ବବୁଲୁଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଧନା

ଭୁବନେଶ୍ବର: ବ୍ରୁନେଇ ଦରୁସଲାମରେ ଅନୁଷ୍ଠିତ ଦଶମ ଏସୀୟ କନିଷ୍ଠ ଉଷୁ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଓଡ଼ିଆ ପୁଅ ବବୁଲୁ ମୁଣ୍ଡାଙ୍କୁ ରବିବାର ଭୁବନେଶ୍ବର ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଧନା ପ୍ରଦାନ କରାଯାଇଛି। ଭାରତୀୟ ଦଳରେ ସ୍ଥାନ ପାଇଥିବା ଏକମାତ୍ର ଓଡ଼ିଆ ବବୁଲୁ ୪୫ କିଲୋଗ୍ରାମ ବର୍ଗ ଫାଇନାଲରେ ଜଣେ ଇରାନ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ଏହା ବବୁଲୁଙ୍କ ଦ୍ବିତୀୟ ଅନ୍ତର୍ଜାତୀୟ ପଦକ। ଗତବର୍ଷ ବ୍ରାଜିଲର ବ୍ରାସିଲିଆଠାରେ ଅନୁଷ୍ଠିତ ବିଶ୍ବ କନିଷ୍ଠ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଅର୍ଥ ପୁରସ୍କାର ଗ୍ରହଣ କରିଥିଲେ। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଦେଓଝର ପଞ୍ଚାୟତ ସିଆଳିଯୋଡ଼ାର ବବୁଲୁ ମୁଣ୍ତା ଏବେ ଓଡ଼ିଶା ଉଷୁ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ବୋଲି ବଡ଼ବିଲ ଜେଏସ୍‌ପିଏଲ୍‌ ଫାଉଣ୍ଡେସନ ଅଧ୍ୟକ୍ଷା ସାଲୁ ଜିନ୍ଦଲ ଏକ ବିବୃତ୍ତିରେ ପ୍ରକାଶ କରିଛନ୍ତି। ବିମାନବନ୍ଦରରେ ବବୁଲୁଙ୍କୁ ଓଡ଼ିଶା କିକ୍ ବକ୍ସିଂ ସଂଘ ସମ୍ପାଦକ ବିଭୂତି ଭୂଷଣ ବେହେରା, କୋଷାଧ୍ୟକ୍ଷ ପୃଥ୍ବୀରାଜ ହରିଚନ୍ଦନ, ଓଡ଼ିଶା ଉଷୁ ଦଳ ପ୍ରଶିକ୍ଷକ ପଙ୍କଜ ମହାନ୍ତ, ଓଡ଼ିଶା ପୁଲିସ୍ କ୍ରୀଡ଼ା ଅଧିକାରୀ ବିଭୂତି ଭୂଷଣ ପରିଡ଼ା ପ୍ରମୁଖ ସ୍ବାଗତ ସମ୍ବର୍ଧନା ଜଣାଇଥିଲେ। ଓଡ଼ିଶା ଉଷୁ ସଂଘ ସଭାପତି ଏସ ଏସ୍ ହରିଚନ୍ଦନ ଏବଂ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା ଅଭିନନ୍ଦନ ଜଣାଇଥିଲେ ମଧ୍ୟ ତାଙ୍କ ଦେଖା ମିଳିନଥିଲା। ଅଗଷ୍ଟ ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାରତକୁ ୩ ରୌପ୍ୟ ଏବଂ ୭ କାଂସ୍ୟ ସହିତ ମୋଟ ୧୦ ପଦକ ମିଳିଥିଲା। ଅକ୍ଲାନ୍ତ ପରିଶ୍ରମ ଏବଂ ଦୃଢ଼ ଆତ୍ମବିଶ୍ବାସ ଯୋଗୁଁ ବବୁଲୁ ଗୋଟିଏ ପରେ ଗୋଟିଏ ସଫଳତା ପାଇ ଚାଲିଛନ୍ତି ବୋଲି ଶ୍ରୀ ମହାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର