ଓ୍ଵିକେଟ୍‌ ରକ୍ଷକମାନେ ଶ୍ରେଷ୍ଠ ଅଲ୍‌ରାଉଣ୍ଡର: କିରଣ ମୋରେ

କଟକ: ବର୍ତ୍ତମାନ ସମୟରେ ଅଧିକାଂଶ ଦଳରେ ବ୍ୟାଟିଂ ଶକ୍ତି ବଢ଼ାଇବା ଲକ୍ଷ୍ୟରେ ବିଶେଷଜ୍ଞ ଓ୍ଵିକେଟ୍‌ ରକ୍ଷକଙ୍କୁ ବାଦ୍‌ ଦିଆଯାଇ ତାଙ୍କ ସ୍ଥାନରେ ପାର୍ଟ ଟାଇମ୍‌ ଓ୍ଵିକେଟ୍‌ ରକ୍ଷକଙ୍କୁ ନିଆଯାଉଛି। ଏହାଦ୍ୱାରା ମ୍ୟାଚ୍‌ରେ ଅତିରିକ୍ତ ବ୍ୟାଟ୍ସମ୍ୟାନ କିମ୍ବା ବୋଲର ସାମିଲ ହେଉଛନ୍ତିି। ହେଲେ ଜଣେ ବିଶେଷଜ୍ଞ ଓ୍ଵିକେଟ୍‌ ରକ୍ଷକ ମ୍ୟାଚ୍‌ର ପ୍ରତ୍ୟେକ ସ୍ଥିତିକୁ ଅତି ନିକଟରୁ ଦେଖୁଥାଏ ଓ ପରଖୁଥାଏ। ତେଣୁ ନେତୃତ୍ୱ ନେବାର କୌଶଳ ତାଙ୍କରି ନିକଟରେ ହିଁ ରହିଥାଏ। ମ୍ୟାଚ୍‌ର ପରିସ୍ଥିତିକୁ ବଦଳାଇବା ପାଇଁ ରଣନୀତି ପ୍ରସ୍ତୁତ କରିବା ବେଳେ ତାଙ୍କରି ପରାମର୍ଶ ଆବଶ୍ୟକ ହୋଇଥାଏ। ତେଣୁ ଓ୍ଵିକେଟ୍‌ ରକ୍ଷକ ହିଁ ପ୍ରକୃତରେ ଜଣେ ଶ୍ରେଷ୍ଠ ଅଲ୍‌ରାଉଣ୍ଡର। ପାର୍ଟ ଟାଇମ ଖେଳାଳି ତାଙ୍କ ସ୍ଥାନ ନେଇପାରିବେ ନାହିଁ। ଧୋନି, ସାଙ୍ଗାକାରା, ଆଣ୍ଡି ଫ୍ଲାଓ୍ଵାର, ଗିଲ୍‌କ୍ରିଷ୍ଟ ସମସ୍ତେ ସ୍ୱତନ୍ତ୍ର ଓ୍ଵିକେଟ୍‌ ରକ୍ଷକ ହୋଇଥିବା ବେଳେ ଭଲ ରନ୍‌ ସଂଗ୍ରହ କରନ୍ତି। ସେଇଥିପାଇଁ ସେମାନେ ସମସ୍ତେ ସଫଳ ଅଧିନାୟକ ମଧ୍ୟ ହୋଇପାରିଥିବା କିରଣ ମୋରେ କହିଛନ୍ତି।
ଗୁରୁବାର ବୋସ୍‌ ପଡ଼ିଆରେ ଶେଷ ହୋଇଥିବା ପିଭିଆର୍‌ ମୂର୍ତ୍ତି ଅନ୍ତଃବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ଅବସରରେ ଓ୍ଵିକେଟ୍‌ ରକ୍ଷକମାନଙ୍କୁ ଆଗକୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ମୋରେ କହିଥିଲେ। ଦିନିକିଆ ଓ ଟେ୍ଵଣ୍ଟି-୨୦ରେ ଧୋନି ଏବଂ ଟେଷ୍ଟରେ ରିଦ୍ଧିମାନ ଶାହାଙ୍କୁ ଛାଡ଼ିଦେଲେ ଅନ୍ୟମାନେ କ୍ୱଚିତ ସୁଯୋଗ ପାଉଛନ୍ତି।

ତେଣୁ ସେମାନଙ୍କୁ ଅପେକ୍ଷା କରିବାକୁ ହେବ ବୋଲି ମୋରେ କହିଛନ୍ତି। ତୃଣମୂଳସ୍ତରରେ ବିଦ୍ୟାଳୟ୍‌ସ୍ତରୀୟ ପ୍ରତିଯୋଗିତା ଖେଳାଳିମାନଙ୍କୁ ଉତ୍ସାହିତ କରିବ। ଏହି ସ୍ତର ହେଉଛି ପ୍ରତ୍ୟେକ ଖେଳାଳିଙ୍କ ପାଇଁ ମୂଳଦୂଆ। ସେମାନଙ୍କୁ ଯେତେ ଅଧିକ ସୁବିଧା ଦିଆଯିବ ସେମାନଙ୍କ ପ୍ରଦର୍ଶନରେ ସେତେ ଅଧିକ ଉନ୍ନତି ଆସିବ। ବିଭିନ୍ନ ରାଜ୍ୟକୁ ଖେଳିବାକୁ ଗଲେ ଭିନ୍ନଭିନ୍ନ ପ୍ରକାରର ଖେଳାଳିଙ୍କ ସହିତ ମିଶିବାର ସୁଯୋଗ ପାଇବେ। କେବଳ ଟେ୍ଵଣ୍ଟି-୨୦ ଖେଳିଲେ ହେବନି ୨/୩ ଦିନିଆ ମ୍ୟାଚ୍‌ ଖେଳିବା ଆବଶ୍ୟକ ବୋଲି ମୋରେ କହିଛନ୍ତି। ଓଡ଼ିଶାରେ ବିତାଇଥିବା ଦିନଗୁଡ଼ିକୁ ମନେପକାଇ ମୋରେ କହିଛନ୍ତି ଯେ ଏଠାରେ ୨୨ ବର୍ଷରୁ କମ୍‌ ଦଳରେ ଖେଳିବାକୁ ସେ ଆସିଥିଲେ। ସେତେବେଳେ ଡର୍ମିଟୋରିରେ ରହୁଥିଲେ।

ବାରିପଦାକୁ ମ୍ୟାଚ୍‌ ଖେଳିବାକୁ ଯାଇଥିଲା ବେଳେ ବସ୍‌ର କାଚ ଭାଙ୍ଗିଯାଇଥିଲା। ସେହିପରି ଓଡ଼ିଶାକୁ ଆସୁଥିବା ବେଳେ ଟ୍ରେନ୍‌ ଦୁର୍ଘଟଣା ହେବାରୁ ୭୫ ଘଣ୍ଟା ବିଳମ୍ବରେ ଏଠାରେ ପହଞ୍ଚିଥିଲେ। ଏଠାରେ ଦଲୀପ ଟ୍ରଫି, ଦେଓଧର ଟ୍ରଫି ମଧ୍ୟ ଖେଳିଛି। ୧୯୮୪ରେ ଇଂଲଣ୍ଡ ବିପକ୍ଷରେ ସେ ଆନ୍ତର୍ଜାତିକ ଦିନିକିଆ ଖେଳିବାକୁ ଆସିଥିଲା ବେଳେ କମ୍‌ ଆଲୋକ ଯୋଗୁଁ ପରିବର୍ତ୍ତିତ ଲକ୍ଷ୍ୟରେ ଇଂଲଣ୍ଡ ମ୍ୟାଚ୍‌ ଜିତିଯାଇଥିଲା। କଟକକୁ ଆସିଲେ ସବୁ ପୁରୁଣା ସ୍ମୃତି ମନେ ପଡ଼ିଯାଉଥିବା ସେ କହିଛନ୍ତି।
ଓଡ଼ିଶା କ୍ରିକେଟର୍‌ଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ ଗତ ରଣଜୀ ଋତୁରେ ଓଡ଼ିଶା ବହୁତ ଭଲ ଖେଳିଛି। ଏପରିକି କନିଷ୍ଠ ଖେଳାଳିମାନେ ମଧ୍ୟ ଭଲ ପ୍ରଦର୍ଶନ ଦେଉଛନ୍ତି। ଜାତୀୟ ଏକାଡେମିରେ ପ୍ରଶିକ୍ଷଣ ଦେବାକୁ ଯାଉଥିବା ବେଳେ ସେଠାରେ କିଛି ଓଡ଼ିଶା ଖେଳାଳିଙ୍କ ସହ ମିଶିବାକୁ ସୁଯୋଗ ମିିଳିଥିଲା। ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା ହେଉଥିବାରୁ ଖେଳାଳିମାନେ ଏବେ ଉଚ୍ଚସ୍ତରୀୟ କ୍ରିକେଟରେ ମଧ୍ୟ ଭଲ ଖେଳିପାରୁଥିବା ମୋରେ କହିଛନ୍ତି। ତେବେ ୧୯୯୨ ମସିହାର ଜାଭେଦ୍‌ ମିଅାଁଦାଦ୍‌ଙ୍କ ସହିତ ଘଟିଥିବା ଘଟଣା (ମଙ୍କି ଡ୍ୟାନ୍‌ସ ବା ମାଙ୍ଗଡ଼ ଡିଆଁ)କୁ ଅଧିକ ଅତିରଞ୍ଜିତ ନକରିବାକୁ ସେ ଅନୁରୋଧ କରିଥିଲେ। ଆମେ ଉଭୟ ଭଲ ବନ୍ଧୁ। କିନ୍ତୁ ଭାରତ ଓ ପାକିସ୍ତାନ ମ୍ୟାଚ୍‌ର ଉଷ୍ମତା ଯୋଗୁଁ ସେହି ଘଟଣା ଘଟିଥିଲା। କିନ୍ତୁ ପଡ଼ିଆ ଭିତରେ ଯାହା ଘଟିଥାଏ, ବାହାରକୁ ଆସିଲା ପରେ ଆମେ ସେସବୁକୁ ଭୁଲିଯାଇଥାଉ ବୋଲି ମୋରେ ପ୍ରତିକ୍ରିୟା ଦେଇଥିଲେ।

ସମ୍ବନ୍ଧିତ ଖବର