କ୍ୟାଚ୍‌ କାବୁରେ ଉନ୍ନତି ଆବଶ୍ୟକ

ଭିଭିଏସ୍‌ ଲକ୍ଷ୍ମଣ

ଭାରତୀୟ ଶିବିର ଯେଭଳି ଆଶା କରୁଥିଲା ଶ୍ରୀଲଙ୍କା ଶେଷରେ ପ୍ରତିରୋଧ କଲା। କୋଟ୍‌ଲା ଟେଷ୍ଟ୍‍ର ଶେଷ ଦିନ ସେମାନେ ଚମତ୍କାର ବ୍ୟାଟିଂ କଲେ ଏବଂ ଏକାଧିକ କାରଣ ପାଇଁ ଶୃଙ୍ଖଳାକୁ ସ୍ମରଣୀୟ ରଖିଲେ। ଶ୍ରୀଲଙ୍କା କିନ୍ତୁ ଗୋଟିଏ କାରଣ ପାଇଁ ଉତ୍ସାହିତ ଥିବ ଯେ, ପ୍ରତିଷ୍ଠିତ ଖେଳାଳିଙ୍କ ପାଇଁ ନୁହେଁ ଯୁବ ଖେଳାଳି ମାନେ ଶୀର୍ଷସ୍ତରୀୟ ପ୍ରଦର୍ଶନ ପାଇଁ ସେମାନଙ୍କ ପାଦଚିହ୍ନ ଛାଡ଼ିଗଲେ। ଦୀନେଶ ଚାନ୍ଦିମାଳ ଶ୍ରୀଲଙ୍କା ପାଇଁ ଏହି ଗସ୍ତର ସବୁଠୁ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ଏବଂ ଆଞ୍ଜେଲୋ ମାଥ୍ୟୁସ ସବୁଠୁ ଅଭିଜ୍ଞ ଖେଳାଳି। ଏହି ପୃଷ୍ଠଭୂମୀରେ ଧନଞ୍ଜୟ ଡି’ ସିଲଭା ଓ ପଦାର୍ପଣକାରୀ ରୋଶନ ସିଲ୍‌ଭା ଦାୟିତ୍ୱ ନେଇ ଯେଭଳି ଚରିତ୍ର ଓ ପ୍ରୟୋଗାତ୍ମକ ବ୍ୟାଟିଂ ବଳରେ ମ୍ୟାଚ୍‌ ବଞ୍ଚାଇଲେ ହୃଦୟସ୍ପର୍ଶୀ ଥିଲା। ଫ୍ଲାଟ୍‌ ପିଚ୍‌ରେ ଅବଶ୍ୟ ସେମାନେ ନିଜର ସ୍ୱାଭାବିକ ଖେଳ ଖେଳିଥିଲେ। ଭବିଷ୍ୟତରେ ସେମାନେ ନିଶ୍ଚିତ ଆଗକୁ ବଢ଼ିବେ। କିନ୍ତୁ ଶ୍ରୀଲଙ୍କାକୁ ମ୍ୟାଚ୍‌ ବଞ୍ଚାଇବା ଅପେକ୍ଷା ଜିତିବା ଲାଗି ଓ୍ଵିକେଟ୍‌ ଦଖଲ ବିକଳ୍ପ ଖୋଜିବାର ଆବଶ୍ୟକତା ରହିଛି।

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତ ଯାହା ଆଶା କରୁଥିଲା ଏହି ଶୃଙ୍ଖଳାରୁ ପାଇଛି। ଘାସୁଅ ଓ ବାଉନସି ପିଚ୍‌ରେ ୩ ଟେଷ୍ଟ୍‍ ଖେଳିବାର ସୁଯୋଗ ମିଳିଗଲା। କୋଲ୍‌କାତା ପିଚ୍‌ ପୁନଃସ୍ଥାପିତ ପରଠାରୁ ଦ୍ରୁତ ବୋଲରଙ୍କୁ ସୁହାଉଛି। କିନ୍ତୁ ଅନ୍ୟ ଦୁଇଟିକୁ ନିଜ ପସନ୍ଦ ମୁତାବକ କରାଯାଇଥିଲା। ବ୍ୟାଟିଂରେ ଅଜିଙ୍କ୍ୟ ରାହାଣେଙ୍କୁ ଛାଡ଼ିଦେଲେ ସମସ୍ତେ ରନ୍‌ କରିଥିଲେ। ଅଧିନାୟକ ବିରାଟ କୋହଲି ୬୦୦ରୁ ଊର୍ଧ୍ୱ ରନ୍‌ କରିବା ଏକ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ସବୁଠାରୁ ଉଲ୍ଲେଖନୀୟ ଥିଲା। ମୋ ପାଇଁ କିନ୍ତୁ ମୁରଲୀ ବିଜୟ ଏବଂ ରୋହିତ ଶର୍ମାଙ୍କ ପ୍ରଦର୍ଶନ ମୁଖ୍ୟ ଥିଲା। ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ଫର୍ମରେ ଥିବା ମୁରଲୀ ବିଜୟଙ୍କୁ ଚାହୁଁଥିଲା। ୮ ମାସ ପରେ ଟେଷ୍ଟ୍‍ କ୍ରିକେଟ୍‌କୁ ଫେରି ଲଗାତାର ଶତକ ମାରିଥିଲେ। ସେହିଭଳି ଟେଷ୍ଟ୍‍ କ୍ରିକେଟ୍‌ଠାରୁ ଦୂରେଇ ରହିଥିବା ରୋହିତ ଶର୍ମା ଆହ୍ଵାନଭରା ଶୃଙ୍ଖଳା ପୂର୍ବରୁ ସ୍ଥିର ପ୍ରଦର୍ଶନ ଦେବା ମଧ୍ୟ ଭଲ କଥା। ବୋଲିଂ ବିଭାଗରେ ମହମ୍ମଦ ସାମି ଏବଂ ଈଶାନ୍ତ ଶର୍ମା ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ସେମାନେ କଠିନ ପରିଶ୍ରମ କରିଥିଲେ ଏବଂ ନିଜ କଚଟିକୁ ବ୍ୟବହାର କରି ଫୁଲର୍‌ ଲେନ୍‌ଥର ବୋଲିଂ କରିଥିଲେ। ଅଶ୍ୱିନ୍‌ ଓ ଜାଦେଜା କିନ୍ତୁ କୋଟଲା ପିଚ୍‌ରେ ଶାଣିତ ନଥିଲେ। ଶେଷ ଦିନ ପିଚ୍‌ରେ ଶ୍ରୀଲଙ୍କାକୁ ଆଉଟ୍‌ କରି ପାରିନଥିବାରୁ ଏହି ଦୁଇ ବୋଲରଙ୍କ ଦକ୍ଷତାକୁ ନେଇ ଚର୍ଚା ହେବ ବୋଲି ମୁଁ ଜାଣିଛି। କିନ୍ତୁ ଶ୍ରୀଲଙ୍କା ଖେଳାଳିଙ୍କୁ ବି ପ୍ରଶଂସାର ହକ୍‌ ମିଳିବା ଉଚିତ୍‌।

ଭାରତ ପାଇଁ ଗୋଟିଏ କ୍ଷେତ୍ରର ଦୁର୍ବଳତା ପଦାରେ ପଡ଼ିଥିଲା। ପାଖ କ୍ୟାଚ୍‌ କାବୁ କରିବାର ଦୁର୍ବଳତାକୁ ଦୂର କରିବାର ଆବଶ୍ୟକତା ଅନୁଭବ ହୋଇଛି। ଯେଉଁ ଦଳ ଶାରୀରିକ ସକ୍ଷମତା ଓ ପଡ଼ିଆ କ୍ଷେତ୍ରରକ୍ଷଣ ନେଇ ଗର୍ବିତ ସେମାନଙ୍କଠାରୁ ସ୍ଲିପ୍‌ କ୍ୟାଚିଂ ଦୁର୍ବଳତା ଆଶା କରାଯାଏ ନାହିଁ। ସ୍ଲିପ୍‌ରେ କେଉଁମାନେ ରହିବେ ଏହାକୁ ଚିହ୍ନଟ କରି ସେମାନଙ୍କୁ ନିୟମିତ ସେଠାରେ ରଖାଗଲେ ଉନ୍ନତି ହେବ। ଶ୍ରେଷ୍ଠ ମାନେ ବି କ୍ୟାଚ୍‌ ଛାଡ଼ି ପାରନ୍ତି, କିନ୍ତୁ ସେମାନଙ୍କୁ ସେଠାରୁ ତୁରନ୍ତ ହଟାଯିବା ଉଚିତ୍‌ ନୁହେଁ। ବିଦେଶ ଗସ୍ତରେ ସ୍ଲିପ୍‌ କ୍ୟାଚିଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେବ। ଭାରତକୁ ଏକ ନମ୍ବର ରହିବାକୁ ହେଲେ ପ୍ରତିପକ୍ଷର ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ଙ୍କୁ ଦ୍ୱିତୀୟ ସୁଯୋଗ ଦେବା ଗ୍ରହଣୀୟ ହେବ ନାହିଁ। (ଗେମ୍‌ପ୍ଳାନ୍‌)।

ସମ୍ବନ୍ଧିତ ଖବର