ଇତିହାସ ରଚିବା ଏତେ ସହଜ ନ ଥିଲା, ଅନେକ ଘାତ ପ୍ରତିଘାତକୁ ଅତିକ୍ରମ କରି ଦୂତି ପାଇଛନ୍ତି ସଫଳତା

ଏସୀୟ କ୍ରୀଡ଼ାରେ ଦମଦାର ପ୍ରଦର୍ଶନ ସହ ଭାରତକୁ ଡବଲ ରୌପ୍ୟ ଦେଇଛନ୍ତି ଓଡ଼ିଆ ଧାବିକା ଦୂତି ଚାନ୍ଦ। ଉଭୟ ୧୦୦ ଓ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ଦେଶ ତଥା ରାଜ୍ୟକୁ ଗର୍ବିତ କରିଛନ୍ତି ଓଡ଼ିଆ ଝିଅ । ଆଉ ଏହି ବିଜୟ ପରେ ଏବେ ଦୂତିଙ୍କ ନିକଟକୁ ଛୁଟିଛି ପ୍ରଂଶସାର ସୁଅ ।

ପ୍ରଥମେ ରାଖୀ ପୂର୍ଣ୍ଣିମା ଦିନ ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ରୌପ୍ୟ ଜିତି ନୂଆ ଇତିହାସ ସୃଷ୍ଟି କରିଥିଲେ ଦୂତି । ତେବେ ଦୂତି ଟ୍ରାକକୁ ଓହ୍ଲାଇବା ପୂର୍ବରୁ କୋଟି କୋଟି ଭାରତୀୟଙ୍କ ଆଖି ଯେମିତି ଟିଭି ପରଦା ଉପରେ ଲାଖି ରହି ଯାଇଥିଲା । ଇସାରା ମିଳିବା କ୍ଷଣି ପବନ ବେଗରେ ଧାଇଁଲେ ଆଥଲେଟ୍‌ । ଆଉ ଫିନିସିଂ ଲାଇନ୍‌ ଛୁଇଁବା ପରେ ସବୁ କିଛି ଇତିହାସ ପାଲଟିଗଲା । ଦୀର୍ଘ ୨୦ବର୍ଷ ପରେ ଏସୀୟ କ୍ରୀଡ଼ାରେ, ୧୦୦ ମିଟର ମହିଳା ଦୌଡ଼ ବର୍ଗରେ ପଦକ ଆଣିଲା ଭାରତ । ୧୧ ଦଶମିକ୍‌ ୩୨ ସେକେଣ୍ଡ ଦୂତି ଚାନ୍ଦଙ୍କୁ ଇତିହାସ ରଚିବା ପାଇଁ ଯେଥେଷ୍ଟ ଥିଲା ଏହି ସମୟ ।

ଭାରତର ପଦକ ତାଲିକାରେ ଯୋଡ଼ି ହୋଇଗଲା ଆଉ ଏକ ରୌପ୍ୟ ପଦକ । ସ୍ୱର୍ଣ୍ଣ ପଦକଠାରୁ ମାତ୍ର ୦.୦୨ ସେକେଣ୍ଡର ପଛରେ ରହିଗଲେ ଦୂତି ଚାନ୍ଦ । ଯାହା ଫଳରେ ବାହାରିନର ଆଥଲେଟ୍‌ ୧୧.୩୦ ସେକେଣ୍ଡ ସହ ସ୍ୱର୍ଣ୍ଣ ପଦକ ହତେଇ ନେଲେ । ତେବେ କିଛି ମାଇକ୍ରୋ ସେକେଣ୍ଡ ପାଇଁ ସ୍ୱର୍ଣ୍ଣ ପଦକ ହାତଛଡା ହୋଇଥିବାରୁ ମନରେ ଟିକଏ ଅବସୋସ ମଧ୍ୟ ରହିଥିଲା କିନ୍ତୁ ମନୋବଳ ଭାଙ୍ଗି ନଥିଲା । କାରଣ ସାମ୍ନାରେ ଥିଲା ଆଉ ଏକ ସୁଯୋଗ ୨୮ ଅଗଷ୍ଟ ୨୦୧୮ରେ। ପୁଣିଥରେ ପଦକ ଆଶା ନେଇ ଟ୍ରାକକୁ ଓହ୍ଲାଇଥିଲେ ସୁନା ଝିଅ ଦୂତି ।

୧୦୦ ମିଟର ପରେ ୨୦୦ ମିଟର ଦୌଡରେ ଦମଦାର ପ୍ରଦର୍ଶନ ସହ ଫାଇନାଲ ଟିକେଟ ହାତେଇଥିଲେ ଦୂତି । ମାତ୍ର ୨୩ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରି ନୂଆ ଇତିହାସ ରଚିଥିଲେ ଦୂତି । ଆଉ ଏହାପରେ ୨୦୦ ମିଟରରେ ଦୂତିଙ୍କ ସ୍ୱର୍ଣ୍ଣ ସ୍ୱପ୍ନ ସାକାର ହେବ ବୋଲି ରାଜ୍ୟ ତଥା ଦେଶବାସୀ ଆଶ ବାନ୍ଧି ବସିଥିଲେ । କାରଣ ସେମିଫାଇନାଲରେ ୧୦୦ ମିଟର ଦୌଡର ବିଜେତାଙ୍କୁ ପଛରେ ପକାଇଥିଲେ ଦୂତି । ଆଉ ୨୯ ଅଗଷ୍ଟରେ ଦୂତି ଯେତେବେଳେ ପଦକ ଜିତିବା ପାଇଁ ଟ୍ରାକକୁ ଓହ୍ଲାଇଲେ ରାଜ୍ୟ ତଥା ଦେଶବାସୀଙ୍କ ହୃତସ୍ପନ୍ଦନ ମଧ୍ୟ ବଢିବା ଆରମ୍ଭ ହୋଇଥିଲା । ଟ୍ରାକରେ ହ୍ଵସିଲ ବାଜିବା ମାତ୍ରେ ପବନ ବେଗରେ ମାଡି ଚାଲିଥିଲେ ଦୂତି, ଲାଗୁଥିଲା ଆଉ କିଛି ପାଦ ପରେ ଯେପରି ସୁନା ପଦକ ହାତେଇ ନେବେ ଦୂତି କିନ୍ତୁ ଶେଷ କିଛି ମୁହୂର୍ତ୍ତରେ ସାଥ୍‌ ଦେଲାନି ଭାଗ୍ୟ। ମାତ୍ର ଏକ ସେକେଣ୍ଡରୁ କମ ସମୟ ବିଳମ୍ବରେ ପହଞ୍ଚିବାରୁ ସ୍ୱର୍ଣ୍ଣ ପଦକ କବଜା କରି ନେଇଥିଲେ ବାହାରିନର ଆଥଲେଟ କିନ୍ତୁ ଦେଶବାସୀଙ୍କୁ ନିରାଶ କରିନଥିଲେ ଦୂତି ଚାନ୍ଦ । ୨୦୦ ମିଟର ଦୌଡରେ ରୌପ୍ୟ ଜିତିବା ସହ ଭାରତକୁ ଦ୍ୱିତୀୟ ରୂପା ଦେଇଥିଲେ ଦୂତି । ଆଉ ଏହାସହ ଏସିଆନ ଗେମ୍‌ସରେ ଦୁଇ ଦୁଇଟି ପଦକ ଜିତି ନୂଆ ଇତିହାସ ସୃଷ୍ଟି କରିଥିଲେ ଦୌଡରାଣୀ ଦୂତି ।

ଯାଜପୁରର ଝିଅ ଦୂତିଙ୍କ ପାଇଁ ଜାକର୍ତ୍ତାରେ ଦୁଇ ଦୁଇଟି ରୌପ୍ୟ ପଦକ ଜିତିବା ଏତେ ସହଜ ନଥିଲା । ଅନେକ ଘାତ ଓ ପ୍ରତିଘାତକୁ ପାଦରେ ଆଡେଇ ଚାନ୍ଦି ଜିତିଛନ୍ତି ଚାନ୍ଦ । ସଂଘର୍ଷ ଓ ସଫଳତାର ଏହି ଲମ୍ବା କାହାଣୀ ଭିତରେ କିନ୍ତୁ ୨୦୧୪ ମସିହାରେ ଦୂତିଙ୍କ ସହ ଘଟିଯାଇଥିଲା ଏମିତି ଏକ ଘଟଣା ଯାହା ତାଙ୍କ ଆଥଲେଟିକ୍‌ କ୍ୟାରିୟର ନେଇ ସୃଷ୍ଟି ହୋଇଥିଲା ଏକ ବଡ ପ୍ରଶ୍ନବାଚୀ ଯ। ତାଙ୍କ ଦେହରେ ଥିବା ଏକ ହରମୋନକୁ ନେଇ ଉଠିଥିଲା ଆପତ୍ତି ହେଲେ ସବୁ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିଥିବା ସୂନା ଝିଅ ଦୂତିଙ୍କ ହାତରେ ଆଜି ଦୁଇ ଦୁଇଟି ରୁପା ପଦକ ।

ସମ୍ବନ୍ଧିତ ଖବର