ଜୋକୋଭିକ୍‌, ଫେଡେରର୍‌ ଆଗେଇଲେ, ଓ୍ଵଜନିଆକି ବିଦା

ନ୍ୟୁୟର୍କ: ୟୁଏସ୍‌ ଓପନ୍‌ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତାରେ ସ୍ୱିଜରଲାଣ୍ଡ୍‌ର ରୋଜର ଫେଡେରର୍‌ ଏବଂ ସର୍ବିୟାର ନୋଭାକ୍‌ ଜୋକୋଭିକ୍‌ ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି। କିନ୍ତୁ ମହିଳା ବର୍ଗରେ ଦ୍ୱିତୀୟ ମାନ୍ୟତାପ୍ରାପ୍ତ କାରୋଲିନ୍‌ ଓ୍ଵଜନିଆକି ଦ୍ୱିତୀୟ ରାଉଣ୍ଡ୍‌ରୁ ବିଦାୟ ନେଇଛନ୍ତି। ପୁରୁଷ ଏକକରେ ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଦ୍ୱିତୀୟମାନ୍ୟତାପ୍ରାପ୍ତ ଫେଡେରେର୍‌ ଗୁରୁବାର ୭-୫, ୬-୪, ୬-୪ରେ ଫ୍ରାନ୍‌ସର ବେନୋଇତ୍‌ ପାଇରଙ୍କୁ ପରାସ୍ତ କରିଥିଲେ। ତୃତୀୟ ରାଉଣ୍ଡ୍‌ରେ ୩୭ ବର୍ଷୀୟ ଫେଡେରର୍‌ ଅଷ୍ଟ୍ରେଲିଆର ନିକ୍‌ କିର୍ଗିଜଙ୍କୁ ଭେଟିବେ। କିର୍ଗିଜ୍‌ ଅନ୍ୟ ଏକ ମ୍ୟାଚ୍‌ରେ ଫ୍ରାନ୍‌ସର ପିଏର ହ୍ୟୁଗ୍‌ସ ହର୍ବାଟଙ୍କୁ ପରାସ୍ତ କରିଥିଲେ। ମ୍ୟାଚ୍‌ ଶେଷ ହେବା ପରେ ଫେଡେରର୍‌ କହିଥିଲେ ମୁଁ ଏଭଳି ବିଜୟରେ ସନ୍ତୁଷ୍ଟ ନ ଥିଲେ ବି ଆଗକୁ ବଢ଼ିଥିବାରୁ ଖୁସୀ। ବେନୋଇତଙ୍କ ବିପକ୍ଷ ମୁକାବିଲା ବେଳେ କିଛି ଜଟୀଳ ପରିସ୍ଥିତି ଆସିଥାଏ। ବେଳେ ବେଳେ କୋର୍ଟର ଅତି ଗଭୀରରେ ସେ ଖେଳିପାରନ୍ତି। ଅନ୍ୟ ବିଜୟଠାରୁ ଏହା ଟିକିଏ ଭିନ୍ନ ବୋଲି ଫେଡେରର୍‌ କହିଥିଲେ। ଅନ୍ୟପକ୍ଷରେ ୨ ଥର ବିଜେତା ନୋଭାକ ଜୋକୋଭିକ୍‌ ଏକାଗ୍ରତା ହରାଇବା ବିପଦକୁ ଏଡ଼ାଇ ଆମରିକାର ଟେନିସ୍‌ ସାଣ୍ଡଗ୍ରିନଙ୍କୁ ୬-୧, ୬-୩, ୬-୭ (୨), ୬-୨ରେ ହରାଇ ମଧ୍ୟ ତୃତୀୟ ରାଉଣ୍ଡ୍‌ରେ ପହଞ୍ଚିଯାଇଛନ୍ତି। ଚଳିତ ବର୍ଷ ଓ୍ଵିମ୍ବଲଡନ୍‌ ବିଜେତା ଏହି ସର୍ବିୟ ତାରକା ତୃତୀୟ ରାଉଣ୍ଡ୍‌ରେ ୨୬ତମ ମାନ୍ୟତାର ଫରାସୀ ଖେଳାଳି ରିଚାର୍ଡ ଗାସ୍‌କ୍ୱେଟଙ୍କୁ ଭେଟିବେ। ଚତୁର୍ଥ ମାନ୍ୟତା ୨୧ ବର୍ଷୀୟ ଜର୍ମାନ୍‌ ଖେଳାଳି ଆଲେକଜାଣ୍ଡର୍‌ ଜେରେଭ୍‌ ୬-୪, ୬-୪, ୬-୨ରେ ନିକୋଲାସ୍‌ ମାହୁତଙ୍କୁ ହରାଇ ମଧ୍ୟ ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି।
ମହିଳା ଏକକରେ ମାରିଆ ସାରାପୋଭା ଅଣମାନ୍ୟତା ଖେଳାଳି ରୋମାନିଆର ସୋରାନା କିର୍ଷ୍ଟିଆଙ୍କୁ ୬-୨, ୭-୫ରେ ହରାଇ ଦେଇଥିଲେ। ୨୦୧୬ ମସିହା ପରେ ପ୍ରଥମ ଥର ୟୁଏସ୍‌ ଓପନ୍‌ରେ ଖେଳୁଥିବା ସାରାପୋଭା ଏଠାରେ ୨୨ତମ ମାନ୍ୟତା ପାଇଛନ୍ତି। ତୃତୀୟ ରାଉଣ୍ଡ୍‌ରେ ୨୦୦୬ ବିଜିୟନୀ ସାରାପୋଭା ଦଶମ ମାନ୍ୟତା ଖେଳାଳି ଲାଟଭିଆର ଜେଲିନା ଜାଙ୍କୋଭିକ୍‌ଙ୍କୁ ଭେଟିବେ। ଓଷ୍ଟାପେଙ୍କା ୪୦୬, ୬-୩, ୬-୪ରେ ଆମେରିକାର ଟେଲର୍‌ ଟାଉନ୍‌ସେଣ୍ଡ୍‌ଙ୍କୁ ହରାଇ ଦେଇଥିଲେ। ସାରାପୋଭା ଏବେ ଷଷ୍ଠ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟ ଲକ୍ଷ୍ୟରେ ରହିଛନ୍ତି। ଆଉ ଏକ ବଡ଼ ବିପର୍ଯ୍ୟୟ କିନ୍ତୁ ମହିଳା ଏକକରୁ ଆସିଥିଲା ଯେତେବେଳେ ଦ୍ୱିତୀୟମାନ୍ୟତା ଖେଳାଳି କାରୋଲିନ୍‌ ଓ୍ଵଜନିଆକିଙ୍କୁ ୟୁକ୍ରେନ୍‌ର ଲେସିଆ ସୁରେଙ୍କୋ ୬-୪, ୬-୨ରେ ସିଧାସଳଖ ଭାବେ ହରାଇ ଦେଇଥିଲେ। ଦୁଇ ଥର ୟୁଏସ୍‌ ଓପନ୍‌ ଫାଇନାଲିଷ୍ଟ୍‍ ଓ୍ଵଜନିଆକି ଏବେ ଲଗାତାର ଦ୍ୱିତୀୟ ବର୍ଷ ଏହି ପର୍ଯ୍ୟାୟରୁ ବିଦାୟ ନେଲେ। ପୂର୍ବରୁ ଶୀର୍ଷ ମାନ୍ୟତା ସିମୋନା ହାଲେପ୍‌ ବିଦାୟ ନେଇଥିବାରୁ ଏବେ ଗତ ଥରର ବିଜୟିନୀ ସ୍ଲୋଆନ୍‌ ଷ୍ଟିଫେନ୍‌ସ ସର୍ବୋଚ୍ଚ ମାନ୍ୟତା ଖେଳାଳି ରହିଛନ୍ତି। ସେହିଭଳି ଚୀନର ୟାଫାନ ଓ୍ଵାଙ୍ଗ୍‌ଙ୍କୁ ୭-୫, ୬-୩ରେ ହରାଇ ଚେକ୍‌ ଗଣରାଜ୍ୟର ପେତ୍ରା କ୍ୱିତୋଭା ନିଜ ତୃତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ସ୍ୱପ୍ନକୁ ସାକାର କରିଛନ୍ତି। ଚତୁର୍ଥ ମାନ୍ୟତା ଜର୍ମାନ୍‌ ଯୁବତୀ ଆଞ୍ଜେଲିକ୍‌ କର୍ବର ମଧ୍ୟ ତୃତୀୟ ରାଉଣ୍ଡ୍‌ରେ ପହଞ୍ଚିଯାଇଛନ୍ତି।

ସମ୍ବନ୍ଧିତ ଖବର