ୱେଲିଂଟନରେ ଅଟକିଲା ବିଜୟ ଧାରା, ଭାରତ ୧୦ ୱିକେଟ୍‌ରେ ପରାସ୍ତ

ନ୍ୟୁଜିଲାଣ୍ଡର ଶତକୀୟ ଟେଷ୍ଟ ବିଜୟ, ସାଉଦି ଶ୍ରେଷ୍ଠ ଖେଳାଳି

ୱେଲିଂଟନ: ୱେଲିଂଟନ ଟେଷ୍ଟ୍‌କୁ ଶୋଚନୀୟ ଭାବେ ସାଢ଼େ ତିନି ଦିନରୁ କମ୍ ସମୟରେ ହାରିଛି ଭାରତୀୟ କ୍ରିକେଟ୍ ଦଳ। ହାତରେ ୬ ୱିକେଟ୍ ଥିଲା ବେଳେ ୩୯ ରନ୍‌ରେ ପଛୁଆ ଥାଇ ସୋମବାରର ଖେଳ ଆରମ୍ଭ କରିଥିଲା ଭାରତ। ଆଶା କରାଯାଉଥିଲା ନ୍ୟୁଜିଲାଣ୍ଡକୁ ଅନ୍ତତଃ ଶହେ କିମ୍ବା ଦେଢ଼ ଶହ ରନ୍‌ର ଲକ୍ଷ୍ୟ ମିଳିବ। ହେଲେ ମାତ୍ର ୧୬ ଓଭର ଭିତରେ ୪୭ ରନ୍ କରି ଶେଷ ୬ ୱିକେଟ୍‌ରେ ଫିଙ୍ଗି ଦେଇଥିଲା କୋହଲି ବାହିନୀ। ଉଭୟ ପାଳିରେ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ‌ହୋଇଥିବା ବିଶ୍ବର ଏକ ନମ୍ବର ଟେଷ୍ଟ୍‌ ଦଳ ମାତ୍ର ୯ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ନ୍ୟୁଜିଲାଣ୍ଡ ଏହାକୁ କୌଣସି ୱିକେଟ୍ ନ ହରାଇ ହାସଲ କରି ନେଇଥିଲା। ତା’ ସହ ଦୁଇ ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଥିଲା। ଦିନିକିଆ ଶୃଙ୍ଖଳାରେ ୦-୩ରେ ମୂଳପୋଛ ହୋଇଥିବା ଭାରତୀୟ ‌କ୍ରିକେଟ୍ ଦଳ କିନ୍ତୁ ଯେଉଁଭଳି ଭାବେ ହାରିଲା, ତାକୁ ପ୍ରଶଂସକ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଲଗାତାର ୭ ଟେଷ୍ଟ୍‌ ମ୍ୟାଚ୍ ଜିତିବାର ଆତ୍ମବିଶ୍ବାସ ‌ନେଇ ନ୍ୟୁଜିଲାଣ୍ଡ ଯାଇଥିବା କୋହଲି ବାହିନୀ ବିନା ଲଢ଼େଇରେ ଆତ୍ମସମର୍ପଣ କରିବା ସମସ୍ତଙ୍କୁ ବିସ୍ମିତ କରିଛି। ଖ୍ରୀଷ୍ଟଚର୍ଚରେ ୨୯ ତାରିଖରୁ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍ ଏବେ ଭାରତୀୟ ଦଳ ପାଇଁ ‘କର ବା ମର’ ଭଳି ହୋଇଛି।

ପ୍ରମୁଖ ବୋଲର ଯଶପ୍ରୀତ ବୁମରାଙ୍କ ବିଫଳତା ଏବଂ ଦୁଇ ଯୁବ ଓ ଅନଭିଜ୍ଞ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ପୃଥ୍ବୀ ସ’-ମୟଙ୍କ ଅଗ୍ରୱାଲ ଦୃଢ଼ ମୂଳଦୁଆ ପକାଇ ନପାରିବା ସହ ଅଧିନାୟକ କୋହଲିଙ୍କ ଦୁର୍ବଳ ପ୍ରଦର୍ଶନ ଦଳ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି। ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସଂପୂର୍ଣ୍ଣ ପ୍ରଭାବହୀନ ରହିଥିବା ଟିମ୍ ସାଉଦି ଦିନିକିଆ ଶୃଙ୍ଖଳରେ ଚମତ୍କାର ପ୍ରଦର୍ଶନ କରିବା ପରେ ‌ୱେଲିଂଟନରେ ୯ ୱି‌କେଟ୍ ନେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ତାଙ୍କ ସହ ପ୍ରତ୍ୟାବର୍ତନ ପୁରୁଷ ଟ୍ରେଣ୍ଟ ବୋଲ୍ଟ ମଧ୍ୟ ନିଜ ଶାଣିତ ବୋଲିଂରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ପୂରା ଘାଇଲା କରି ଦେଇଛନ୍ତି। ସାଉଦି-ବୋଲ୍ଟ ବି ନ୍ୟୁଜିଲାଣ୍ଡକୁ ଶତକୀୟ ଟେଷ୍ଟ୍‌ ବିଜୟ ଉପହାର ଦେଇଛନ୍ତି। ନ୍ୟୁଜିଲାଣ୍ଡ୍‌ ୪୪୧ ମ୍ୟାଚ୍ ଖେଳି ଅଷ୍ଟ୍ରେଲିଆ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ଭାରତ ପରେ ୧୦୦ ଟେଷ୍ଟ୍‌ ଜିତିବାର ଗୌରବ ପାଇଛି। ସେପଟେ ଭାରତର ବିଜୟ ଧାରା ୱେଲିଂଟନ ଟେଷ୍ଟରେ ଅଟକି ଯାଇଛି। ୭ ଟେଷ୍ଟ୍‌ ପରେ ଭାରତ ପ୍ରଥମ ପରାଜୟ ବରଣ କରିଛି। ପ୍ରଥମେ ବ୍ୟାଟିଂ କରି କୋହଲିଙ୍କ ନେତୃତ୍ବରେ ଦ୍ବିତୀୟ ପରାଜୟ ବରଣ କରିଛି। ଏହା ପୂର୍ବରୁ ଭାରତ ୨୦୧୮ ମସିହାରେ ଲର୍ଡସଠାରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡଠାରୁ ପାଳି ଓ ୧୫୯ ରନ୍‌ରେ ପରାଜିତ ହୋଇଥିଲା।

ନ୍ୟୁଜିଲାଣ୍ଡର ବଳିଷ୍ଠ ରଣନୀତି, ବିରାଟ ବାହିନୀର ଆତ୍ମସମର୍ପଣ
ୱେଲିଂଟନ ଟେଷ୍ଟ୍‌ରେ ନ୍ୟୁଜିଲାଣ୍ଡ ପ୍ରତ୍ୟେକ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ସ୍ବତନ୍ତ୍ର ଓ ଭିନ୍ନ ଭିନ୍ନ ରଣନୀତି କରିଥିଲା। ଗୋଟିଏ ଯୋଜନା ବିଫଳ ହେଲେ ଅନ୍ୟ ସଂରକ୍ଷିତ ରଣନୀତିକୁ କାମରେ ଲଗାଇ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରିଥିଲା। ପ୍ରଥମ ପାଳିରେ ଭାରତକୁ ମାତ୍ର ୧୬୫ ରନ୍‌ରେ ଅଲଆଉଟ୍ କରି ସ୍ମରଣୀୟ ବିଜୟ ପାଇଁ ମୂଳଦୁଆ ପକାଇଥିଲା। ସେହିଭଳି ନିଜ ପାଳିରେ ୩୪୮ ରନ୍ କରି ୧୮୩ ରନ୍‌ର ଅଗ୍ରଣୀ ଲାଭ କରିଥିଲା। ଘରୋଇ ଦଳ ୨୨୫ ରନ୍‌ରେ ୭ ୱିକେଟ୍ ହରାଇବା ପରେ ଭାରତୀୟ ବୋଲର ସେମାନଙ୍କୁ ବଳକା ୩ ୱିକେଟ୍‌ ନେବା ପୂର୍ବରୁ ୧୨୩ ରନ୍ ଯୋଡ଼ିବାର ସୁଯୋଗ ଦେଇଥିଲେ। ସେହିଠାରେ ହିଁ ଭାରତ ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ପ୍ରଥମ ପାଳି ବିଫଳାରୁ କୌଣସି ଶିକ୍ଷା ଲାଭ ନ କରି ସାଉଦି ଓ ବୋଲ୍ଟ ରଚିଥିବା ଚକ୍ରବ୍ୟୁହରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଜଣେ ପରେ ଜଣେ ଫସି ଯାଇଥିଲେ। ଫଳରେ ଭାରତ ନିଜ ଦ୍ବିତୀୟ ପାଳି ମାତ୍ର ୧୯୧ ରନ୍ କରି ପାରିଥିଲା। ବୋଲ୍ଟ ସୋମବାର ପ୍ରଥମେ ଦୁଇ ଅପରାଜିତ ତାରକାଙ୍କ ମଧ୍ୟରୁ ଅଜିଙ୍କ୍ୟ ରାହାଣେଙ୍କୁ ଶିକାର କରିଥିଲେ। ଏହା ପରେ ହନୁମା ବିହାରୀଙ୍କୁ ସାଉଦି କ୍ଲିନ୍ ବୋଲ୍ଡ କରି ଦେଇଥିଲେ। ଏହା ପରେ କେବଳ ଔପଚାରିକତା ବାକି ଥିଲା। ଅଶ୍ବିନ, ଈଶାନ୍ତ ଓ ସାମିଙ୍କ ପରେ ଶେଷ ୱିକେଟ୍ ଭାବେ ବୁମରାଙ୍କୁ ସାଉଦି ବଦଳ ଖେଳାଳି ଡାରେଲ ମିଚେଲଙ୍କ ହାତରେ କ୍ୟାଚ୍ କରାଇ ଦେଢ଼ ଦିନରୁ ଅଧିକ ସମୟ ପୂର୍ବରୁ ନ୍ୟୁଜିଲାଣ୍ଡ ବିଜୟରେ ମୁଣ୍ଡି ମାରିଥିଲେ।

ପର୍ଯ୍ୟାପ୍ତ ପ୍ରତିସ୍ପର୍ଦ୍ଧା ଦେଖାଇ ପାରିଲୁନି: କୋହଲି
ନ୍ୟୁଜିଲାଣ୍ଡଠାରୁ ୧୦ ୱିକେଟ୍ ପରାଜୟର କାରଣ ଦର୍ଶାଇବାକୁ ଯାଇ ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ଆମେ ପର୍ଯ୍ୟାପ୍ତ ପ୍ରତିସ୍ପର୍ଦ୍ଧା ଦେଖାଇ ପାରିଲୁନି। ଟସ୍‌ର ବେଶି ମହତ୍ବ ରହିଲାନି। ଏକ ବ୍ୟାଟିଂ ବାହିନୀ ଭାବେ ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କଲୁ। ହେଲେ ନ୍ୟୁଜିଲାଣ୍ଡ ଆମଠାରୁ ଭଲ କ୍ରିକେଟ୍ ଖେଳିଲା। ୨୨୦-୨୩୦ ରନ୍‌ର ଲକ୍ଷ୍ୟ ନିଶ୍ଚିତ ଭାବେ ଘରୋଇ ଦଳ ପାଇଁ କଷ୍ଟକର ହୋଇଥାଆନ୍ତା। ଆମ ବୋଲର ଭଲ କରିଥିଲେ। ସମୟକ୍ରମେ ୱିକେଟ୍ ବି ବ୍ୟାଟିଂ ଉପଯୋଗୀ ହୋଇଯାଇଥିଲା। ଶୋଚନୀୟ ପରାଜୟ ପରେ ହେଉଥିବା ସମାଲୋଚନା ଉପରେ ମତ ରଖି ସେ କହିଥିଲେ ଯେ ମାତ୍ର ଗୋଟିଏ ମ୍ୟାଚ୍ ହାରିବା ପରେ ଆମକୁ ଖରାପ ଦଳର ଆଖ୍ୟା ଦିଆଯାଇ ନପା‌ରେ। ଭଲ ଖେଳିନୁ ବୋଲି ଆମେ ଜାଣିଛୁ। ‌ଏଥିନେଇ କିନ୍ତୁ ଏତେ ଚର୍ଚା ଠିକ୍ ନୁହେଁ। ଏହା ଛୋଟ କଥାକୁ ଅଯଥାରେ ବଡ଼ କଲା ଭଳି। ବ୍ୟକ୍ତିଗତ ଭାବେ ଦୁଇଟି ପାଳିରେ ବିଫଳ ହେବା ତାଙ୍କୁ ବାଧିଛି ବୋଲି ଅବଶ୍ୟ ସେ ସ୍ବୀକାର କରିଥିଲେ। ଏହି ବିଷୟରେ ଅଧିକ ଭାବିବାକୁ ସେ ଚାହୁଁ ନଥିବା ମତ ରଖିଥିଲେ। କୋହଲି କହିଥିଲେ ମୁଁ ଏହି ବିଷୟରେ ଯେ‌ତେ ଭାବିବି, ସେତେ ଚିନ୍ତାଗ୍ରସ୍ତ ହେବି। ମୁଁ ଏବେ ପୂରା ଠିକ୍ ଅଛି। ଭଲ ବ୍ୟାଟିଂ କରୁଛି। ମୋ‌ତେ ଲାଗୁଛି ଅନେକ ସମୟରେ ସ୍କୋର ଆପଣ କେମିତି ଖେଳୁଛନ୍ତି, ତାକୁ ଦର୍ଶାଇ ନଥାଏ। ଏଭଳି ସ୍ଥିତି ସେତିକି ବେଳେ ସୃଷ୍ଟି ହୋଇଥାଏ ଯେ‌ତେବେଳେ ଅପଣ ସବୁଠାରୁ ଭଲ ଭାବେ କରୁଥିବା କା‌ମଟି କରି ପାରନ୍ତି ନାହିଁ।

ସମ୍ବନ୍ଧିତ ଖବର