ପୋଲାର୍ଡଙ୍କ ପାଳିରୁ ଅନେକ କିଛି ଶିଖିଛୁ, ଭିଭିଏସ୍ ଲକ୍ଷ୍ମଣ

ଗତ ଦୁଇଟି ଯାକ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ କଠିନ ପରୀକ୍ଷାର ସମ୍ମୁଖୀନ ହୋଇଥିଲା। ଉଭୟ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆମକୁ କଷ୍ଟକର ପିଚ୍‌ରେ ଖେଳିବାକୁ ପଡ଼ିଥିଲା। ଏହା ସତ୍ତ୍ବେ ଦିଲ୍ଲୀକୁ ଆମେ ହରାଇ ପାରିଥିଲୁ, ହେଲେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ନା ପରିବେଶ ନା ମ୍ୟାଚ୍ କାହାକୁ ବି ମାତ୍ ଦେଇ ପାରି ନଥିଲୁ। ଶନିବାର ରାତିରେ ଉପଲର ଘରୋଇ ପଡ଼ିଆରେ ହିଁ ସନରାଇଜର୍ସ ଏଭଳି ଦୁର୍ଦଶାର ସମ୍ମୁଖୀନ ହୋଇଥିଲା। ଯେଉଁ ପିଚ୍‌ଗୁଡ଼ିକ ବ୍ୟାଟ୍ସମ୍ୟାନଙ୍କୁ ସୁହାଇ ନଥାଏ, ସେଠାରେ ସ୍ବାଭାବିକ ଭାବେ ସ୍ବଳ୍ପ ରନ୍ ବିଶିଷ୍ଟ ମ୍ୟାଚ୍‌ ଦେଖିବାକୁ ପଡ଼ିଥାଏ। କେବେ କେବେ ଯାହା ରୋମାଞ୍ଚକର ମୁକାବିଲାରେ ପରିଣତ ହୋଇଥାଏ। ପ୍ରଥମେ ବୋଲିଂ କରୁଥିଲେ ଆପଣଙ୍କୁ ସଂପୂର୍ଣ୍ଣ ପାଳିରେ ସଜାଗ ରହିବାକୁ ପଡ଼ିଥାଏ। ବିଶେଷ କରି ଶେଷ ଓଭରଗୁଡ଼ିକରେ ତଥା ଗୋଟିଏ କିମ୍ବା ଦୁଇଟି ମହଙ୍ଗା ଓଭର ସବୁ କିଛି ଓଲଟ ପାଲଟ କରି ଦେଇପାରେ। ଶନିବାର ରାତିରେ କିରଣ ପୋଲାର୍ଡ ପ୍ରତିକୂଳ ପରିବେଶରେ ଖେଳିଥିବା ପାଳିର ଢେର ଗୁରୁତ୍ବ ଥିଲା। ଆମକୁ ତାଙ୍କଠାରୁ ଅନେକ କିଛି ଶିଖିବା କଥା। ଏକ ମନ୍ଥର ପିଚ୍‌ରେ ଯେତେବେଳେ ଆପଣ ଏକ ଲକ୍ଷ୍ୟକୁ ପିଛା କରିଥାଆନ୍ତି, ଗୋଟିଏ କିମ୍ବା ଦୁଇଟି ଭଲ ଭାଗୀଦାରି ଗଢ଼ିବା ଜରୁରି ହୋଇଥାଏ। କାରଣ ଜଣେ କିମ୍ବା ଦୁଇ ଜଣ ଖେଳାଳିଙ୍କ ବ୍ୟକ୍ତିଗତ ଚମକରେ କେବେ ବି ଟ୍ରଫି ଜିତି ‌ହୋଇ ନଥାଏ। ଉଭୟ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆମ ମଧ୍ୟକ୍ରମ ପାଇଁ ନିଜ ପରାକାଷ୍ଠା ଦେଖାଇବାର ସୁଯୋଗ ଥିଲା। ଏହା କରି ପାରି ନଥି‌ଲେ ମଧ୍ୟ ସେମାନଙ୍କ ଦକ୍ଷତା ଉପରେ ଆମ ଭରସା ପୂର୍ବ ଭଳି ଅତୁଟ ରହିଛି। ସେମାନେ ଆଗରୁ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସଫଳତାର ସହ ଏହାର ମୁକାବିଲା ବି କରିଛନ୍ତି। ଲୟକୁ ଫେରିବାକୁ ସେମାନଙ୍କୁ ବେଶି ସମୟ ଲାଗିବ ନାହିଁ ବୋଲି ମୋର ପୂର୍ଣ୍ଣ ବିଶ୍ବାସ। ପ୍ରଥମ ତିନି ମ୍ୟାଚ୍‌ରେ ଡେଭିଡ୍ ୱାର୍ନର ଓ ଜନି ବେୟାରଷ୍ଟୋ ଏତେ ଭଲ ଓ ଗଭୀର ବ୍ୟାଟିଂ କରଥିଲେ ଯେ ମଧ୍ୟକ୍ରମ ଯଥେଷ୍ଟ ମ୍ୟାଚ୍ ସମୟ ପାଇ ନଥିଲା। ଏଣୁ ସବୁ ପ୍ରକାର ପରିସ୍ଥିତି ଲାଗି ସେମାନେ ଯେମିତି ପ୍ରସ୍ତୁତ ରୁହନ୍ତି, ସେ କଥା ଆମେ ଅଭ୍ୟାସ ବେଳେ ଦେଖିବୁ। ଏପର୍ଯ୍ୟନ୍ତ ଆମେ ଆମ ପ୍ରସ୍ତୁତିରେ କୌଣସି ସାଲିସ କରିନାହୁଁ। ମୁଁ ନିଶ୍ଚିତ ଯେ ସମୟକ୍ରମେ ଛୋଟ ମୋଟ ତ୍ରୁଟିକୁ ଆମେ ସୁଧାରି ପାରିବୁ। ଗତ ମ୍ୟାଚ୍‌ରେ ଆମ କ୍ୟାଚିଂ ମଧ୍ୟ ଭଲ ନଥିଲା। ଆମେ ଆମ କ୍ଷେତ୍ରରକ୍ଷଣ ନେଇ ଗର୍ବ କରି ଆସିଛୁ। ଆଗକୁ ମଧ୍ୟ ଏହି ଧାରା ବଜାୟ ରଖିବୁ ବୋଲି ଆଶା ରଖିଛୁ। ଆଇପିଏଲରେ ଅବଶ୍ୟ ସବୁକିଛି ଠିକ୍ କରିବାକୁ ଅଧିକ ସମୟ ମିଳି ନଥାଏ। ଆମେ ସୋମବାର କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ଖେଳିବୁ। ପ୍ରଚ୍ଛଦପଟ୍ଟ କର୍ମଚାରୀ ଭାବେ ଆମ ଦାୟିତ୍ବ ହେଲା ଖେଳାଳିମାନେ ମାନସିକ ସ୍ତରରେ ଯେମିତି ଦୃଢ଼ ରୁହନ୍ତି। ପୂର୍ବ ମ୍ୟାଚ୍‌ଗୁଡ଼ିକରୁ ଆମେ ଶିକ୍ଷା ଲାଭ କରିବୁ। ଖେଳାଳିଙ୍କ ମନରେ ଯେମିତି କୌଣସି ନକାରାତ୍ମକ ଭାବନା ନଆସେ, ତାହା ଉପରେ ମଧ୍ୟ ଧ୍ୟାନ ଦେବୁ। ଆମେ ଏବେ ନୂଆ ଆରମ୍ଭ କରିବୁ।

ସମ୍ବନ୍ଧିତ ଖବର