ବାବା ବେଶରେ ସେହବାଗ

ନୂଆଦିଲ୍ଲୀ: ଅବସର ନେବା ପରଠାରୁ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହବାଗ ସାମାଜିକ ଗଣମାଧ୍ୟମରେ ବେଶ୍ ସକ୍ରୀୟ ରହି ଆସିଛନ୍ତି। ସେହବାଗ ଅନେକ ସମୟରେ ନିଜ ଟ୍ବିଟର ଓ ଇନଷ୍ଟାଗ୍ରାମ ପୃଷ୍ଠାରେ ନୂଆ ନୂଆ ଫଟୋ ଏବଂ କୌତୁକିଆ ସମ୍ବାଦ ପ୍ରକାଶ କରି ନିଜ ପ୍ରଶଂସକଙ୍କର ମନୋରଞ୍ଜନ କରନ୍ତି। ‘ମୁଲତାନର ସୁଲତାନ’ ଭାବେ ବିଖ୍ୟାତ ସେହବାଗ ସୋମବାର ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଥିବା ଫଟୋ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସୁଛି। ଏଥିରେ ସେ ନାରଙ୍ଗୀ ରଙ୍ଗର କୁର୍ତା ଓ ଘିଅ ରଙ୍ଗର ଧୋତି ପିନ୍ଧିଥିବା ଦେଖିବାକୁ ମିଳୁଛନ୍ତି। ଫଟୋ ପ୍ରକାଶ କରି ସେହବାଗ ଲେଖିଛନ୍ତି ଯେ ଭୋଳାନାଥଙ୍କ ଭକ୍ତ, ହନୁମାନଙ୍କ ଚେଲା, ଆମେ ଏକୁଟିଆ ସବୁ କିଛି ଜିତି ନେବୁ। ପ୍ରଶଂସକମାନେ ଏହି ଫଟୋକୁ ନେଇ ଲଗାତାର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି ଯେ ବାବା ଜୀ ତୁମର ଜୟ। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି ‘ଆପଣ ତ ଗୁରୁଜୀ, ବହୁତ ଭଲ ଫେସନ’। ସେହବାଗଙ୍କ ଏହି ଫଟୋକୁ ଏକ ଘଣ୍ଟାରେ ଏକ ଲକ୍ଷରୁ ଅଧିକ ଲାଇକ୍ ମିଳିଛି। ୪୦ ବର୍ଷୀୟ ସେହବାଗ ନିଜ ସମୟରେ ଜଣେ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ ଥିଲେ। ସେ ୧୦୪ ଟେଷ୍ଟ୍‌ ଖେଳି ୮୫୮୬ ଓ ୨୫୧ ଦିନିକିଆରୁ ୮୨୭୩ ରନ୍ କରିଛନ୍ତି।

ସମ୍ବନ୍ଧିତ ଖବର