ବିଶ୍ୱକପ୍‌: ବିଦାୟୀ ମ୍ୟାଚ୍‌ରେ ବାଂଲାଦେଶକୁ ୯୪ ରନ୍‌ରେ ପରାସ୍ତ କଲା ପାକିସ୍ତାନ, ସାହିନ୍‌ଙ୍କୁ ୬ ଓ୍ଵିକେଟ୍‌

ଲଣ୍ଡନ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ ୨୦୧୯ରେ ନିଜର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ପ୍ରଶଂସନୀୟ ପ୍ରଦର୍ଶନ କରି ପାକିସ୍ତାନ ୯୪ ରନ୍‌ରେ ଶୁକ୍ରବାର ବାଂଲାଦେଶକୁ ପରାସ୍ତ କରିବା ସହିତ ବିଦାୟ ନେଇଛି। ପାକିସ୍ତାନ ନିଜର ଶେଷ ମ୍ୟାଚ୍‌କୁ ସ୍ମରଣୀୟ କରିପାରିଛି। ପ୍ରଥମେ ବ୍ୟାଟିଂରେ ନିର୍ଦ୍ଧାରିତ ୫୦ ଓଭରରେ ୩୧୫ ରନ୍‌ କରିବା ପରେ ବୋଲିଂରେ ମଧ୍ୟ ଭଲ ପ୍ରଦର୍ଶନ କରିଛି। ଟିମ୍‌ର ସାହିନ୍‌ ଆଫ୍ରିଦୀ ୯.୧ ଓଭର ବୋଲିଂ କରି ୩୫ ରନ୍‌ ଦେଇଛନ୍ତି। ସେ ୬ଟି ଓ୍ଵିକେଟ୍‌ ନେଇ ଚଳିତ ବିଶ୍ୱକପ୍‌ରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ସାଦବ ଖାନ୍‌ଙ୍କୁ ୨ଟି ଓ୍ଵିକେଟ୍‌ ମିଳିଥିବା ବେଳେ ବହାବ ରିୟାଜ ଓ ମହମ୍ମଦ ଅମୀରଙ୍କୁ ୧-୧ ଓ୍ଵିକେଟ୍‌ ମିଳିଥିଲା।

ଦ୍ୱିତୀୟ ଇନିସଂରେ ବାଂଲାଦେଶ ୩୧୬ ରନ୍‌ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଟିମ୍‌ ୪୪.୧ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୨୧ ରନ୍‌ କରିଥିଲା। ସାକିବୁଲ ହାସନ୍‌ ସର୍ବାଧିକ ୬୪ ରନ୍‌ କରିଥିଲେ। ଲିଟନ ଦାସ ୩୨ ରନ, ମହମ୍ମଦୁଲ୍ଲା ୨୯ ରନ୍‌, ସୌମ୍ୟ ସରକାର ୨୨ ରନ୍‌, ତମିମ ଇକବାଲ ୮ ରନ୍‌ କରିିଥିଲେ। ସେହିପରି ମୁସ୍‌ଫିକର ରହିମ୍‌ ୧୬ ରନ୍‌, ମସଡେକ ହୁସେନ ମଧ୍ୟ ୧୬ ରନ୍‌ ଟିମ୍‌ ପାଇଁ ଯୋଡ଼ିଥିଲେ। ମୁସରଫ ମୋର୍ତ୍ତାଜା ୧୫ ରନ୍‌, ମେହନ୍ଦୀ ହାସନ ଅପରାଜିତ ୭ ରନ୍‌ କରିଥିଲେ।

ପ୍ରଥମ ଇନିଂସରେ ଇମାମ୍‌ ଉଲ୍‌ ହକ୍‌ଙ୍କ ଶତକ (୧୦୦ ରନ୍‌, ୧୦୦ ବଲ, ୭ ଚୌକା) ଓ ବାବର ଆଜମ (୯୭ ରନ୍‌, ୯୮ ବଲ, ୧୧ ଚୌକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପାକିସ୍ତାନ ଶୁକ୍ରବାର ୯ଟି ଓ୍ଵିକେଟ୍‌ ହରାଇ ୩୧୫ ରନ୍‌ କରିଥିଲା। ବାଂଲାଦେଶୀ ବୋଲର ମୁସ୍ତାଫିଜୁର ରହମାନ୍‌ ୧୦ ଓଭର ବୋଲିଂ କରି ୭୫ ରନ୍‌ ଦେଇଥିବା ବେଳେ ୫ଟି ଓ୍ଵିକେଟ୍‌ ନେଇଥିଲେ। ମହମ୍ମଦ ସଫିଉଦ୍ଦିନଙ୍କୁ ୩ ଓ୍ଵିକେଟ୍‌ ଓ ମେହନ୍ଦୀ ହାସନଙ୍କୁ ଗୋଟିଏ ଓ୍ଵିକେଟ ମିଳିିଥିଲା।

Hindustan Times

ଲଣ୍ଡନର ଲିଡସ୍‌ ଷ୍ଟାଡିୟମରେ ଆଇସିସି ବିଶ୍ୱକପ୍‌ର ୪୩ତମ ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ଓପନ୍‌ର ଫାକର ଜମାନ୍‌ (୧୩ ରନ୍‌) ଅଧିକ ସମୟ କ୍ରିଜ୍‌ରେ ରହିପାରି ନଥିଲେ। ପାକିସ୍ତାନର ସ୍କୋର ୨୩ ରନ୍‌ ଥିବା ବେଳେ ମହମ୍ମଦ ସଫିଉଦ୍ଦିନଙ୍କ ବଲ ମେହେନ୍ଦୀ ହାସନଙ୍କୁ କ୍ୟାଚ୍‌ ଦେଇ ଜମାନ ଆଉଟ୍‌ ହୋଇଥିଲେ।

ଇମାଦ୍‌ ଓ୍ଵାସିମ୍‌ ୨୬ଟି ବଲ ଖେଳି ୪୩ ରନ୍‌ କରିଥିଲେ। ସେ ୬ଟି ଚୌକା ଓ ଗୋଟିଏ ଛକା ମାରିବା ପରେ ମୁସ୍ତାଫିଜୁରଙ୍କ ବଲ ମହମ୍ମଦୁଲ୍ଲାଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌ ଫେରିଥିଲେ। ମହମ୍ମଦ ହଫୀଜ ୨୭ ରନ୍‌ ଟିମ୍‌ ପାଇଁ ଯୋଡ଼ିଥିଲେ। ସେ ୨୫ଟି ବଲ ଖେଳି ୩ଟି ଚୌକା ମାରିଥିଲେ।

ପାକିସ୍ତାନ ୨ୟ ଓ୍ଵିକେଟରେ ଭଲ ସ୍କୋର କରିଥିଲା। ସ୍କୋର ୧୮୦ ରନ୍‌ରେ ବାବର ଜମାନଙ୍କୁ ହରାଇଥିଲା। ଇମାମ୍‌ ଉଲ୍‌ ହକ୍‌ ଆଉଟ୍‌ ହେବା ବେଳକୁ ସ୍କୋର ୨୪୬ ରନ୍‌ରେ ପହଂଚି ସାରିଥିଲା। ଟିମ୍‌ ୨୪୮ ରନ୍‌ରେ ମହମ୍ମଦ ହଫୀଜ, ୨୫୫ ରନ୍‌ରେ ହରିସ୍‌ ସୋହିଲ, ୨୮୮ ରନ୍‌ରେ ବହାବ ରିୟାଜ, ୨୮୯ ରନ୍‌ରେ ସହଦାବ୍‌, ୩୧୪ ରନ୍‌ରେ ଇମାଦ୍‌ ଓ୍ଵାସିମ୍‌ ଓ ମହମ୍ମଦ ଅମୀର ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର