ଓ୍ଵାଟ୍‌ସନ୍‌ଙ୍କ ଶତକ: ଚେନ୍ନାଇ ଶୀର୍ଷରେ

ପୁନେ: ସେନ୍‌ ଓ୍ଵାଟ୍‌ସନ୍‌ଙ୍କ ବିସ୍ଫୋରକ ଶତକ (୧୦୬, ୫୭ ବଲ୍‌, ୯ ଚୌକା, ୬ ଛକା) ଏବଂ ବୋଲରଙ୍କ ମିଳିତ ସଫଳତା ବଳରେ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ଶୁକ୍ରବାର ଆଇପିଏଲ୍‌ ମ୍ୟାଚ୍‌ରେ ୬୪ ରନ୍‌ରେ ରାଜସ୍ଥାନ ରୟାଲ୍‌ସକୁ ପରାସ୍ତ କରି ପଏଣ୍ଟ୍‌ ତାଲିକାର ଶୀର୍ଷକୁ ଉଠିଛି। ଚେନ୍ନାଇର ଏହା ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ବିଜୟ ହୋଇଥିବା ବେଳେ ରାଜସ୍ଥାନ ପଞ୍ଚମ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ପଞ୍ଚମ ଓଭରରେ ପଚାଶ ଟପିଥିଲେ ମଧ୍ୟ ସେହି ସ୍କୋର୍‌ରେ ଅମ୍ବାତି ରାୟୁଡୁ (୧୨, ୮ ବଲ୍‌, ୨ ଚୌକା)ଙ୍କୁ ହରାଇଥିଲା। ୩୬ ବର୍ଷୀୟ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ବେନ୍‌ ଲାଫଲିନଙ୍କ ବୋଲିଂରେ ଓ୍ଵିକେଟ୍‌ରକ୍ଷକ ଜୋସ୍‌ ବଟ୍‌ଲର୍‌ କ୍ୟାଚ୍‌ ନେଇଥିଲେ। ସମାନ ଢଙ୍ଗରେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ସେନ୍‌ ଓ୍ଵାଟ୍‌ସନ୍‌ଙ୍କୁ ଆଉଟ୍‌ କରିଥିଲେ ମଧ୍ୟ ଏହା ଥିଲା ଶେଷ ଓଭର। ଓ୍ଵାଟ୍‌ସନ୍‌ ମାତ୍ର ୨୮ ବଲ୍‌ରୁ ଅର୍ଧଶତକ ହାସଲ କରିବା ପରେ ପରବର୍ତୀ ୫୦କୁ ୨୩ ବଲ୍‌ରୁ ପୂର୍ଣ୍ଣ କରିଥିଲେ। ୫୧ ବଲ୍‌ରୁ ଶତକ ହାସଲ କରିବା ଫଳରେ ଚଳିତ ସଂସ୍କରଣରେ ଏହା ଦ୍ୱିତୀୟ ଏବଂ ସବୁଠୁ ଦ୍ରୁତତମ ଶତକ। ଗୁରୁବାର ପଞ୍ଜାବୀ ଦଳକୁ ପ୍ରବେଶ କରିଥିବା କ୍ରିସ୍‌ ଗେଲ୍‌ ୫୮ ବଲ୍‌ରୁ ଶତକ ପୂର୍ଣ୍ଣ କରିଥିଲେ। ଶୁକ୍ରବାର ଓ୍ଵାଟ୍‌ସନଙ୍କ ସହିତ ସୁରେଶ ରାଇନା (୪୬, ୨୯ ବଲ୍‌, ୯ ଚୌକା) ଏବଂ ଡ୍ଵାନ୍‌ ବ୍ରାଭୋ (୨୪*, ୧୬ ବଲ୍‌, ୪ ଚୌକା) ମଧ୍ୟ ଦୁଇଟି (୮୧ ଏବଂ ୪୧) ଭଲ ଭାଗୀଦାରି କରିଥିଲେ। ଚେନ୍ନାଇ ଓଭର ପିଛା ୧୦ରୁ ଅଧିକ ହାରରେ ରନ୍‌ ସଂଗ୍ରହ କରିଥିଲେ ମଧ୍ୟ କର୍ଣ୍ଣାଟକ ଲେଗ୍‌ସ୍ପିନର୍‌ ଶ୍ରେୟସ ଗୋପାଳ (୪-୦-୨୦-୩) ସବଠୁ ସଫଳ ଏବଂ ମିତ୍ତବ୍ୟୟୀ ବୋଲର ରହିବା ଉଲ୍ଲେଖନୀୟ ଥିଲା। ଜବାବରେ ରାଜସ୍ଥାନ ରୟାଲ୍‌ସ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୯ ବଲ୍‌ ପୂର୍ବରୁ ୧୪୦ ରନ୍‌ରେ ସୀମିତ ରହିଯାଇଥିଲା। ବେନ୍‌ ଷ୍ଟୋକ୍‌ସ (୪୫, ୩୭ ବଲ୍‌)ଙ୍କ ଛଡ଼ା ଅନ୍ୟ କେହି ଭଲ ବ୍ୟାଟିଂ କରିନଥିଲେ। ଚେନ୍ନାଇର ୬ ଜଣ ବୋଲର ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ। ଓ୍ଵାଟ୍‌ସନ୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଚେନ୍ନାଇ ସୁପର୍‌ କିଙ୍ଗ୍‌ସ: ୨୦ ଓଭରରେ ୨୦୪/୫ (ସେନ୍‌ ଓ୍ଵାଟ୍‌ସନ୍‌-୧୦୬, ସୁରେଶ ରାଇନା-୪୬, ଡ୍ଵାନ ବ୍ରାଭୋ-୨୪*, ଶ୍ରେୟସ ଗୋପାଳ-୩/୨୦, ବେନ୍‌ ଲାଫଲିନ୍‌-୨/୩୮)। ରାଜସ୍ଥାନ ରୟାଲ୍‌ସ: ୧୮.୩ ଓଭରରେ ୧୪୦ (ବେନ୍‌ ଷ୍ଟୋକ୍‌ସ-୪୫, ଜୋସ୍‌ ବଟଲର୍‌-୨୨, କର୍ନ ଶର୍ମା-୨/୧୩, ଡ୍ଵାନ୍‌ ବ୍ରାଭୋ-୨/୧୬, ସାର୍ଦୁଲ ଠାକୁର୍‌-୨/୧୮, ଦୀପକ ଚହର୍‌-୨/୩୦, ସେନ୍‌ ଓ୍ଵାଟ୍‌ସନ୍‌-୧/୧୩, ଇମ୍ରାନ୍‌ ତାହିର୍‌-୧/୪୪)।

ସମ୍ବନ୍ଧିତ ଖବର