ପୂର୍ବାଞ୍ଚଳ ଆକାଉଣ୍ଟ୍‌ ଆଣ୍ଡ୍‌ ଅଡିଟ୍‌ କ୍ରିକେଟ୍‌ ୮ରୁ

ବିପ୍ଳବ ଓଡ଼ିଶା ଦଳ ଅଧିନାୟକ

ଭୁବନେଶ୍ୱର: ଚତୁର୍ଥ ଥର ପାଇଁ ଓଡ଼ିଶାରେ ପୂର୍ବାଞ୍ଚଳ ଆକାଉଣ୍ଟ ଆଣ୍ଡ ଅଡିଟ୍‌ କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜିତ ହୋଇଛି। ଶେଷ ଥର ପାଇଁ ୨୦୧୧ ମସିହାରେ ଆୟୋଜିତ ଏହି ପ୍ରତିଯୋଗିତାର ୨୦୧୭-୧୮ ଋତୁ ପ୍ରତିଯୋଗିତା ଭୁବନେଶ୍ୱରର ୨ଟି ପଡ଼ିଆରେ ଜାନୁଆରି ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କିଟ୍‌ ଓ ଇଡ୍‌କୋ ପଡ଼ିଆରେ ଏହାର ମ୍ୟାଚ୍‌ ଗୁଡ଼ିକ ଖେଳାଯିବ। ଓଡ଼ିଶା ଏଜି ସମେତ ପଶ୍ଚିମବଙ୍ଗ, ଆସାମ, ତ୍ରିପୁରା, ବିହାର ଏବଂ ଝାଡ଼ଖଣ୍ଡ ଆଦି ୬ ଦଳ ଭାଗନେବେ। ୪୦ ଓଭର ବିଶିଷ୍ଟ ଏହି ନକ୍‌ ଆଉଟ୍‌ ପ୍ରତିଯୋଗିତାରେ ମୋଟ ୫ ମ୍ୟାଚ୍‌ ଖେଳାଯିବ ବୋଲି ଏଜି ଓଡ଼ିଶାର ଡିଏଜି ଜ୍ୟୋତି ଚୌରାସିଆ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଗତବର୍ଷର ବିଜେତା ପଶ୍ଚିମବଙ୍ଗ ଏବଂ ଉପ ବିଜେତା ଓଡ଼ିଶାକୁ ବାଇ ମିଳିଥିବାରୁ ଉଭୟ ଦଳ ସିଧାସଳଖ ସେମିଫାଇନାଲ ଖେଳିବେ। ପ୍ରତିଯୋଗିତାର ଶ୍ରେଷ୍ଠ ଦୁଇ ଦଳ ଫେବ୍ରୁଆରିରେ ନାଗପୁରରେ ହେବାକୁ ଥିବା ସର୍ବଭାରତୀୟ ଆଇଏ ଆଣ୍ଡ୍‌ ଏଡି ପ୍ରତିଯୋଗିତାରେ ଭାଗନେବାର ସୁଯୋଗ ପାଇବେ ବୋଲି କହିଥିଲେ ପୂର୍ବତନ ଖେଳାଳି ତଥା ଏଜି ରିକ୍ରିଏସନ୍‌ କ୍ଲବ୍‌ର ସାଧାରଣ ସମ୍ପାଦକ ସରୋଜ କୁମାର ବାରିକ। ଅନ୍ୟତମ ଡିଏଜି ମସରୁର୍‌ ଅହମ୍ମଦ ମଧ୍ୟ ଉପସ୍ଥିତ ଥିଲେ। ଓଡ଼ିଶା ଦଳର ନେତୃତ୍ୱ ରଣଜୀ ଅଲରାଉଣ୍ଡର୍‌ ବିପ୍ଳବ ସାମନ୍ତରାୟ ନେବେ ବୋଲି ପ୍ରକାଶ କରିଥିଲେ ଶ୍ରୀ ବାରିକ। ଉଦ୍‌ଘାଟନୀ ଦିବସରେ କ୍ରୀଡ଼ା ଓ ଯୁବସେବା ନିର୍ଦ୍ଦେଶକ ତଥା ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦେଶକ ଭିନିଲ୍‌ କ୍ରିଷ୍ଣା ଏବଂ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍‌ ତଥା ପୂର୍ବତନ ଏଜି ଓଡ଼ିଶା ଅଧିକାରୀ ଦେବାଶିଷ ମହାନ୍ତି ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶା ଏଜି ଦଳ: ବିପ୍ଳବ ସାମନ୍ତରାୟ (ଅଧିନାୟକ), ଅରବିନ୍ଦ ସିଂହ, ସୁମିତୋଷ ପ୍ରହରାଜ, ଶରଣଜିତ୍‌ ସିଂହ, ପ୍ରଦୋଷ ମହାନ୍ତି, ଅଭୟ କୁମାର ସିଂହ୍ନା, ପ୍ରଦୀପ ଦାସ, ପୁନିତ ଭାରତୀ, ସରୋଜ କୁମାର ବାରିକ, ବିଭୂଦତ୍ତ ପଣ୍ଡା, ବସନ୍ତ କୁମାର ମହାନ୍ତି, ପାୟସ ରଂଜନ ସିହ୍ନା, ଦୀପ୍ତିରଂଜନ ଜେନା, ଗୋବିନ୍ଦ ପୋଦ୍ଦାର, ସୌଭାଗ୍ୟ ରଂଜନ ମହାନ୍ତି, ପିନାଟି ଜୟଚନ୍ଦ୍ର, ଅଶୋକ କୁମାର ପଣ୍ଡା, ସୁଶାନ୍ତ ରଥ। ପ୍ରଶିକ୍ଷକ: ଅବକାଶ ଖଟୁଆ, ପ୍ରବଂଧକ: ଶୁଭାଶିଷ ଭୂୟାଁ।

ସମ୍ବନ୍ଧିତ ଖବର