ଦୂତିଙ୍କ ଉପରେ େଓ୍ଵଷ୍ଟ୍‍ଲ୍ୟାଣ୍ଡ୍‌ ଛାପିବ ପୁସ୍ତକ

ଭୁବନେଶ୍ୱର: ଓଡ଼ିଶାର ବିସ୍ମୟ ଯୁବତୀ ଦୂତି ଚାନ୍ଦଙ୍କ ଉପରେ କେବଳ ଚଳଚ୍ଚିତ୍ର ନୁହେଁ ପୁସ୍ତକ ମଧ୍ୟ ଛପାଯିବ। ଭାରତର ସର୍ବବୃହତ ଇଂରାଜି ଭାଷା ପ୍ରକାଶନ ସଂସ୍ଥା େଓ୍ଵଷ୍ଟଲାଣ୍ଡ୍‌ ପବ୍ଲିକେସନ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏଭଳି ପ୍ରୟାସ କରିଛି। ଖୁବ ଶୀଘ୍ର ଏହା ପ୍ରକାଶିତ ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ପେସାଦାର ଖେଳାଳି, ଜାତୀୟ ୧୦୦ ମିଟର୍‌ ବିଜୟିନୀ ତଥା ସଦ୍ୟ ସମାପ୍ତ ଏସୀୟ କ୍ରୀଡ଼ାରେ ୨ଟି ରୌପ୍ୟ ପଦକ ଜିତିଥିବା ଦୂତି ଚାନ୍ଦଙ୍କ ଅଦ୍ୟାବଧି ସଫଳତାର ଫର୍ଦ ସହିତ ସଂଘର୍ଷର କାହାଣୀ ଏଥିରେ ରହିବ। ଲୋକଙ୍କ ବିଶ୍ୱାସ ବାହାରେ ରହୁଥିବା ଦୂତିଙ୍କ ଯାତ୍ରାରେ ସେ କିଭଳି ଦାରିଦ୍ର୍ୟର କଷାଘାତରୁ ଦେଶର ତାରକା ବନିଛନ୍ତି ଏବଂ ହାଇପରଆଣ୍ଡ୍ରୋଜେନ୍‌ ବିବାଦରେ ସମସ୍ତ ବିଶ୍ୱର ମହିଳା କ୍ରୀଡ଼ାବିତ୍‌ଙ୍କ ପାଇଁ ଐତିହାସିକ ବିଜୟ ହାସଲ କରିଥିଲେ ତାହାର ବିବରଣୀ ମଧ୍ୟ ଏଥିରେ ସ୍ଥାନ ପାଇବ। ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ, ଲେଖକ ତଥା ଚଳଚ୍ଚିତ୍ର ନିର୍ମାତା ସନ୍ଦୀପ ମିଶ୍ର ଦୂତିଙ୍କ କାହାଣୀ ଲେଖିଛନ୍ତି। ଜଣେ ଉଦିତ ତାରକା କିଭଳି ଅଦାଲତରୁ ଟ୍ରାକ୍‌ ପର୍ଯ୍ୟନ୍ତ ଲଢ଼େଇ କରିଛନ୍ତି ପୁସ୍ତକରେ ଏହାର ଭାବପୂର୍ଣ୍ଣ ବର୍ଣ୍ଣନା ରହିଛି ବୋଲି ସନ୍ଦୀପ କହିଛନ୍ତି। ନିଜ ଯାତ୍ରା ସମ୍ପର୍କରେ ଦୂତି ନିକଟରେ କହିଥିଲେ ‘ମୁଁ କେବେ ନିଜ ଉପରେ ଥିବା ବିଶ୍ୱାସକୁ ବନ୍ଦ କରିନଥିଲି, ଈଶ୍ୱରଙ୍କ ଉପରେ ବି ବିଶ୍ୱାସ ଥିଲା’। ସେହିଭଳି େଓ୍ଵଷ୍ଟଲ୍ୟାଣ୍ଡ୍‌ର ସିଇଓ ଗୌତମ ପଦ୍ମନାଭନ କହିଛନ୍ତି ‘ଦୂତିଙ୍କ କାହାଣୀ ସମସ୍ତଙ୍କ ପାଇଁ ଉଦାହରଣ। ମାମଲା ଲଢ଼ିବା ଏବଂ ପଡ଼ିଆକୁ ଫେରିବା ପରେ ଯେଉଁ ପ୍ରତିଯୋଗିତାରେ ତାଙ୍କୁ ୪ ବର୍ଷ ତଳେ ଲଢ଼ିବାରୁ ବଞ୍ଚିତ ରଖାଯାଇଥିଲା ସେଥିରେ ୨ ରୌପ୍ୟ ପଦକ ଜିତିଛନ୍ତି। ସନ୍ଦୀପ ତାଙ୍କର ଆଶା, ଧୈର୍ଯ୍ୟ, ପରିଶ୍ରମ ଓ ସଫଳତାର କାହାଣୀକୁ ବିସ୍ତତ ଭାବେ ବର୍ଣ୍ଣନା କରିଛନ୍ତି ବୋଲି ଗୌତମ କହିଛନ୍ତି। ସୂଚନାଯୋଗ୍ୟ, ହକି ସାମ୍ବାଦିକତାରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସନ୍ଦୀପ ମିଶ୍ର ଏକାଧିକ ଜାତୀୟ ଗଣମାଧ୍ୟମରେ କାମ କରିବାର ଅଭିଜ୍ଞତା ରଖିଛନ୍ତି। ହକି କିମ୍ବଦନ୍ତୀ ଧନରାଜ ପିଲ୍ଲେଙ୍କ ଉପରେ ପୁସ୍ତକ ‘ଫରଗିଭ୍‌ ମି ଆମ୍ମା’ (ମା’ ମୋତେ କ୍ଷମା କରିଦିଅ) ଭାରତୀୟ କ୍ରୀଡ଼ା ଲେଖା ମଧ୍ୟରେ ଶ୍ରେଷ୍ଠ ବିବେଚିତ ହୋଇଥିଲା। ୭ଟି ହକି ବିଶ୍ୱକପ୍‌ ସହିତ ସନ୍ଦୀପ ବହୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ କ୍ରୀଡ଼ା ଏବଂ ଅଲିମ୍ପିକ୍ସ ଇଭେଣ୍ଟ୍‌ କଭର୍‌ କରିଛନ୍ତି।

ସମ୍ବନ୍ଧିତ ଖବର