ବିଶ୍ୱକପ୍‌: ଶ୍ରୀଲଙ୍କାକୁ ୭ ଓ୍ଵିକେଟ୍‌ରେ ହରାଇ ଅଙ୍କ ତାଲିକାର ଶୀର୍ଷରେ ପହଂଚିଲା ଭାରତ, ରୋହିତ-ରାହୁଲ ଯୋଡ଼ିଲେ ୧୦୩-୧୧୧ ରନ୍‌

ଲିଡସ୍‌: ଆଇସିସି ବିଶ୍ୱକପ୍‌ ୨୦୧୯ରେ ନିଜର ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତ ଏକତରଫା ବିଜୟ ହାସଲ କରିଛି। ଓପନର ରୋହିତ ଶର୍ମା (୧୦୩ ରନ୍‌, ୯୪ ବଲ, ୧୪ ଚୌକା, ୨ ଛକା) ଓ ଲୋକେଶ ରାହୁଲ (୧୧୧ ରନ୍‌, ୧୧୮ ବଲ୍‌, ୧୧ ଚୌକା, ୧ଛକା)ଙ୍କ ଶତକ ବଳରେ ଭାରତ ୭ ଓ୍ଵିକେଟ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ ଭାରତ ୨୬୫ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଭାରତ ୪୩.୩ ଓଭରରେ ୩ଟି ଓ୍ଵିକେଟ୍‌ ହରାଇ ଲକ୍ଷ୍ୟ ପୂରା କରିଛି। ଏହି ବିଜୟ ସହିତ ଭାରତ ଅଙ୍କ ତାଲିକାର ଶ୍ରୀର୍ଷରେ ପହଂଚିଛି। ଭାରତ ୯ଟି ମ୍ୟାଚ ଖେଳି ୧୫ ପଏଣ୍ଟ ହାସଲ କରିଛି। ଇଂଲଣ୍ଡ ବିପକ୍ଷରେ ଭାରତ ପରାସ୍ତ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଲିଗ ପର୍ଯ୍ୟାୟ ମ୍ୟାଚ୍‌ ଗୁଡ଼ିକରେ ପୂର୍ବରୁ ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ବାଲାଂଦେଶ ଓ ଆଫଗାନିସ୍ତାନକୁ ଭାରତ ପରାସ୍ତ କରିଥିଲା।

ପ୍ରଥମ ଓ୍ଵିକେଟ୍‌ ପାଇ ରୋହିତ-ରାହୁଲ ୧୮୯ ରନ୍‌ ଯୋଡ଼ିଥିଲେ। କାଶୁନ ରଜିଥାଙ୍କ ବଲ ଆଞ୍ଜୋଲୋ ମ୍ୟାଥୁସ୍‌ଙ୍କୁ କ୍ୟାଚ୍‌ ଦେଇ ରୋହିତ ଶର୍ମା ଆଉଟ୍‌ ହୋଇଥିଲେ। ଭାରତର ସ୍କୋର ୨୪୪ ରନ୍‌ରେ ଲୋକେଶ ରାହୁଲଙ୍କୁ କୁଶାଲ ପେରେରାଙ୍କ ହାତରେ ଲାସିଥ ମାଲିଙ୍ଗା କ୍ୟାଚ କରାଇଥିଲେ। ସେହିପରି ସ୍କୋର ୨୫୩ ରନ୍‌ରେ ଋଷଭ ପନ୍ତ (୪ ରନ୍‌)ଙ୍କୁ ଇସୁରୁ ଉଡାନ ପାଭଲିଅନ୍‌ ଫେରାଇଥିଲେ। ଅଧିନାୟକ ବିରାଟ କୋହଲି ଅପରାଜିତ ୩୪ ରନ୍‌ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୭ ରନ୍‌ କରିଥିଲେ।

ବିଶ୍ୱକପ୍‌-୨୦୧୯ରେ ରୋହିତଙ୍କ ୫ମ ଶତକ

ରୋହିତ ଶର୍ମା ଆଜି ଚଳିତ ବିଶ୍ୱକପ୍‌ରେ ୫ମ ଶତକ ହାସଲ କରିଛନ୍ତି। ରୋହିତ ୯୨ ଟି ବଲ ଖେଳି ଏହି ଶତକ (୧୦୨ ରନ୍‌) ହାସଲ କରିଛନ୍ତି। ଏଥିରେ ୧୪ଟି ଚୌକା ଓ ୨ଟି ଛକା ସାମିଲ ଅଛି। ଚଳିତ ବିଶ୍ୱକପ୍‌ରେ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୪୪ଟ ବଲ ଖେଳି ୧୨୨ ରନ୍‌, ପାକିସ୍ତାନ ବିପକ୍ଷରେ ୧୧୩ଟି ବଲ ଖେଳି ୧୪୦ ରନ୍‌ ଇଂଲଣ୍ଡ ବିପକ୍ଷରେ ୧୦୯ଟି ବଲ ଖେଲି ୧୦୨ ରନ୍‌ ଓ ବାଂଲାଦେଶ ବିପକ୍ଷରେ ୯୨ଟି ବଲ ଖେଳି ୧୦୪ ରନ୍‌ କରିଥିଲେ। ରୋହିତଙ୍କ ଇଂଲଣ୍ଡ ବିପକ୍ଷରେ ଶତକ ପରେ ବି ଭାରତ ପରାଜିତ ହୋଇଥିଲା। ରୋହିତ ଶର୍ମାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ମିିଳିଛି। 

ଆଞ୍ଜେଲୋ ମ୍ୟାଥୁସ୍‌ଙ୍କ ଶତକ (୧୧୩ ରନ୍‌, ୧୨୮ ବଲ) ଓ ପଂଚମ ଓ୍ଵିକେଟ୍‌ରେ ଲାହିରୁ ଥିରମାନେ (୫୩ ରନ୍‌, ୬୮ ବଲ, ୪ ଚୌକା)ଙ୍କ ସହିତ ଶତକୀୟ ଭାଗିଦାରୀ (୧୨୪ ରନ୍‌) ବଳରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୭ଟି ଓ୍ଵିକେଟ୍‌ ହରାଇ ୨୬୪ ରନ୍‌ କରିଥିଲା। ଲିଡସ୍‌ରେ ଶନିବାର ଟସ୍‌ ଜିିଣି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କାର ଆଗଧାଡ଼ିର ବ୍ୟାଟସ୍‌ମ୍ୟାନ ମାନେ ଭଲ ପ୍ରଦର୍ଶନ କରି ନଥିଲେ ମଧ୍ୟ ମଧ୍ୟକ୍ରମର ବ୍ୟାଟସ୍‌ମ୍ୟାନ୍‌ ମାନେ ଭଲ ସ୍କୋର କରିପାରିଥିଲେ। ଭାରତୀୟ ବୋଲର ଯଶପ୍ରୀତ ବୁମରାଙ୍କୁ ୩ଟି ଓ୍ଵିକେଟ ମିଳିଥିବା ବେଳେ ଭୁବନେଶ୍ୱର, ହାର୍ଦ୍ଦିକ, ରବୀନ୍ଦ୍ର ଓ କୁଲଦୀପଙ୍କୁ ୧-୧ ଓ୍ଵିକେଟ ମିଳିଥିଲା।

ଶ୍ରୀଲଙ୍କା ପ୍ରଥମ ଓ୍ଵିକେଟ୍‌ ଭାବେ ସ୍କୋର ୧୭ ରନ୍‌ରେ ଦିମୁଠ କରୁଣାରତ୍ନେଙ୍କୁ ହରାଇଥିଲା। ଓପନର କରୁଣାରତ୍ନେଙ୍କୁ ମହେନ୍ଦ୍ର ସିଂହ ଧୋନିଙ୍କ ହାତରେ ଯଶପ୍ରୀତ ବୁମରା କ୍ୟାଚ୍‌ କରାଇଥିଲେ। କୁଶାଲ ପେରେରା ଆଉଟ୍‌ ହେବା ପୂର୍ବର ୧୪ଟି ବଲ ଖେଳି ୧୮ ରନ୍‌ କରିଥିଲେ। ସେ ମଧ୍ୟ କରୁଣାରତ୍ନେଙ୍କ ଭଳି ଆଉଟ୍‌ ହୋଇଥିଲେ। ସ୍କୋର ୪୦ ରନ୍‌ରେ ଶ୍ରୀଲଙ୍କା ୨ୟ ଓ୍ଵିକେଟ୍‌ ହରାଇଥିବା ବେଳେ ୩ୟ ଓ୍ଵିକେଟ୍‌ ବେଳକୁ ୫୩ ରନ୍‌ କରିଥିଲା। ରବୀନ୍ଦ୍ର ଜାଦେଜାଙ୍କ ବଲକୁ ଧୋନି ଷ୍ଟମ୍ପିଂ କରି କୁଶାଲ ମେଣ୍ଡିସ (୩ ରନ୍‌)ଙ୍କୁ ଆଉଟ୍‌ କରିଥିଲେ। ସ୍କୋର ୫୫ ରନ୍‌ରେ ଭାରତର ୪ର୍ଥ ଶିକାର ହୋଇଥିଲେ ଅଭିଷ୍କା ଫର୍ଣ୍ଣାଡୋଜ୍‌ (୨୦ ରନ୍‌)। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ଧୋନିଙ୍କୁ କ୍ୟାଚ୍‌ ଦେଇଥିଲେ।

ଶ୍ରୀଲଙ୍କାର ସ୍କୋର ୧୭୯ ରନ୍‌ ଥିବା ବେଳେ କୁଲଦୀପ ଯାଦବଙ୍କ ବଲ ରବୀନ୍ଦ୍ର ଜାଦେଜାଙ୍କୁ କ୍ୟାଚ୍‌ ଦେଇ ଥିରମାନେ ଆଉଟ୍‌ ହୋଇଥିଲେ। ସେହିପରି ୬ଷ୍ଠ ଓ୍ଵିକେଟରେ ଶ୍ରୀଲଙ୍କା ମ୍ୟାଥୁସଙ୍କୁ ହରାଇଥିଲା। ସ୍କୋର ୨୫୩ ରନ୍‌ରେ ମ୍ୟାଥୁସଙ୍କୁ ରୋହିତ ଶର୍ମାଙ୍କ ହାତରେ ବୁମରା କ୍ୟାଚ୍‌ କରାଇଥିଲେ। ସପ୍ତମ ଓ୍ଵିକେଟ୍‌ ଭାବେ ଥିରସା ପେରେରା (୨ ରନ)ଙ୍କୁ ହରାଇଥିଲା। ଭୁବନେଶ୍ୱର କୁମାରଙ୍କ ବଲ ହାର୍ଦ୍ଦିକଙ୍କୁ କ୍ୟାଚ୍‌ ଦେଇ ପେରେରା ଆଉଟ୍‌ ହୋଇଥିଲେ। ଧନଂଜୟ ଡିସିଲଭା ଅପରାଜିତ ୨୯ ରନ୍‌ ଓ ଇସୁରୁ ଉଡାନ ଅପରାଜିତ ୧ ରନ କରିଥିଲେ।

ସମ୍ବନ୍ଧିତ ଖବର