୬୦୦୦ ଟେଷ୍ଟ ରନ୍‌ କ୍ଲବରେ ସାମିଲ ହେଲେ କୋହଲି, ପଛରେ ପଡ଼ିଲେ ସଚିନ-ସେହେଓ୍ଵାଗ-ଦ୍ରାବିଡ଼

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୬୦୦୦ ଟେଷ୍ଟ ରନ୍‌ କ୍ଲବରେ ଶୁକ୍ରବାର ସାମିଲ ହୋଇଛନ୍ତି। ଏହି ନୂଅାଁ ରେକର୍ଡ ସହିତ କୋହଲି ଭାରତୀୟ ସୁପ୍ରସିଦ୍ଧ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହେଓ୍ଵାଗ୍‌ ଓ ରାହୁଲ ଦ୍ରାବିଡ଼ଙ୍କ ରେକର୍ଡ ଅତିକ୍ରମ କରିଛନ୍ତି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ୫ ଟେଷ୍ଟ ମ୍ୟାଚ୍‌ ଶୃଙ୍ଖଳାର ୪ର୍ଥ ମୁକାବିଲାରେ ଏହି ସ୍ମରଣୀୟ ଅନୁଭୂତି ହାସଲ କରିଛନ୍ତି। ଟେଷ୍ଟ କ୍ୟାରିୟର ୧୧୯ତମ ଇନିଂସରେ ବିଶ୍ୱର ୧ ନମ୍ବର ବ୍ୟାଟସ୍‌ମ୍ୟାନ୍‌ କୋହଲି ଭାରତ ୨ଟି ଓ୍ଵିକେଟ ହରାଇବା ପରେ ବ୍ୟାଟିଂ କରିବାକୁ କ୍ରିଜକୁ ଆସିଥିଲେ।

କୋହଲିଙ୍କ ଆଗରେ ଭାରତର ସୁନିଲ ଗାଭାସ୍କର ଅଛନ୍ତି। ଗାଭାସ୍କର ୧୧୭ତମ ଇନିଂସରେ ୬୦୦୦ ରନ ଟେଷ୍ଟ କ୍ଲବରେ ନିଜକୁ ସାମିଲ କରିପାରିଥିଲେ। ସଚିନ ତେନ୍ଦୁଲକର ଏହି ରେକର୍ଡର ଅଧିକାରୀ ୧୨୦ଟି ଇନିଂସ, ବୀରେନ୍ଦ୍ର ସେହେଓ୍ଵାଗ ୧୨୧ ଇନିଂସ ଓ ରାହୁଲ ଦ୍ରାବିଡ଼ ୧୨୫ଟି ଇନିଂସରେ ପୂରା କରିଥିଲେ।

ଟେଷ୍ଟ କ୍ରିକେଟରେ ୬୦୦୦ ରନ୍‌ ସଂଗ୍ରହକାରୀ ଭାରତୀୟ

ସଚିନ ତେନ୍ଦୁଲକର: ୨୦୦ ମ୍ୟାଚ, ୧୫୯୨୧ ରନ୍‌
ରାହୁଲ ଦ୍ରାବିଡ: ୧୬୪ ମ୍ୟାଚ, ୧୩,୨୮୮ ରନ୍‌
ସୁନିଲ ଗାଭାସ୍କର: ୧୨୫ ମ୍ୟାଚ, ୧୦,୧୨୨ ରନ୍‌
ଭିଭିଏସ୍‌ ଲକ୍ଷ୍ମଣ: ୧୩୧ ମ୍ୟାଚ୍‌, ୮୭୮୧ ରନ୍‌
ବୀରେନ୍ଦ୍ର ସେହେଓ୍ଵାଗ: ୧୦୪ ମ୍ୟାଚ୍‌, ୮୫୮୬ ରନ୍‌
ସୌରଭ ଗାଙ୍ଗୁଲି: ୧୧୩ ମ୍ୟାଚ୍‌, ୭୨୧୨ ରନ୍‌
ଦିଲୀପ ଭେଙ୍ଗସରକାର: ୧୧୬ ମ୍ୟାଚ, ୬୮୬୮ ରନ୍‌
ମହମ୍ମଦ ଆଝାରୁଦ୍ଦିନ: ୯୯ ମ୍ୟାଚ୍‌, ୬୨୧୫ ରନ୍‌
ବିଶ୍ୱନାଥ: ୯୧ ମ୍ୟାଚ୍‌, ୬୦୮୦ ରନ୍‌
ବିରାଟ କୋହଲି ୭୦ ମ୍ୟାଚ, ୬୦୦୭ ରନ୍‌

ଟେଷ୍ଟ କ୍ରିକେଟରେ ସବୁଠାରୁ କମ୍‌ ଇନିଂସରେ ୬୦୦୦ ରନ୍‌ ପୂରା କରିବା ରେକର୍ଡ ଅଷ୍ଟ୍ରେଲିଆର ମହାନ ବ୍ୟାଟସ୍‌ମ୍ୟାନ ଡନ୍‌ ବ୍ରାଡମ୍ୟାନଙ୍କ ନାଁରେ ଅଛି। ସେ ୬୮ ଇନିଂସରେ ୬୦୦୦ ରନ୍‌ ପୂରା କରିଥିଲେ। ତାଙ୍କ ବ୍ୟତୀତ ୧୦୦ଟି ଇନିଂସ ମଧ୍ୟରେ କୌଣସି ଖେଳାଳି ୬୦୦୦ ରନ୍‌ ପୂରଣ କରି ନାହାନ୍ତି। କୋହଲି ଟେଷ୍ଟ କ୍ରିକେଟରେ ଏପର୍ଯ୍ୟନ୍ତ ୭୦ ମ୍ୟାଚ୍‌ର ୧୧୯ ଇନିଂସରେ ୫୪.୬୧ ହାରରେ ୬୦୦୭ ରନ୍‌ ସଂଗ୍ରହ କରିଛନ୍ତି। ତାଙ୍କର ସର୍ବୋଚ୍ଚ ସ୍କୋର ହେଉଛି ୨୪୩ ରନ୍‌।

କୋହଲିଙ୍କ ୬୦୦୦ ରନ୍‌

୧୦୦୦ ରନ୍‌ ପାଇଁ ୨୭ ଇନିଂସ
୧୦୦୦-୨୦୦୦ ରନ୍‌ ପାଇଁ ୨୬ ଇନିଂସ
୨୦୦୦-୩୦୦୦ ରନ୍‌ ପାଇଁ ୨୦ ଇନିଂସ
୩୦୦୦-୪୦୦୦ ରନ୍‌ ପାଇଁ ୧୬ ଇନିଂସ
୪୦୦୦-୫୦୦୦ ରନ୍‌ ପାଇଁ ୧୬ ଇନିଂସ
୫୦୦୦-୬୦୦୦ ରନ୍‌ ପାଇଁ ୧୪ ଇନିଂସ

ସମ୍ବନ୍ଧିତ ଖବର