ଆସନ୍ତା ଅଲିମ୍ପିକ୍ସରେ ଦେଖିବାକୁ ମିଳିବେ ନାହିଁ ଋଷିଆର ଖେଳାଳି, କାରଣ ଜାଣନ୍ତୁ

ମଣ୍ଟ୍ରିଲ (କାନାଡା) : ବିଶ୍ୱ ଡୋପିଂ ନିରୋଧୀ ସଂଗଠନ ଓ୍ଵାଡା ୪ ବର୍ଷ ପାଇଁ ଋଷିଆ ଉପରେ ନିଷେଧାଜ୍ଞା ଲଗାଇଛି । ଏହା ଫଳରେ ଆସନ୍ତା ୪ ବର୍ଷ ପର୍ଯ୍ୟନ୍ତ ଋଷିଆ କୌଣସି ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଭାଗନେଇପାରିବ ନାହିଁ । ଏପରିକି ଅଲିମ୍ପିକ୍ସ, ବିଶ୍ୱ ଆଥଲେଟ, ବିଶ୍ୱକପ ଫୁଟବଲରେ ମଧ୍ୟ ଋଷିଆର ଜାତୀୟ ପତାକା ଦେଖିବାକୁ ମିଳିବ ନାହିଁ ।

ଋଷିଆର ଆଣ୍ଟି ଡୋପିଂ ଏଜେନ୍ସି ଦ୍ୱାରା ପରୀକ୍ଷା ତଥ୍ୟକୁ ବଦଳାଯାଉଥିବା ଅଭିଯୋଗ ପ୍ରମାଣିତ ହେବା ପରେ ଓ୍ଵାଡା ଏହି ପଦକ୍ଷେପ ନେଇଛି । ଓ୍ଵାଡା କାର୍ଯ୍ୟନିର୍ବାହୀ କମିଟି ପକ୍ଷରୁ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ସ୍ୱିଜରଲାଣ୍ଡର ଲୁଇସାନଠାରେ ଅନୁଷ୍ଠିତ ଏକ ବୈଠକରେ ୧୨ ସଦସ୍ୟ ବିଶିଷ୍ଟ କାର୍ଯ୍ୟନିର୍ବାହୀ କମିଟି ଇଣ୍ଡିପେଣ୍ଡେନ୍ସ କମ୍ପ୍ଲିଆନ୍ସ ରିଭ୍ୟୁ କମିଟି ( ସିଆରସି)ର ସୁପାରିଶକୁ ଗ୍ରହଣ କରିଥିଲା ।

ଗତ ୨୦୧୫ରୁ ଋଷିଆର ଖେଳାଳିମାନେ ଡୋପିଂ (ବେଆଇନ ଶକ୍ତିବର୍ଦ୍ଧକ ଔଷଧ) ସେବନ ବିବାଦରେ ଫସିରହିଛନ୍ତି । ଏପରିକି ଋଷୀୟ ଖେଳାଳିମାନଙ୍କ ଉପରେ ନଜର ରଖିବା ଦାୟିତ୍ୱରେ ଥିବା ସଂସ୍ଥା  ଖେଳାଳିମାନଙ୍କ ପରୀକ୍ଷା ରିପୋର୍ଟରେ ହସ୍ତକ୍ଷେପ କରୁଥିବା ନଜରକୁ ଆସିବା ପରେ ସ୍ଥିତିକୁ ଗୁରୁତ୍ୱର ସହ ନେଇଥିଲା ଓ୍ଵାଡା ।

ସମ୍ବନ୍ଧିତ ଖବର