ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ୧୧୯ ରନ୍‌ରେ ହରାଇଲା ଇଂଲଣ୍ଡ, ମାର୍କ ଉଡଙ୍କୁ ୩ ଓ୍ଵିକେଟ

ଚେଷ୍ଟର ଲି ଷ୍ଟ୍ରିଟ: ଆଇସିସି ବିଶ୍ୱକପ୍‌ ୨୦୧୯ର ୪୧ତମ ମ୍ୟାଚ୍‌ରେ ବୁଧବାର ଆୟୋଜକ ଇଂଲଣ୍ଡ ୧୧୯ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ ୩୦୬ ରନ୍‌ ବିଜୟ ଲକ୍ଷ୍ୟ ନେଇ ନ୍ୟୁଜିଲାଣ୍ଡ ବ୍ୟାଟିଂ କରିଥିଲା ଏବଂ ଟିମ୍‌ ୪୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୮୫ ରନ୍‌ କରିଛି। ଟିମ୍‌ ପକ୍ଷରୁ ଟମ୍‌ ଲଥାମ୍‌ ସର୍ବାଧିକ ୫୭ ରନ୍‌ କରିଥିଲେ। ସେ ୬୫ଟି ବଲ ଖେଳି ୫ଟି ଚୌକା ମାରିଥିଲେ। ଲିଆମ୍‌ ପ୍ଲଙ୍କେତଙ୍କ ବଲ ଜୋସ୍‌ ବଟଲରଙ୍କ କ୍ୟାଚ୍‌ ଦେଇ ଲାଥମ ଆଉଟ୍‌ ହୋଇଥିଲେ। ମାର୍କ ଉଡ଼ ୯ ଓଭର ବୋଲିଂ କରି ୩୪ ରନ୍‌ ଦେଇଥିବା ବେଳେ ସେ ୩୮ ରନ୍‌ ଦେଇଥିଲେ। ଜନି ବେୟାରଷ୍ଟୋଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ମିଳିଛି।

ନ୍ୟୁାଜିଲାଣ୍ଡର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ ଦେଖାଯାଇଥିଲା। ମାର୍ଟିନ ଗୁପଟିଲ ୮ ରନ୍‌ କରି ଜୋଫ୍ରା ଆର୍ଚ୍ଚରଙ୍କ ବଲ ଜୋସ୍‌ ବଟଲରଙ୍କୁ କ୍ୟାଚ୍‌ ଦେଇଥିବା ବେଳେ ହେନରୀ ନିକୋଲାସ କୌଣସ ରନ୍‌ ନକରି କ୍ରିସ୍‌ ଓ୍ଵକସ୍‌ଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିଲେ। ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ୪୦ଟି ବଲ ଖେଳି ୨୭ ରନ୍‌ କରିଥିଲେ। ସେ ମାର୍କ ଉଡ୍‌ଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ରସ୍‌ ଟେଲର ମଧ୍ୟ ୨୮ ରନ୍‌ କରି ରନ୍‌ ଆଉଟ୍‌ ହୋଇଥିଲେ। ସ୍କୋର ୬୯ ରନ୍‌ ବେଳକୁ ନ୍ୟୁଜିଲାଣ୍ଡ ଆଗଧାଡ଼ିର ୪ ଜଣଙ୍କୁ ହରାଇ ସାରିବା ପରେ ଚାପରେ ପଡ଼ିଯାଇଥିଲା। ଦଳୀୟ ସ୍କୋର ୨ ରନ୍‌ରେ ହେନ୍‌ରୀ, ୧୪ ରନ୍‌ରେ ଗୁପଟିଲ, ୬୧ ରନ୍‌ରେ ଓ୍ଵିଲିୟମସନ୍‌ ଓ ୬୯ ରନ୍‌ରେ ଟେଲର ଆଉଟ୍‌ ହୋଇଥିଲେ।

ନ୍ୟୁଜିଲାଣ୍ଡ ୧୨୩ ରନ୍‌ରେ ୫ମ ଓ୍ଵିକେଟ୍‌ ଭାବେ ଜେମସ୍‌ ନୀଶମ (୧୯ ରନ୍‌), ୧୨୮ ରନ୍‌ରେ ୬ଷ୍ଠ ଓ୍ଵିକେଟରେ କୋଲିନ ଡି ଗ୍ରାଣ୍ଡହୋମ୍‌ (୩ ରନ୍‌), ୧୬୪ ରନ୍‌ରେ ଟମ୍‌ ଲାଥମ, ୧୬୬ ରନ୍‌ରେ ୭ମ ଓ୍ଵିକେଟ୍‌ରେ ମିଚେଲ ସଣ୍ଟନର (୧୨ ରନ୍‌) ଓ ୧୮୧ ରନ୍‌ରେ ମଟ୍ଟ ହେନରୀ (୭ ରନ୍‌) ଆଉଟ୍‌ ହୋଇଥିଲେ।

Zee News

ପ୍ରଥମ ଇନିଂସରେ ଓପନର ଜନି ବେୟାରଷ୍ଟୋଙ୍କ ଶତକ (୧୦୬ ରନ୍‌, ୯୯ ବଲ, ୧୫ ଚୌକା, ୧ ଛକା) ବଳରେ ବୁଧବାର ଆଇସିସି ବିଶ୍ୱକପ୍‌ର ଆୟୋଜକ ଇଂଲଣ୍ଡ ପ୍ରଥମ ଇନିଂସରେ ୩୦୫ ରନ୍‌ କରିଥିଲା। ଟିମ୍‌ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ଓ୍ଵିକେଟ୍‌ ହରାଇ ୩୦୫ ରନ୍‌ କରିଥିଲା।

ଚେଷ୍ଟର ଲି ଷ୍ଟ୍ରିଟସ୍ଥିତ ରିଭରସାଇଡ୍‌ ଷ୍ଟାଡିୟମରେ ଟସ୍‌ ଜିଣି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଓପନର ଜସନ ରଏ (୬୦ ରନ୍‌, ୬୧ ବଲ, ୮ ଚୌକା) ଓ ବେୟାରଷ୍ଟୋ ପ୍ରଥମ ଓ୍ଵିକେଟ୍‌ ପାଇଁ ୧୨୩ ରନ୍‌ ଯୋଡ଼ିଥିଲେ। ଜସନ ରଏ ଆଉଟ୍‌ ହେବା ପରେ ବେୟାରଷ୍ଟୋ ଦ୍ୱିତୀୟ ଓ୍ଵିକେଟ୍‌ରେ ଜୋଏ ରୁଟ (୨୪ ରନ୍‌)ଙ୍କ ସହିତ ୭୧ ରନ୍‌ ଭାଗିଦାରୀ ହୋଇଥିଲେ। ଜେମସ୍‌ ନୀଶମଙ୍କ ବଲ ମିଚେଲ୍‌ ସଣ୍ଟନରଙ୍କୁ କ୍ୟାଚ୍‌ ଦେଇ ରଏ ଆଉଟ୍‌ ହୋଇଥିବା ବେଳେ ଟ୍ରେଣ୍ଟ ବୋଲଟ୍‌ଙ୍କ ବଲ୍‌ ଟମ୍‌ ଲଥାମ୍‌ଙ୍କୁ କ୍ୟାଚ ଦେଇ ରୁଟ୍‌ ପାଭଲିଅନ୍‌ ଫେରିଥିଲେ।

ଇଂଲଣ୍ଡ ତୃତୀୟ ଓ୍ଵିକେଟ୍‌ ଭାବେ ବେୟାରଷ୍ଟୋଙ୍କୁ ହରାଇଥିଲା। ସ୍କୋର ୨୦୬ ରନ୍‌ରେ ମଟ୍ଟ ହେନରୀଙ୍କ ଦ୍ୱାରା ବେୟାରଷ୍ଟୋ ଆଉଟ୍‌ ହୋଇଥିଲେ। ମାତ୍ର ୧୧ ରନ କରି ଜୋସ୍‌ ବଟଲର ଆଉଟ୍‌ ହୋଇଥିଲେ। ସ୍କୋର ୨୧୪ ରନ୍‌ରେ ସେ ଟ୍ରେଣ୍ଟ ବୋଲଟ୍‌ଙ୍କ ବଲ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ଙ୍କୁ କ୍ୟାଚ ଦେଇ ଆଉଟ୍‌ ହୋଇଥିଲେ। ଇଂଲଣ୍ଡ ୨୪୮ ରନ୍‌ରେ ବେନ୍‌ ଷ୍ଟୋକସ୍‌(୧୧ ରନ୍‌)ଙ୍କୁ ହରାଇଥିଲା। ସଣ୍ଟନରଙ୍କ ବଲ ହେନରୀଙ୍କୁ କ୍ୟାଚ୍‌ ଦେଇ ଷ୍ଟୋକସ୍‌ ଆଉଟ୍‌ ହୋଇଥିଲେ।

ସ୍କୋର ୨୫୯ ରନ୍‌ରେ କ୍ରିସ୍‌ ଓ୍ଵକସ୍‌ (୪ ରନ୍‌), ୨୭୨ ରନ୍‌ରେ ଇଅନ୍‌ ମୋର୍ଗାନ (୪୨ ରନ୍‌, ୪୦ ବଲ, ୫ ଚୌକା) ଓ ୩୦୧ ରନ୍‌ରେ ଆଦିଲ ରସିଦ (୧୬ ରନ୍‌)ଆଉଟ୍‌ ହୋଇଥିଲେ। ନ୍ୟୁଜିଲାଣ୍ଡ ତରଫରୁ ଟ୍ରେଣ୍ଟ ବୋଲଟ୍‌, ମଟ୍ଟ ହେନରୀ ଓ ଜେମସ୍‌ ନୀଶମ ୨-୨ ଓ୍ଵିକେଟ ନେଇଥିବା ବେଳେ ମିଚେଲ ସଣ୍ଟନ୍‌ର ଓ ଟିମ୍‌ ସାଉଦୀ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଉଥିଲେ।

ସମ୍ବନ୍ଧିତ ଖବର