ଲୋଧା ସୁପାରିସକୁ ବେଖାତିର, ଅକାମି ହେବ କୁଲିଂ ଅଫ୍ ପିରିୟଡ୍ ନିୟମ

ସମ୍ବିଧାନ ସଂଶୋଧନକୁ ଏଜିଏମ୍‌ରେ ସ୍ବୀକୃତି

ମୁମ୍ବାଇ: ଭାରତୀୟ କ୍ରିକେଟ୍‌କୁ ଦୁର୍ନୀତିମୁକ୍ତ , ସ୍ବଚ୍ଛ ଏବଂ ଅଧିକ ଉତ୍ତରଦାୟୀ କରିବା ଲାଗି ଲୋଧା ସମିତି ଦେଇଥିବା ସୁପାରିସ୍‌ ମୁତାବକ ବିସିସିଆଇର ନୂଆ ସମ୍ବିଧାନ ପ୍ରଣୟନ ହୋଇଥିଲା। ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦେଶ ଏବଂ ତୀକ୍ଷ୍ଣ ନଜର ତଳେ ହିଁ ବିସିସିଆଇ ପୁରୁଣା ସମ୍ବିଧାନରେ ଅନେକ ନୂଆ ଧାରାକୁ ସାମିଲ କରାଯାଇଥିଲା। ହେଲେ ମାସ କେଇଟା ଭିତରେ ଏଥିରେ ଅଦଳ ବଦଳ କରିବାକୁ ବିଶ୍ବ କ୍ରିକେଟ୍‌ର ଏହି ସବୁଠାରୁ ଧନୀ କ୍ରିକେଟ୍ ସଂଘ ନୀତିଗତ ନିଷ୍ପତ୍ତି ନେଇଛି। ପ୍ରଶାସନିକ ସମିତି (ସିଓଏ)ର ବିବାଦୀୟ ୩୩ ମାସିଆ କାର୍ଯ୍ୟକାଳ ପରେ ନୂଆ କର୍ମକର୍ତାଙ୍କୁ ନେଇ ରବିବାର ବସିଥିବା ବୋର୍ଡର ପ୍ରଥମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍)ରେ ଲୋଧା ସମିତି ଦେଇଥିବା କେତେକ ବହୁ ଚର୍ଚିତ ସୁପାରିସକୁ ଅଦଳ ବଦଳ କରିବାକୁ ସହମତି ହୋଇଛି। ବୈଠକରେ ସର୍ବସମ୍ମତିକ୍ରମେ କର୍ମକର୍ତାଙ୍କ କାର୍ଯ୍ୟକାଳକୁ ନେଇ ଥିବା କୁଲିଂ ଅଫ୍ ପିରିୟଡ୍‌ ନିୟମକୁ ସଂଶୋଧନ କରାଯାଇଛି। ପ୍ରସ୍ତାବିତ ସଂଶୋଧନକୁ ଉଚ୍ଚତମ ନ୍ୟାୟାଳୟଙ୍କୁ ପଠାଇ ଆବଶ୍ୟକ ପରିବର୍ତନ କରିବାକୁ ଯୋଜନା ହୋଇଛି। ଏଜିଏମ୍ ସ୍ବୀକୃତି ଦେଇଥିଲେ ମଧ୍ୟ ଉଚ୍ଚତମ ନ୍ୟାୟାଳୟଙ୍କ ମଞ୍ଜୁରି ନମିଳିଲେ ଅବଶ୍ୟ ଏହି ନିୟମ ବଦଳି ପାରିବ ନାହିଁ।

୨୦୨୪ ପର୍ଯ୍ୟନ୍ତ ଚାଲିପାରେ ‘ଦାଦାଗିରି’
ଉଚ୍ଚତମ ନ୍ୟାୟାଳୟଙ୍କ ମଞ୍ଜୁରିକୁ ଅପେକ୍ଷା

ବିସିସିଆଇର ଏବେକାର ସମ୍ବିଧାନ ଅନୁସାରେ କୌଣସି କର୍ମକର୍ତା ରାଜ୍ୟ ଏବଂ ବିସିସିଆଇକୁ ମିଶାଇ ଲଗାତାର ଦୁଇଟି ତିନି ବର୍ଷୀୟା କାର୍ଯ୍ୟକାଳ ଶେଷ କରିଥିଲେ, ତାଙ୍କୁ ବାଧ୍ୟତାମୂଳକ ଭାବେ ୩ ବର୍ଷର କୁଲିଂ ଅଫ୍ ପିରିୟଡ୍‌ରେ ଯିବାକୁ ହେବ। ଅର୍ଥାତ୍ ଏହି ୩ ବର୍ଷ ଭିତରେ ସେ ଆଉ କୌଣସି ପଦ ପଦବି ପାଇଁ ନିର୍ବାଚନ ଲଢ଼ି ପାରିବେ ନାହିଁ। ସେହି ଅନୁସାରେ ଗତ ଅକ୍ଟୋବର ୨୩ରେ ବିସିସିଆଇର ନୂଆ ସଭାପତି ହୋଇଥିବା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମାତ୍ର ୧୦ ମାସ ପର୍ଯ୍ୟନ୍ତ ଏହି ପଦରେ ରହି ପାରିବେ। କାରଣ ଏହା ପୂର୍ବରୁ ସେ ବେଙ୍ଗଲ କ୍ରିକେଟ୍ ସଂଘରେ ପାଞ୍ଚ ବର୍ଷ ଦୁଇ ମାସ ପାଇଁ କାର୍ଯ୍ୟ କରି ସାରିଥିଲେ। ହେଲେ କୁଲିଂ ଅଫ୍ ପିରିୟଡରେ ପରିବର୍ତନ କରାଗଲେ ଗାଙ୍ଗୁଲି ୨୦୨୪ ପର୍ଯ୍ୟନ୍ତ ବିସିସିଆଇର ସଭାପତି ପଦ ଅଳଙ୍କୃତ କରି ପାରିବେ। ସେଥିପାଇଁ ସଂପ୍ରତି ବିସିସିଆଇ ପରିଚାଳନା ଦାୟିତ୍ବରେ ଥିବା କର୍ମକର୍ତାମାନେ କୁଲିଂଅଫ୍ ପିରିୟଡ ପାଇଁ କେବଳ ବିସିସିଆଇ କାର୍ଯ୍ୟକାଳକୁ ହିସାବକୁ ନେବାକୁ ଚାହୁଁଛନ୍ତି। ଅର୍ଥାତ୍ ବିସିସିଆଇର ଲଗାତାର ଦୁଇଟି କାର୍ଯ୍ୟକାଳ (୬ ବର୍ଷ) ପରେ ଯାଇ କୌଣସି କର୍ମକର୍ତାଙ୍କ ଉପରେ କୁଲିଂ ଅଫ୍ ପିରିୟଡ୍ ନିୟମ ଲାଗୁ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଉଚ୍ଚତମ ନ୍ୟାୟାଳୟ ବିସିସିଆଇ ପ୍ରସ୍ତାବକୁ ଅନୁମତି ଦେଲେ ନୂଆ ସଂପାଦକ ଜୟ ଶାହା ମଧ୍ୟ ୨୦୨୪ ପର୍ଯ୍ୟନ୍ତ ନିଜ ପଦରେ ରହିପାରିବେ। ଗୁଜରାଟ କ୍ରିକେଟ୍ ସଂଘରେ ଢେର ସମୟ କାର୍ଯ୍ୟ କରି ସାରିଥିବାରୁ ବିସିସିଆଇ ସଂପାଦକ ପଦରେ ସେ ମଧ୍ୟ ମାତ୍ର କିଛି ମାସ ରହିପାରିବେ। ସମ୍ବିଧାନ ସଂଶୋଧନକୁ ସ୍ବୀକୃତି ସହ ରବିବାରର ଏଜିଏମରେ କ୍ରିକେଟ୍ ପରାମର୍ଶଦାତା ସମିତି (ସିଏସି) ନିଯୁକ୍ତିକୁ ବିଳମ୍ବିତ କରି ଦିଆଯାଇଛି। ମଙ୍ଗଳବାର ଏଥିନେଇ ଉଚ୍ଚତମ ନ୍ୟାୟାଳୟରେ ହେବାକୁ ଥିବା ଶୁଣାଣି ପରେ ହିଁ ସିଏସି ନିଯୁକ୍ତ କରାଯିବ ବୋଲି ଜଣେ କର୍ମକର୍ତା କହିଛନ୍ତି। ଦ୍ବୈତ ସ୍ବାର୍ଥ ଅଭିଯୋଗ ଆସିବା ପରେ ସିଏସି ବିବାଦୀୟ ହୋଇ ଯାଇଥିଲା। ସେଥିପାଇଁ ସମିତିର ତିନି ଜଣ ଯାକ ସଦସ୍ୟ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ। ବୋର୍ଡ ମଧ୍ୟ ଭବିଷ୍ୟତରେ ସମ୍ବିଧାନ ସଂଶୋଧନରୁ ଅଦାଲତଙ୍କୁ ଦୁରେଇ ରଖିବାକୁ ଚାହୁଁଛି। ଏଜିଏମରେ ତିନି ଚତୁର୍ଥାଂଶ ସଦସ୍ୟଙ୍କ ସମ୍ମତିରେ ସମ୍ବିଧାନ ସଂଶୋଧନ କରିହେବ ବୋଲି ବିସିସିଆଇ କହିଛି। ପ୍ରତି ସଂଶୋଧନ ପାଇଁ ଉଚ୍ଚତମ ନ୍ୟାୟାଳୟଙ୍କ ମଞ୍ଜୁରି ନେବା ସମ୍ଭବ ହେବ ନାହିଁ ବୋଲି କର୍ମକର୍ତାମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର