ପାକିସ୍ତାନ ଖେଳାଳିଙ୍କୁ ଭିସା ମିଳିଲା

କରାଚି: ଭୁବନେଶ୍ବର ହକି ବିଶ୍ବକପ୍‌ରେ ପାକିସ୍ତାନର ଅଂଶଗ୍ରହଣ ନେଇ ସୃଷ୍ଟି ହୋଇଥିବା ସମସ୍ତ ସଂଶୟ ଶନିବାର ଦୂର ହୋଇଛି। ଋଣବୋଝ ଦଳରେ ଦବି ରହିଥିବା ବିଶ୍ବକପ୍‌ର ସଫଳତମ ଦଳକୁ ନୂଆ ପ୍ରାୟୋଜକ ମିଳିଛି। ସେହିଭଳି ପାକିସ୍ତାନ ଖେଳାଳିଙ୍କ ଆଗରେ ଥିବା ଭିସା ବାଧା ବି ଦୂର ହୋଇଛି। ଭାରତୀୟ ଦୂତାବାସ ପାକିସ୍ତାନ ହକି ଦଳର ଭାରତ ଗସ୍ତକୁ ସବୁଜ ସଂକେତ ଦେଇଛି। ଏହି ଦଳର ଖେଳାଳିଙ୍କ ଭିସା ଆବେଦନକୁ ଆଜି ଦୂତାବାସ ମଞ୍ଜୁର କରିଛି। ଭୁବନେଶ୍ବର ଗସ୍ତ ଲାଗି ପାକିସ୍ତାନ ହକି ଦଳର ନୂଆ ପ୍ରାୟୋଜକ ଆଗୁଆ ୯୦ ଲକ୍ଷ ଟଙ୍କା ଦେଇଛି। ଆମର ଅନେକ ସମସ୍ୟା ଦୂର ହୋଇଯାଇଛି। ହେଲେ ନୂଆ ପ୍ରଶିକ୍ଷକ ତୌକିର ଦାର ଓ ସହକାରୀ ପ୍ରଶିକ୍ଷକ ଦାନିଶ କଲିମଙ୍କୁ ଏବେ ବି ଭାରତୀୟ ଭିସା ମିଳିନାହିଁ। ଏହି ଦୁଇ ଜଣଙ୍କ ଭିସା ଆବେଦନ ବିଳମ୍ବରେ କରାଯାଇଥିଲା। ସେମାନଙ୍କୁ ଖୁବଶୀଘ୍ର ଭିସା ମିଳିଯିବ ବୋଲି ଭାରତୀୟ ଦୂତାବାସ ପ୍ରତିଶ୍ରୁତି ଦେଇଥିବା ପାକିସ୍ତାନ ହକି ମହାସଂଘ ସଂପାଦକ ଶାହାବାଜ ଅହମ୍ମଦ କହିଛନ୍ତି। ଦୁଇବର୍ଷ ତଳେ ପାକିସ୍ତାନ କନିଷ୍ଠ ହକି ଦଳକୁ ଭାରତ ଭିସା ଦେବାକୁ ମନା କରିଦେଇଥିଲା। ଫଳରେ ଏହି ଦଳ ଭାରତରେ ଆୟୋଜିତ କନିଷ୍ଠ ବିଶ୍ବକପ୍‌ରେ ଅଂଶଗ୍ରହଣ କରି ପାରି ନଥିଲା। ଏଥର କିନ୍ତୁ ଏଭଳି ଆଶଙ୍କା ଦୂର ହୋଇଥିବାରୁ ଅହମ୍ମଦ ଖୁସି ଜାହିର କରିଛନ୍ତି। ପାକିସ୍ତାନ ହକି ଦଳ ଦୁଇବର୍ଷ ତଳେ କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ୍ ଚାମ୍ପିଅନ୍ସ ଟ୍ରଫି ହକି ଖେଳିଥିଲା। ସେହି ୮ ଦଳୀୟ ପ୍ରତିଯୋଗିତାରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲରେ ଅବଶ୍ୟ ହାରି ଯାଇଥିଲା। ତେବେ ଭାରତ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ଖେଳାଳିଙ୍କ ଆଶାଳୀନ ବ୍ୟବହାର ପାଇଁ ବିବାଦ ଦେଖା ଦେଇଥିଲା। ଦଳର ଜଣେ ଖେଳାଳି ବାସନ୍ଦ ହେବା ସହ ଅନ୍ୟଦୁଇ ଜଣଙ୍କୁ ଏଫଆଇଏଚ୍ ଅର୍ଥଦଣ୍ଡ ଦେଇଥିଲା।

ସମ୍ବନ୍ଧିତ ଖବର