ଦ୍ୱିଶତକରେ ଡବଲ ହ୍ୟାଟ୍ରିକ୍‌ : ବିରଳ ବିରାଟ

ନୂଆଦିଲ୍ଲୀ : ପୁଣି ରେକର୍ଡ କରିଛନ୍ତି ରନ୍‌ ମେସିନ୍‌ ବିରାଟ କୋହଲି। ରବିବାର ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟେଷ୍ଟ୍‍ରେ ଦ୍ୱିଶତକ (୨୪୩) ଅର୍ଜନ କରିବା ସହ ଏକାଧିକ ବିରଳ କୃତିତ୍ୱର ଅଧିକାରୀ ହୋଇଛନ୍ତି। ଲଗାତାର ପାଳିରେ ଦ୍ୱିଶତକ କରିଥିବା କୋହଲି ୬ଟି ଦ୍ୱିଶତକ ଅର୍ଜନ କରିଥିବା ବିଶ୍ୱର ପ୍ରଥମ ଅଧିନାୟକ ପାଲଟିଛନ୍ତି। ସେ ବ୍ରାଏନ ଲାରାଙ୍କ ୫ ଦ୍ୱିଶତକ କୀର୍ତିମାନକୁ ପଛରେ ପକାଇଛନ୍ତି। ୧୯୩୨ରୁ ୨୦୧୫ ମସିହା ମଧ୍ୟରେ ଜଣେ ହେଲେ ଭାରତୀୟ ଅଧିନାୟକ ଏକାଧିକ ଦ୍ୱିଶତକ ମାରିନଥିଲେ।

ମନସୁର ଅଲୀ ଖାଁ ପଟୌଦୀ, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ସେମାନଙ୍କ ନେତୃତ୍ୱ ସମୟରେ ଥରେ ଲେଖାଏଁ ଦ୍ୱିଶତକ ହାସଲ କରିଛନ୍ତି। କୋହଲି କିନ୍ତୁ ଦେଢ଼ ବର୍ଷ ମଧ୍ୟରେ ନିଜର ସମସ୍ତ ୬ ଦ୍ୱିଶତକକୁ ଅଧିନାୟକ ଥିବା ସମୟରେ ହାସଲ କରିଛନ୍ତି। ୨୦୧୬ ଜୁଲାଇରେ ଆଣ୍ଟିଗାରେ ଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ୨୦୦ ରନ୍‌ ପରଠାରୁ ଏହି ଧାରା ଏବେ ଅଧଡଜନ ଛୁଇଁ ସାରିଛି।

ଲଗାତାର ଦ୍ୱିଶତକ ମାରିବାରେ କିନ୍ତୁ କୋହଲି ଟେଷ୍ଟ୍‍ କ୍ରିକେଟ୍‌ ଇତିହାସର ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି। ମାତ୍ର ୬ ଜଣ ଏଭଳି କରିଛନ୍ତି। ଭାରତରୁ ବିନୋଦ କାମ୍ବଲୀ ୧୯୯୩ରେ ଇଂଲଣ୍ଡ ଓ ଜିମ୍ବାେଓ୍ଵ ବିପକ୍ଷରେ ଏଭଳି ସଫଳତା ପାଇଥିଲେ। ଇଂଲଣ୍ଡର ଓ୍ଵାଲି ହାମଣ୍ଡ୍‌ ଏକମାତ୍ର ଖେଳାଳି ଭାବେ ଦୁଇ ଥର ଲଗାତାର ଦ୍ୱିଶତକ ଅର୍ଜନ କରିଛନ୍ତି।
ନିଜ ଟେଷ୍ଟ୍‍ ଜୀବନର ପ୍ରଥମ ୫ ବର୍ଷ କୋହଲି ଗୋଟିଏ ବି ଦ୍ୱିଶତକ ମାରିନଥିଲେ। ଏହି ୫ ବର୍ଷ ଭିତରେ ୪୧ ଟେଷ୍ଟ୍‍ ଓ ୭୨ ପାଳିରେ ସେ ୧୧ ଶତକ ହାସଲ କରିଥିଲେ ମଧ୍ୟ ସେଥିରେ ଦ୍ୱିଶତକ ନ ଥିଲା। ୨୦୧୬ ପରଠାରୁ ସେ ୨୨ ଟେଷ୍ଟ୍‍ ଓ ୩୩ ପାଳିରୁ ୯ ଶତକ, ୬ ଦ୍ୱିଶତକ ହାସଲ କରିଛନ୍ତି।

୨୯ ବର୍ଷୀୟ କୋହଲିଙ୍କ ମୋଟ ଦ୍ୱିଶତକ ଏବେ ତାଙ୍କୁ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହବାଗଙ୍କ ସମକକ୍ଷ କରାଇଛି। ଏହି ୩ ଜଣ ୬ ଲେଖାଏଁ ଦ୍ୱିଶତକ ମାରିଛନ୍ତି। ବିଶ୍ୱ କ୍ରିକେଟ୍‌ରେ କିନ୍ତୁ କୋହଲି ସର୍ବାଧିକ ଦ୍ୱିଶତକ ତାଲିକାର ଷଷ୍ଠ ସ୍ଥାନରେ ରହିଛନ୍ତି। ଡନ୍‌ ବ୍ରାଡ୍‌ମ୍ୟାନ୍‌ (୧୨), କୁମାର ସାଙ୍ଗାକାରା (୧୧), ବ୍ରାଏନ୍‌ ଲାରା (୯), ଓ୍ଵାଲି ହାମଣ୍ଡ୍‌ (୭), ମାହେଲା ଜୟବର୍ଧନେ (୭) ତାଙ୍କ ଉପରେ ଅଛନ୍ତି।

ଏକ ନିର୍ଦ୍ଦିଷ୍ଟ ଶୃଙ୍ଖଳାରେ ଏକାଧିକ ଦ୍ୱିଶତକ ମାରିବାରେ କୋହଲି ଦ୍ୱିତୀୟ ଭାରତୀୟ ହୋଇଛନ୍ତି। ୧୯୫୫-୫୬ରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳାରେ ବିନୁ ମଙ୍କଡ ଏକାଧିକ ଦ୍ୱିଶତକ ମାରିଥିଲେ। ଏ କ୍ଷେତ୍ରରେ ଅଧିନାୟକଙ୍କ ମଧ୍ୟରେ ଡନ୍‌ ବ୍ରାଡ୍‌ମ୍ୟାନ୍‌, ଗ୍ରେମ୍‌ ସ୍ମିଥ୍‌, ବ୍ରେଣ୍ଡନ୍‌ ମ୍ୟାକ୍‌ଲମ୍‌, ମାଇକେଲ୍‌ କ୍ଲାର୍କ (ଦୁଇଥର)ଙ୍କ ପରେ କୋହଲି ପଞ୍ଚମ ବ୍ୟାଟସମ୍ୟାନ୍‌। କିନ୍ତୁ ଦୁଇଟି ଅଲଗା ବର୍ଷରେ (୨୦୧୬ ଏବଂ ୨୦୧୭)ରେ ତିନୋଟି ଲେଖାଏଁ ଦ୍ୱିଶତକ ହାସଲ କରିବାରେ କୋହଲି ପ୍ରଥମ ଖେଳାଳି।

ନିଜ ଖେଳ ଜୀବନରେ ୧୪ ଥର ପୂର୍ବ ବ୍ୟକ୍ତିଗତ ଶ୍ରେଷ୍ଠ ସ୍କୋର୍‌କୁ ପଛରେ ପକାଇଲେଣି କୋହଲି। ଦିଲ୍ଲୀରେ ୨୪୩ ରନ୍‌ କରିବା ପୂର୍ବରୁ କୋହଲିଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଥିଲା ୨୩୫ ରନ୍‌ (ବନାମ ଇଂଲଣ୍ଡ, ଓ୍ଵାଙ୍ଖ୍‌ଡେ, ୨୦୧୬)। ପଦାର୍ପଣ ପାଳିରେ ୪ ରନ୍‌ରୁ ଅଭିଯାନ ଆରମ୍ଭ କରିଥିବା କୋହଲିଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଯଥାକ୍ରମେ ୪, ୧୫, ୨୭, ୫୨, ୬୩, ୭୫, ୧୧୬, ୧୧୯, ୧୪୧, ୧୬୯, ୨୦୦, ୨୧୧, ୨୩୫, ୨୪୩ରେ ପହଞ୍ଚିଛି। ବିଶ୍ୱର ଅନ୍ୟ କୋଣସି ବ୍ୟାଟସମ୍ୟାନ୍‌ ସେମାନଙ୍କ ଖେଳ ଜୀବନରେ ଏତେ ଥର ଶ୍ରେଷ୍ଠ ସ୍କୋର୍‌କୁ ପଛରେ ପକାଇ ନାହାନ୍ତି। ଦିଲ୍ଲୀପ ଭେଙ୍ଗସରକାର ୧୧ ଥର, ମୁସ୍ତାକ ଅହମ୍ମଦ, ଡାମିଏନ୍‌ ମାର୍ଟିନ, ଜ୍ୟାକ୍‌ କାଲିସ୍‌, କୁମାର ସାଙ୍ଗାକାରା ୧୦ ଥର ଲେଖାଏଁ ନିଜ ଶ୍ରେଷ୍ଠ ସ୍କୋର ଟପିଥିଲେ।

ସମ୍ବନ୍ଧିତ ଖବର