ଚେନ୍ନାଇ ବିଜୟ ପରେ ଆତ୍ମବିଶ୍ବାସ ଢେର ବଢ଼ିଛି

ଭିଭିଏସ୍ ଲକ୍ଷ୍ମଣ

ଦଳଗତ ଭାବେ ଆପଣ ଯେତେ କୁଶଳୀ ହେଲେ ମଧ୍ୟ, ଲଗାତାର ତିନିଟି ମ୍ୟାଚ୍ ହାରିବା ପରେ ବ୍ୟକ୍ତିଗତ ଦକ୍ଷତା ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ଏଥିନେଇ ସୃଷ୍ଟି ହେଉଥିବା ଆତ୍ମସନ୍ଦେହକୁ ଦୂରେଇ ରଖିବା ବି ଅତ୍ୟନ୍ତ କଷ୍ଟକର। ତା’ ସତ୍ତ୍ବେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚ୍ ପୂର୍ବ ସଂଧ୍ୟାରେ ହାଇଦ୍ରାବାଦ ସନରାଇଜର୍ସ ଶିବିରରେ ଥିବା ସକାରାତ୍ମକ ଶିହରଣ ଏବଂ ନୀରବତା ମୋତେ ବେଶ୍ ପ୍ରଭାବିତ କରିଥିଲା। ଫଳାଫଳ ଅପେକ୍ଷା ପ୍ରକ୍ରିୟା ଉପରେ ଅଧିକ ଧ୍ୟାନ ଦେବାକୁ ପ୍ରଶିକ୍ଷକ ଟମ୍ ମୁଡି ଓ ଅଧିନାୟକ କେନ୍ ୱିଲିୟମସନ୍ ଖେଳାଳିମାନଙ୍କୁ ଆହ୍ବାନ କରିଥିଲେ। ଏହି ବାର୍ତାକୁ ସମସ୍ତେ ହୃଦୟର ସହ ଗ୍ରହଣ କରିଥିଲେ ଏବଂ ଫଳାଫଳ ଅତି ଚମତ୍କାର ରହିଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ବିନା‌ ମଧ୍ୟ ଚେନ୍ନାଇ ସୁପରକିଙ୍ଗ୍ସ ନିଃସନ୍ଦେହରେ ବେଶ୍ ଶକ୍ତିଶାଳୀ। ବୁଧବାର ଲଢ଼େଇ ପୂର୍ବରୁ ଆମ ବିପକ୍ଷରେ ସେମାନଙ୍କ ଜୟ ପରାଜୟ କୀର୍ତ୍ତିମାନ ଏକତରଫା ଭାବେ ୮-୨ ଥିଲା। ସେନ୍ ୱାଟସନ୍ ଏବଂ ଫାଫ୍ ଡୁ’ ପ୍ଲେସିସ୍ ଯେମିତି ଭାବେ ବିସ୍ଫୋରକ ଆରମ୍ଭ କରିଥିଲେ, ତାହା ମଧ୍ୟ ଆମ ପାଇଁ ଅମଙ୍ଗଳକାରକ ଥିଲା। ରଣନୀତି ସମୟ ବିରତି ବେଳେ ୱିଲିୟମସନଙ୍କ ଉପରେ କିନ୍ତୁ କୌଣସି ଚାପ ନଥିଲା। ସେ ସ୍ଥିର ନିଶ୍ଚିତ ଥିଲେ ଯେ ଦୁଇ ତିନିଟି ଭଲ ଓଭର ପରେ ୱିକେଟ୍ ମିଳିବ। ଆଉ ଠିକ୍ ସେହିଭଳି ଘଟିଥିଲା, ନିୟମିତ ବ୍ୟବଧାନରେ ୱିକେଟ୍ ପତନ ସହ ଧୋନିଙ୍କ ଅନୁପସ୍ଥିତି ପାଇଁ ଚେନ୍ନାଇ ଦୃଢ଼ ମୂଳଦୁଆରୁ କୌଣସି ଲାଭ ଉଠାଇ ପାରି ନଥିଲା। ରସିଦ ଖାନ୍‌ଙ୍କ ନେତୃତ୍ବରେ ଆମ ବୋଲିଂ ବାହିନୀ ବହୁତ ଭଲ ପ୍ରଦର୍ଶନ କଲା। ବିରତି ବେଳେ ମୁଁ ବି ଜାଣିଥିଲି ଯେ ଚେନ୍ନାଇ ଯେତିକି ରନ୍ ଆଶା କରିଥିଲା, ତାଠାରୁ ୩୫ରୁ ୪୦ କମ୍ କରିଥିଲା। ଡେଭିଡ୍ ୱାର୍ନର ଓ ଜନି ବେୟାରଷ୍ଟୋ ପୁଣି ଥରେ ଆମକୁ ଦ୍ରୁତ ଆରମ୍ଭ ଦେଇଥିଲେ। ଡେଭିଡ୍‌ଙ୍କ ପତନ ପରେ ବେୟାରଷ୍ଟୋ ପରିପକ୍ବତା ଦେଖାଇ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥି‌ଲେ। ଇମ୍ରାନ ତାହିରଙ୍କୁ ସେ ଅତି ଚତୁରତାର ସହ ପ୍ରତିହତ କରିଥିଲେ। ତାହିର ଅବଶ୍ୟ ଚମତ୍କାର ବୋଲିଂ କରିଥି‌ଲେ। କୁହାଯାଏ ଟ୍ବେଣ୍ଟି-୨୦ ଯୁବକଙ୍କ ଖେଳ। ବୟସ୍କ ତାହିରଙ୍କ ନିକଟରେ ଏବେ ବି ସେହି ଚପତଳା ଓ ଉତ୍ସାହ ଭରି ରହିଛି। ୨୦୦୯ କାଉଣ୍ଟି ଋତୁରେ ମୁଁ ଲାଙ୍କାସାୟାର ଓ ସେ ହାମ୍ପସାୟାର ପାଇଁ କାଉଣ୍ଟି ଖେଳୁଥିଲା ବେଳେ ତାଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇଥିଲି। ଏଣୁ‌ ଜୋର ଦେଇ କହିପାରିବି ଯେ ବୟସ କେବଳ ମାତ୍ର ଏକ ସଂଖ୍ୟା ବୋଲି ତାହିର ପ୍ରମାଣିତ କରିଛନ୍ତି। ମୋ ମତରେ ସେ ଉଭୟ ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କ ପାଇଁ ପ୍ରେରଣାର ଉତ୍ସ।

ସମ୍ବନ୍ଧିତ ଖବର