କୋହଲି ବଡ଼ ପ୍ରତିଯୋଗିତା ଜିତିବା ଦରକାର: ଗାଙ୍ଗୁଲି

ହରଭଜନଙ୍କ ଅଭିନନ୍ଦନ ଟ୍ବିଟ୍‌ର ଜବାବ ଦେଲେ

ମୁମ୍ବାଇ : ଭାରତୀୟ କ୍ରିକେଟ୍ ଦଳକୁ ଘରୋଇ ପରିବେଶରେ ହରାଇବା ଅତ୍ୟନ୍ତ କଷ୍ଟକର। ଷ୍ଟିଭ୍ ଓ’ ଏବଂ ରିକି ପଣ୍ଟିଂଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆ ଭଳି କୋହଲି ବାହିନୀ ମଧ୍ୟ ଘରୋଇ ପରିବେଶରେ ଅଭେଦ୍ୟ ଓ ଅପରାଜେୟ। ହେଲେ ଅଷ୍ଟ୍ରେଲିଆର ବିଦେଶ ବିଜୟଠାରୁ ସାଂପ୍ରତିକ ଭାରତୀୟ ଦଳ ବହୁ ଦୂରରେ ରହିଛି। ବିସିସିଆଇର ନୂଆ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ଏକଥା ହୃଦୟଙ୍ଗମ କରିଛନ୍ତି। ସେଥିପାଇଁ ସେ କହିଛନ୍ତି ଯେ ଏବେକାର ଭାରତ ଏକ ବହୁତ ଭଲ ଦଳ। ମୁଁ କେବଳ ଗୋଟିଏ କଥା କହିବି, ସେମାନଙ୍କୁ ଏବେ ବଡ଼ ପ୍ରତିଯୋଗିତା ଜିତିବାକୁ ହେବ। ମୁଁ ଏକଥା କହୁନି ଯେ ସେମାନଙ୍କୁ ସବୁଥର ଜିତିବାକୁ ହେବ। ଏହା ସମ୍ଭବ ମଧ୍ୟ ନୁହଁ। ହେଲେ ଆମେ ସାତଟି ପ୍ରତିଯୋଗିତା ଖେଳି ସାରିଲେଣି, କୌଣସି ଥିରେ ବିଜେତା ହୋଇ ପାରିନେ। ଧୋନିଙ୍କ ବିଶ୍ବକପ୍ ବିଜୟୀ ଦଳ ସହ କୋହଲିଙ୍କ ଦଳକୁ ତୁଳନା କରି ଗାଙ୍ଗୁଲି କହିଛନ୍ତି ଯେ ସେମାନେ ତୁଳନାତ୍ମକ ଭାବେ ବହୁତ ଭଲ ଦଳ। ‌ମାନସିକ ଭାବେ କିନ୍ତୁ‌ ସେମାନଙ୍କୁ ଆହୁରି ଦୃଢ଼ ହେବାକୁ ହେବ। ଆମ ପିଲାଙ୍କ ପାଖରେ ଢେର ପ୍ରତିଭା ଅଛି, ଅନ୍ୟଥା ସେମାନେ ଚଳିତ ବର୍ଷ ଏତେ ଭଲ ଖେଳି ପାରି ନଥାଆନ୍ତେ କି ବିଶ୍ବକପର ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇ ପାରି ନଥାଆନ୍ତେ।

ହରଭଜନଙ୍କ ଅଭିନନ୍ଦନ ଟ୍ବିଟ୍‌ର ଜବାବ ଦେଲେ

କୋଲ୍‌କାତା : ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ପରେ ଅଫ୍‌ ସ୍ପିନର ହରଭଜନ ସିଂହ ଟ୍ବିଟ୍‌ କରି ଅଭିନନ୍ଦନ ଜଣାଇଥିଲେ। ଏହି ଟ୍ବିଟ୍‌ର ଜବାବ ରଖି ଗାଙ୍ଗୁଲି ତାଙ୍କର ଏହି ପୂର୍ବତନ ଦଳୀୟ ସାଥୀ ଭଜିଙ୍କୁ ଧନ୍ୟବାଦ ଦେବା ସହ ତାଙ୍କର ସମର୍ଥନ ମାଗିଥିଲେ। ଗାଙ୍ଗୁଲି ଭାରତୀୟ ଦଳର ଅଧିନାୟକ ଥିଲା ବେଳେ ଭଜି ତାଙ୍କ ନେତୃତ୍ବରେ ଖେଳିଥିଲେ। ଏହି ସମୟରେ ଭଜି ବହୁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଚମତ୍କାର ବୋଲିଂ କରିଥିଲେ ଏବଂ ଭାରତକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏହି ପୁରୁଣା କଥାକୁ ମନେ ପକାଇ ଇଡେନ୍‌ ଗାର୍ଡେନ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ବିଜୟ ପରେ ହରଭଜନଙ୍କ ସହ କୋଳାକୋଳିର ଏକ ଫଟୋକୁ ପୋଷ୍ଟ କରି ଗାଙ୍ଗୁଲି ଟ୍ବିଟ୍‌ର ଜବାବ ରଖିଥିଲେ। ଏଥିରେ ସେ ଶିରୋନାମା ରଖିଥିଲେ, ‘ଧନ୍ୟବାଦ ଭଜୁ, ଆପଣଙ୍କଠୁ ସେହିଭଳି ସମର୍ଥନ ଚାହୁଁଛି, ଯେପରି ଏକାକି ତୁମେ ଗୋଟିଏ ପଟେ ଶ୍ରେଷ୍ଠ ବୋଲିଂ ଦେଇ ଭାରତକୁ ବିଜୟୀ କରିଥିଲ…।’

ସମ୍ବନ୍ଧିତ ଖବର