ଭାରତ ପହଞ୍ଚିଲା ୱେଷ୍ଟଇଣ୍ଡିଜ୍‌ ଦଳ

ଭଦୋଦରା: ଏକ ପୂର୍ଣ୍ଣାଙ୍ଗ ଶୃ୍ଙ୍ଖଳା ଖେଳିବା ପାଇଁ ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ଦଳ ବୁଧବାର ଭାରତରେ ପାଦ ଦେଇଛି। ଭାରତ ବିପକ୍ଷରେ ଇଣ୍ଡିଜ୍‌ ଦଳ ୨ ଟେଷ୍ଟ, ୫ ଦିନିକିଆ ଓ ୩ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବ। ଏହି ଶୃଙ୍ଖଳା ଆସନ୍ତା ୨୯ ଓ ୩୦ ଦୁଇ ଦିନ ଧରି ବୋର୍ଡ ସଭାପତି ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରୁ ହିଁ ଆରମ୍ଭ ହେବ। ଅଭ୍ୟାସ ମ୍ୟାଚ୍‌ ଭଦୋଦରାରେ ଖେଳାଯିବା ପାରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ଦଳ ପ୍ରଥମ ଟେଷ୍ଟ ଖେଳିବା ପାଇଁ ରାଜ୍‌କୋଟ ଯାତ୍ରା କରିବ। ଅଲ୍‌ରାଉଣ୍ଡର ଜାସନ୍‌ ହୋଲ୍‌ଡରଙ୍କ ନେତୃତ୍ବରେ ଇଣ୍ଡିଜ୍‌ ଦଳ ଭାରତ ପହଞ୍ଚିବା ପରେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ କରିଛି। ଭାରତରେ ପାଦ ଦେବା ପରେ ହୋଟେଲରେ ୱେଷ୍ଟଇଣ୍ଡିଜ୍‌ ଦଳର ଖେଳାଳି ଓ ଅଧିକାରୀମାନଙ୍କୁ ପାରମ୍ପରିକ ରୀତିରେ ସ୍ବାଗତ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍‌ ୧୯୪୮ରୁ ଏମଧ୍ୟରେ ଭାରତ ବିପକ୍ଷରେ ୯୪ ଟେଷ୍ଟ ଖେଳିଛି। ସେମଧ୍ୟରୁ ଇଣ୍ଡିଜ୍‌ ଦଳ ୩୦ ଜିତିଥିଲା ବେଳେ ୨୮ରେ ହାରିଛି। ଅବଶିଷ୍ଟ ୩୬ ମ୍ୟାଚ୍‌ ଅମୀମାଂସିତ ରହିଛି।
ୱେଷ୍ଟଇଣ୍ଡିଜ୍‌ ଦଳ: ଜା‌ସନ୍‌ ହୋଲ୍‌ଡର (ଅଧିନାୟକ), ସୁନିଲ ଅମ୍ବ୍ରିସ୍‌, ଦେବେନ୍ଦ୍ର ବିଶୁ, କ୍ରେଗ୍‌ ବ୍ରାଥ୍‌ୱେଟ୍‌, ରଷ୍ଟନ ଚେଜ୍‌, ସେନ୍‌ ଡୌରିକ୍‌, ସାନନ୍‌ ଗାବ୍ରିଏଲ୍‌, ଜାମର୍‌ ହାମିଲଟନ୍‌, ସିମ୍ରନ୍‌ ହେଟ୍‌ମେୟର, ସାଇ ହୋପ୍‌, ଅଲ୍‌ଜାରି ଜୋସେଫ୍‌, କିମୋ ପଲ୍‌, କିରଣ ପାୱେଲ, କେମାର ରୋଚ୍‌, ଜୋ‌େମଲ୍‌ ୱ‌ାରିକାନ୍‌।

ସମ୍ବନ୍ଧିତ ଖବର