ଗୁରୁବାରରୁ ଇଣ୍ଡିଜ୍‌ ଟେଷ୍ଟ୍‌, ଭାରତର ଖେଳାଳି ଚୟନ ଦ୍ବନ୍ଦ୍ବ

ଆଣ୍ଟିଗୁଆ: ଭାରତ ଏବଂ ‌ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଗୁରୁବାରଠାରୁ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି। ୮ ମାସ ପରେ ଭାରତ ଏକ ଟେଷ୍ଟ୍ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଖେଳାଳି ଚୟନକୁ ନେଇ ଏକାଧିକ ଦ୍ବନ୍ଦ୍ବର ଦୋଛକିରେ ଛିଡ଼ା ହୋଇଛି। ସେ ମଧ୍ୟରୁ ତିନିଟି ପ୍ରସଙ୍ଗ ଉପରେ ଆସନ୍ତୁ ଆଲୋଚନା କରିନେବା।

କୋହଲିଙ୍କ ପରେ କିଏ?
ଭାରତର ଶୀର୍ଷ ୪ ଜଣଙ୍କୁ ନେଇ କୌଣସି ବିତର୍କର ଆବଶ୍ୟକତା ନାହିଁ। ପୃଥ୍ବୀ ସ’ଙ୍କ ଅନୁପସ୍ଥିତିରେ ମୟଙ୍କ ଅଗ୍ରୱାଲ ମେଲବର୍ନ ଟେଷ୍ଟ୍ ଖେଳି ୭୬ ଏବଂ ୪୨ ରନ୍ କରିଥି‌ଲେ। କେଏଲ୍ ରାହୁଲ ଏବଂ ଚେତେଶ୍ବର ପୂଜାରାଙ୍କ ମୁଣ୍ଡ ଉପରେ ବି ଖଡ୍‌ଗ ଝୁଲିବାର ନାହିଁ। ବିରାଟ କୋହଲି ୪ ନମ୍ବର ସ୍ଥାନରେ ନିଶ୍ଚିତ ରହିଛନ୍ତି। କିନ୍ତୁ କୋହଲିଙ୍କ ପରେ କିଏ ଖେଳିବେ ପ୍ରଶ୍ନ ଉଠିଛି। ହାର୍ଦିକ ପାଣ୍ଡ୍ୟା ଉପଲବ୍‌ଧ ନଥିବାରୁ ଭାରତ ଅଧିକ ଦୁଇ ଜଣ ବ୍ୟାଟସମ୍ୟାନ୍‌ଙ୍କୁ ଖେଳାଇବା ସମ୍ଭାବନା ରହିଛି। ସିମିଂ ପିଚ୍‌ରେ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ଭାରତ ନିଜର ବ୍ୟାଟିଂକୁ ଦୃଢ଼ କରିବା ସମ୍ଭାବନା ରହିଛି। କାରଣ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ପାଇଁ ୨୦ ୱିକେଟ୍ ଦଖଲ କରିବାରେ କୌଣସି ଅସୁବିଧା ହୋଇନଥିଲା। ଏଭଳି ‌କ୍ଷେତ୍ରରେ ଭାରତକୁ ହନୁମା ବିହାରୀ, ରୋହିତ ଶର୍ମା କିମ୍ବା ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରୁ ଜଣଙ୍କୁ ଛାଡ଼ିବା ନିଶ୍ଚିତ କଷ୍ଟକର ବ୍ୟାପାର ହେବ। ମେଲବର୍ନ ଟେଷ୍ଟ୍‌ରେ ପାଳି ଆରମ୍ଭ କରିବା, ସମ୍ପ୍ରତି ‘ଏ’ ଦଳ ସହ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଶତକ ମାରି ବିହାରୀ ଦାବିଦାର ରହିଛନ୍ତି। ଗତ ଡିସେମ୍ବର ମାସ ପରଠାରୁ ରୋହିତ ଶର୍ମା ‌ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିନାହାନ୍ତି। ଶେଷ ଥର ପାଇଁ ମେଲବର୍ନ ଟେଷ୍ଟ୍‌ରେ ସେ ଧୈର୍ଯ୍ୟପୂର୍ଣ୍ଣ ଅପରାଜିତ ଶତକ ହାସଲ କରିଥିଲେ। ମଧ୍ୟକ୍ରମରେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ବି ଏଭଳି କିଛି କରିନାହାନ୍ତି ଯେ ରୋହିତଙ୍କୁ ବା‌ହାରେ ବସିବାକୁ ବାଧ୍ୟ କରିବେ। ଅଜିଙ୍କ୍ୟ ରାହାଣେ ଦଳର ଉପ ଅଧିନାୟକ, କୋହଲିଙ୍କଠାରୁ ‌ଖୋଲାଖୋଲି ସମର୍ଥନ ପାଇଛନ୍ତି, କିନ୍ତୁ ଫର୍ମ ଚିନ୍ତାର କାରଣ। ୧୭ ଟେଷ୍ଟ୍ ଏବଂ ୨ ବର୍ଷ ହେଲାଣି ରାହାଣେ ଶେଷ ଟେଷ୍ଟ ଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆ ଗସ୍ତ ପରଠାରୁ ରଣଜୀ ଟ୍ରଫି ଏବଂ ଦ୍ବିତୀୟ ଡିଭିଜନ୍‌ କାଉଣ୍ଟିରେ ମାତ୍ର ଗୋଟିଏ ଶତକ ସହିତ ୨୭ ହାରରେ ରନ୍ କରିଛନ୍ତି।

ସାହା ନା ପନ୍ତ୍‌?
ଜଣେ ଭଲ ପ୍ରଦର୍ଶନକାରୀ ଯଦି ଆହତ ସମସ୍ୟାରେ ବାଦ୍ ପଡୁଛନ୍ତି ତେବେ ଯୁବ ଖେଳାଳି ଏହି ସ୍ଥାନକୁ ନେଇଯିବାର ବିପଦ ବି ଆସିଥାଏ। ଋଦ୍ଧିମାନ ସାହା ବି ଏଭଳି ସମସ୍ୟା ଭିତରେ ରହିଛନ୍ତି। ୧୮ ମାସ ଧରି ଟେଷ୍ଟ୍ କ୍ରିକେଟ୍‌ଠାରୁ ଦୂରେଇ ରହିଛନ୍ତି। ତାଙ୍କ ଅନୁପସ୍ଥିତିରେ ଋଷବ ପନ୍ତ୍‌ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତରେ ଗୋଟିଏ ମାତ୍ର ଶତକ ହାସଲ କରିଥିଲେ। ସାହା କିନ୍ତୁ ତାଙ୍କ ପ୍ରତ୍ୟାବର୍ତନରେ ଚଳିତ ଇଣ୍ଡିଜ ଗସ୍ତରେ ଭାରତ ‘ଏ’ ପାଇଁ ଅଣଆନୁଷ୍ଠାନିକ ଟେଷ୍ଟ୍‌ରେ ୨ ଅର୍ଧଶତକ ହାସଲ କରିଛନ୍ତି। ଉଭୟଙ୍କ ମଧ୍ୟରୁ ଯିଏ ପ୍ରଥମ ଟେଷ୍ଟ୍ ଖେଳିବ ସେ ଦ୍ବିତୀୟ ଟେଷ୍ଟ୍‌ରେ ବି ସୁଯୋଗ ପାଇବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି।

କେତେ ଜଣ ସ୍ପିନର୍‌?
ଭାରତ ଯଦି ୬ ଜଣ ବ୍ୟାଟସମ୍ୟାନଙ୍କୁ ନେଇ ଖେଳୁଛି ତେବେ ଜଣେ ମାତ୍ର ସ୍ପିନର୍‌ ସୁଯୋଗ ପାଇବା ନିଶ୍ଚିତ। ୩ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସାମି ସ୍ବତଃ ସ୍ଥାନ ପକ୍କା କରିଛନ୍ତି। କୁଲଦୀପ ଯାଦବଙ୍କୁ ଏସିଆ ବାହାରେ ଭାରତର ଏକ ନମ୍ବର ସ୍ପିନର୍ କହିଥିବା ପ୍ରଶିକ୍ଷକ ରବି ଶାସ୍ତ୍ରୀ ଯଦି ତାଙ୍କୁ ସୁଯୋଗ ଦିଅନ୍ତି ତେବେ ଆର୍ ଅଶ୍ବିନଙ୍କୁ ବାହାରେ ବସିବାକୁ କହିବେ। ଶାସ୍ତ୍ରୀଙ୍କ କଥାରେ କୋହଲି ରାଜି ହୋଇଗଲେ ଶେଷ ଥର ପାଇଁ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ଅଶ୍ବିନ୍ ବି ନିରାଶ ହେବେ। ଭାରତ ଯଦି ଦ୍ବିତୀୟ ସ୍ପିନର କଥା ବିଚାର କରିବ ତେବେ ରବୀନ୍ଦ୍ର ଜାଦେଜା ବି ଚୟନ ପରିସରକୁ ଚାଲି ଆସିବେ। ବ୍ୟାଟିଂ କ୍ଷମତା ରଖିଥିବାରୁ ଜାଦେଜା ଦଳର ନିମ୍ନକ୍ରମକୁ ଶକ୍ତି ଦେଇପାରିବେ।

 

ସମ୍ବନ୍ଧିତ ଖବର