। ନିଉଜିଲାଣ୍ଡ୍‌ ସହ ଅଭ୍ୟାସ ମ୍ୟାଚ୍‌ ସାରିବା ପରେ ରବିବାର ବିରାଟ ସୋସିଆଲ୍‌ ମିଡିଆରେ ଏକ ମଜାଳିଆ ପୋଷ୍ଟ୍‌ କରିଛନ୍ତି।

ସେ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ କ୍ରିକେଟର୍‌ ମହମ୍ମଦ ସାମୀ ଓ ଓପ୍‌ନର ପୃଥିବୀ ସ’ଙ୍କ ସହ ଏକ ଫଟୋ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। ଫଟୋରେ ୩ ଜଣ କ୍ରିକେଟ୍‌ ତାରକା ନିଜ ଆଖି କାଢ଼ି ଏକ ମଜାଳିଆ ପୋଜ୍‌ ଦେଇଛନ୍ତି। ବିରାଟ ପୋଷ୍ଟ୍‌ କରି ଲେଖିଛନ୍ତି, ‘ନୟା ପୋଷ୍ଟ୍‌ ସୁନ୍ଦର ଦୋସ୍ତ’।

ଉଲ୍ଲେଖଯୋଗ୍ୟ, ଶୁକ୍ରବାରଠାରୁ ହାମିଲଟନ୍‌ଠାରେ ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ୍‌ର ପ୍ରାରମ୍ଭିକ ଯୋଡ଼ି ପୃଥ୍ବୀ ସ ଓ ମୟଙ୍କ ଅଗ୍ରୱାଲ ପୂରା ନିରାଶ କରିଥିଲେ। ସ’ ଖାତା ଖୋଲିବାକୁ ସମର୍ଥ ହୋଇନଥିଲା ବେଳେ ମୟଙ୍କ ୧ ରନ୍‌ କରିଥିଲେ। ସେମାନଙ୍କ ବ୍ୟତୀତ ଟେଷ୍ଟ୍‌ ଦଳରେ ସ୍ଥାନ ପାଇବାକୁ ଆଶାୟୀ ଅନ୍ୟତମ ଯୁବ ତାରକା ଶୁବମନ୍‌ ଗିଲ୍‌ ମଧ୍ୟ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ଏହି ତିନି ଯୁବ ତାରକାଙ୍କୁ ସ୍କଟ୍‌ କୁଗ୍‌ଲାଇନ୍‌ ଶିକାର କରିନେଇଥିଲେ। ଅନ୍ୟପକ୍ଷରେ ବରିଷ୍ଠ ଖେଳାଳି ଆଜିଙ୍କ୍ୟ ରହାଣେ ମାତ୍ର ୧୮ ରନ୍‌ କରିପାରିଥିଲେ। ଏକ ସମୟରେ ୫ ରନ୍‌ରେ ୩ ଓ ୩୮ ରନ୍‌ରେ ୪ ୱିକେଟ୍‌ ହରାଇ ସଂକଟରେ ପଡ଼ିଥିବା ଭାରତ ପୁଣି ୧୮ ରନ୍‌ ମଧ୍ୟରେ ଶେଷ ୫ ୱିକେଟ୍‌ ହରାଇଥିଲା। ତେବେ ହନୁମା ବିହାରୀ (୧୦୧ ରନ୍‌, ୧୮୨ ବଲ୍‌, ୧୦ ଚୌକା, ୩ ଛକା) ଶତକ ଓ ଅଭିଜ୍ଞ ଚେତେଶ୍ବର ପୂଜାରା (୯୩ ରନ୍‌, ୨୧୧ ବଲ୍‌, ୧୧ ଚୌକା, ୧ ଛକା) ଅର୍ଧଶତକ ଜମାଇ ଦଳର ସମ୍ମାନ ରଖିଥିଲେ।

ସମ୍ବନ୍ଧିତ ଖବର