କେଦାରଙ୍କ ବିକଳ୍ପ ପନ୍ତ ନା ରାୟୁଡୁ

ନୂଆଦିଲ୍ଲୀ: ଆଗାମୀ ବିଶ୍ବକପ୍‌ ପୂର୍ବରୁ ଅଲ୍‌ରାଉଣ୍ଡର କେଦାର ଯାଦବଙ୍କ ଆହତ ଭାରତୀୟ ଦଳର ଚିନ୍ତା ବଢ଼ାଇଛି। ଆଇପିଏଲ୍‌ ବେଳେ କେଦାର ଆହତ ହୋଇଛନ୍ତି। ଯଦିଓ ସେ ଠିକ୍‌ ସମୟରେ ତଥା ବିଶ୍ବକପ୍‌ ଆରମ୍ଭ ପୂର୍ବରୁ ସୁସ୍ଥ ହୋଇଯିବେ ‌ବୋଲି ଦଳୀୟ ସୂତ୍ରରୁ କୁହାଯାଉଛି, ତଥାପି ତାଙ୍କ ବିକଳ୍ପ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ଯଦି କେଦାର ଠିକ୍‌ ସମୟ ସୁଦ୍ଧା ସୁସ୍ଥ ନହୁଅନ୍ତି ତେବେ ତାଙ୍କ ବିକଳ୍ପ କିଏ ହେବ, ଋଷଭ ପନ୍ତ ନା ଅମ୍ବାତି ରାୟୁଡୁ ସେନେଇ ଭିନ୍ନ ମତ ପ୍ରକାଶ ପାଇଛି। ବିଶେଷକରି ୧୯୮୩ ବିଶ୍ବ ବିଜେତା ଭାରତୀୟ ଦଳର ଦୁଇ ସଦସ୍ୟ ରୋଜର ବିନ୍ନି ଓ ସୟଦ୍‌ କିର୍ମାନି ମୁହାଁମୁହିଁ ହୋଇଛନ୍ତି।

ଏକ ଲମ୍ବା ଋତୁ ପରେ ଭାରତୀୟ ଦଳ ଏବେ ସତେଜ ମନ ଓ ଶାରୀରିକ ସୁସ୍ଥତା ନେଇ ବିଶ୍ବକପ୍‌ ଯିବା ଉଚିତ। ଫିଟ୍‌ନେସ୍‌ ହିଁ ଭାରତ ସଫଳତାର ଚାବିକାଠୀ ହେବ। ଏବେ ଖେଳାଳିମାନେ ଏକତ୍ରିତ ହେବାର ସମୟ ଆସିଛି। ବିଶେଷକରି ମ୍ୟାଚ୍‌ ଫିଟ୍‌ ଖେଳାଳିମାନଙ୍କ ମୁଖ୍ୟ ଲକ୍ଷ୍ୟ ରହିବ। ଯଦି କେଦାର ଯାଦବ ଠିକ୍‌ ସମୟରେ ସୁସ୍ଥ ନହୁଅନ୍ତି, ତେବେ ତାଙ୍କ ସ୍ଥାନରେ ଋଷଭ ପନ୍ତ ଖେଳିବା ମୋର ମତ ବୋଲି ୧୯୮୩ ବିଶ୍ବବିଜେତା ଭାରତୀୟ ଦଳର ସଦସ୍ୟ ତଥା ମଧ୍ୟମଗତି ବୋଲର ରୋଜର ବିନ୍ନି କହିଛନ୍ତି। ପନ୍ତ ଏଭଳି ଜଣେ ଖେଳାଳି ଯିଏକି କୌଣସି ବି ବୋଲରଙ୍କୁ ସାମ୍‌ନା କରି ଦଳକୁ ବିଜୟ ଦେବାର ସାମର୍ଥ୍ୟ ରଖିଛନ୍ତି। ପନ୍ତ ୧୦ ଓଭର କିମ୍ବା ଅଧଘଣ୍ଟା ମଧ୍ୟରେ ମ୍ୟାଚ୍‌ର ଗତିପଥ ବଦଳାଇପାରିବେ। ତେଣୁ ବଡ଼ ପ୍ରତିଯୋଗିତା ବା ଟ୍ରଫି ଜିତିବାକୁ ଚାହୁଁଥିଲେ, ପନ୍ତଙ୍କ ଭଳି ଖେଳାଳିଙ୍କୁ ଦଳରେ ରଖିବା ଜରୁରୀ ବୋଲି ବିନ୍ନି କହିଛନ୍ତି।

ଅନ୍ୟପକ୍ଷରେ ଯଦି କେଦାର ଯାଦବ ସୁସ୍ଥ ହେବାରେ ବିଫଳ ହୁଅନ୍ତି, ତେବେ ବିଜୟ ଶଙ୍କର ନୁହେଁ ମୋ ମତରେ ଅମ୍ବାତି ରାୟୁଡୁ ହିଁ ବିଶ୍ବକପ୍‌ରେ ୪ ନମ୍ବର ପାଇଁ ଯୋଗ୍ୟ ବୋଲି ମତ ରଖିଛନ୍ତି ୧୯୮୩ ବିଶ୍ବ ବିଜେତା ଭାରତୀୟ ଦଳର ୱିକେଟ୍‌ରକ୍ଷକ ସୟଦ୍‌ କିର୍ମାନି। ଗତବର୍ଷ ସେପ୍ଟେମ୍ବରରେ ଏସିଆ କପ୍‌ ବେଳେ ଜାତୀୟ ଦଳକୁ ଫେରିବା ପରଠୁ ରାୟୁଡୁ ବିଶ୍ବକପ୍‌ ପାଇଁ ନିଜକୁ ଦାବିଦାର କରିସାରିଛନ୍ତି। ତାଙ୍କର ୪୭ ଓ ୯୦ ରନ୍‌ର ପାଳି ବ୍ୟତୀତ ନ୍ୟୁଜିଲାଣ୍ଡ୍‌ରେ ଦୁଇଟି ଅପରାଜିତ (୧୩ ଓ ୪୦ ରନ୍‌) ପାଳି ହିଁ ତାଙ୍କୁ ବିଶ୍ବକପ୍‌ରେ ୪ ନମ୍ବର ପାଇଁ ହକ୍‌ଦାର କରିଛି। ଫଳରେ ଏହି କ୍ରମ ପାଇଁ ବିଜୟ ଶଙ୍କରଙ୍କ ତୁଳନାରେ ରାୟୁଡୁ ହିଁ ଶ୍ରେଷ୍ଠ ପସନ୍ଦ ବୋଲି କିର୍ମାନି ଯୁକ୍ତି ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର