ବିବାହ ବାର୍ଷିକୀରେ ବିଜୟ ଉପହାର, ୱାଙ୍ଖଡ଼େରେ ତ୍ରିମୂର୍ତ୍ତିଙ୍କ ‘ବାଉଣ୍ଡରି’ ବର୍ଷା

ୱେଷ୍ଟଇଣ୍ଡିଜ୍ ୬୭ ରନ୍‌ରେ ପରାସ୍ତ, ୨-୧ରେ ଶୃଙ୍ଖଳା ଜିତିଲା ଭାରତ

ମୁମ୍ବାଇ: ମୁମ୍ବାଇରେ ମହାବିଜୟ ସହ ଭାରତୀୟ କ୍ରିକେଟ୍ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି। ଅନ୍ୟପକ୍ଷରେ ପ୍ରଥମ ମୁକାବିଲାକୁ ହାରିବା ପରେ ଦ୍ବିତୀୟରେ ସଫଳ ପ୍ରତ୍ୟାବର୍ତନ କରିଥିବା ୱେଷ୍ଟଇଣ୍ଡିଜ୍ ନିର୍ଣ୍ଣାୟକ ତୃତୀୟ ଲଢ଼େଇରେ ୬୭ ରନ୍‌ରେ ପରାଜିତ ହୋଇଛି। ଫଳରେ ଭାରତଠାରୁ ଆଉ ଏକ ଶୃଙ୍ଖଳା ହାରିଛି। ବୁଧବାର ସ୍ଥାନୀୟ ୱାଙ୍ଖଡ଼େ ଷ୍ଟାଡିୟମରେ ତିନି ଉଜ୍ଜ୍ବଳ ତାରକା ରୋହିତ ଶର୍ମା, ଲୋକେଶ ରାହୁଲ ଏବଂ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଇଣ୍ଡିଜ୍‌କୁ ଭାରତ ୨୪୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଇଣ୍ଡିଜ୍‌ ନିର୍ଧାରିତ ୨୦ ଓଭରରେ ୮ ୱିକେଟ୍ ବିନିମୟରେ ୧୭୩ ରନ୍ କରି ମ୍ୟାଚ୍ ସହ ଶୃଙ୍ଖଳା ହାତଛଡ଼ା କରିଥିଲା। କୋହଲିଙ୍କର ଆଜି ଦ୍ବିତୀୟ ବିବାହ ବାର୍ଷିକୀ ଥିଲା ବେଳେ ସାଥୀ ଖେଳାଳିମାନେ ତାଙ୍କୁ ସ୍ମରଣୀୟ ଶୃଙ୍ଖଳା ବିଜୟ ଉପହାର ଦେଇଥିଲେ।

ଇଣ୍ଡିଜ୍‌କୁ ରୋକିଲେ ବୋଲର
୨୪୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ୱେଷ୍ଟଇଣ୍ଡିଜ୍ ଆରମ୍ଭରୁ ହିଁ ବାଟ ହୁଡ଼ିଥିଲା। ଏହି ଦଳର ଦ୍ବିତୀୟ ମ୍ୟାଚ୍ ବିଜୟର ନାୟକ ଲେଣ୍ଡଲ ସିମନ୍ସ (୭)ଙ୍କ ସହ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ବ୍ରାଣ୍ଡନ୍ କିଙ୍ଗ୍ (୫)ଙ୍କୁ ମହମ୍ମଦ ସାମି ଓ ଭୁବନେଶ୍ବର କୁମାର ୩ ଓଭର ଭିତରେ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଭାରତର ଅନ୍ୟତମ ଯୁବ ଦ୍ରୁତ ବୋଲର ଦୀପକ ଚହର ଭ୍ରମଣକାରୀ ଦଳର ୱିକେଟ୍ ରକ୍ଷକ ନିକୋଲାସ ପୂରନଙ୍କୁ ଖାତା ଖୋଲିବାର ସୁଯୋଗ ଦେଇ ନଥିଲେ। ଫଳରେ ଇଣ୍ଡିଜ୍ ମାତ୍ର ୧୭ ରନ୍‌ରେ ୩ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ଏକାକି ଲଢ଼ୁଥିବା ସିମରନ୍ ହେଟମେୟର (୪୧ ରନ୍)ଙ୍କୁ କୁଲଦୀପ ଯାଦବ ଲୋକେଶ ରାହୁଲଙ୍କ ହାତରେ କ୍ୟାଚ୍ କରାଇବା ପରେ ଇଣ୍ଡିଜ୍ ବିଜୟ ଆଶା ସେହିଠାରେ ମଉଳି ଯାଇଥିଲା। କେବଳ ଯାହା ଔପଚାରିକତା ବାକି ଥିଲା। ଅଧିନାୟକ କିରଣ ପୋଲାର୍ଡ (୬୮) ଅବଶ୍ୟ କିଛି ଦର୍ଶନୀୟ ସଟ୍ ସହ ଦ୍ରୁତ ଅର୍ଧଶତକ ଖେଳି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ହେଲେ ଇଣ୍ଡିଜ୍ ବିଜୟ ପାଇଁ ଏହା ଆଦୌ ପର୍ଯ୍ୟାପ୍ତ ହୋଇ ନଥିଲା। ନିୟମିତ ବ୍ୟାବଧାନରେ ୱିକେଟ୍ ହରାଇ ଚାଲିଥିବା ଏହି ଦଳ ଶେଷରେ ୧୭୩/୮ରେ ଅଟକି ଯାଇଥିଲା। ଭାରତ ପକ୍ଷରୁ ଦୀପକ ଚହର, ଭୁବନେଶ୍ବର କୁମାର, ମହମ୍ମଦ ସାମି ଓ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ବାଣ୍ଟି ନେଇଥିଲେ।

ଭାରତ ବୁଧବାର ଦୁଇଟି ପରିବର୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ରବୀନ୍ଦ୍ର ଜାଦେଜାଙ୍କ ସ୍ଥାନରେ ମହମ୍ମଦ ସାମି ଏବଂ ୟୁଜବେନ୍ଦ୍ର ଚହଲଙ୍କ ବଦଳରେ କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲା। ସେପଟେ ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରଣ ପୋଲାର୍ଡ ଶୃଙ୍ଖଳାରେ ଲଗାତାର ଦ୍ବିତୀୟ ଥର ଟସ୍ ଜିତି ପୁନର୍ବାର ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଏହାକରି ତିରୁଅନନ୍ତପୁରମ ଭଳି ମୁମ୍ବାଇରେ ଭାରତକୁ ଏକାଧିକ ପ୍ରାରମ୍ଭିକ ଝଟ୍‌କା ଦେବାକୁ ପୋଲାର୍ଡ ଲକ୍ଷ୍ୟ ରଖିଥିଲେ। ତାଙ୍କର ଏହି ଯୋଜନାକୁ କିନ୍ତୁ ଭାରତୀୟ ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା (୭୧ ରନ୍, ୩୪ ବଲ୍, ୬ ଚୌକା, ୫ ଛକା) ଓ ଲୋକେଶ ରାହୁଲ (୯୧ ରନ୍, ୫୬ ବଲ୍, ୯ ଚୌକା, ୪ ଛକା) ନିଷ୍ଫଳ କରି ଦେଇଥିଲେ। ବିଶେଷ କରି ନିଜ ଘରୋଇ ପଡ଼ିଆରେ ଖେଳୁଥିବା ରୋହିତ ସବୁ ଇଣ୍ଡିଜ୍ ବୋଲରଙ୍କୁ ଆରମ୍ଭରୁ ଆକ୍ରମଣ କରିଥିଲେ। ଛକା, ଚୌକା ବର୍ଷା କରି ମାତ୍ର ୨୩ ବଲ୍‌ରୁ ଊନ୍ନବିଂଶ ଅର୍ଧଶତକ ପୂରଣ କରି ନେଇଥିଲେ। ତା’ ଭିତରେ ସେ ମଧ୍ୟ ଟ୍ବେଣ୍ଟି-୨୦ରେ ୪୦୦ ଛକାର ମାଇଲଖୁଣ୍ଟ ଟପିଥିଲେ। ରୋହିତଙ୍କ ଯୋଡ଼ିଦାର ରାହୁଲ ବି ପଛରେ ନଥିଲେ। ୨୯ ବଲ୍‌ରୁ ରାହୁଲ ନିଜ ଅଷ୍ଟମ ଅର୍ଧଶତକ ହାସଲ କରି ନେଇଥିଲେ। ଉଭୟ ସବୁ ଇଣ୍ଡିଜ୍ ବୋଲରଙ୍କୁ ନିର୍ଧୁମ ଛେଚିବା ସହ ଭାରତ ମାତ୍ର ୮ ଓଭରରେ ୧୦୦ ରନ୍ ପୂରଣ କରିଥିଲା। ରୋହିତ-ରାହୁଲ ପ୍ରଥମ ୱିକେଟ୍‌ରେ ୧୩୫ ରନ୍ ଯୋଡ଼ି ଭାରତ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। କେସ୍ରିକ୍ ୱିଲିୟମ୍ସଙ୍କୁ ପୁଲ୍ କରିବା ପ୍ରୟାସରେ ରୋହିତ ମିଡ୍‌ୱିକେଟ୍ ଅଞ୍ଚଳରେ ହେଡେନ୍ ୱାଲ୍ସଙ୍କ ହାତରେ ଧରାପଡ଼ିବା ପରେ ଭାରତ ୧୧.୪ ଓଭରରେ ପ୍ରଥମ ୱିକେଟ୍ ହରାଇଥିଲା। ତିନି ନମ୍ବରକୁ ପଦୋନ୍ନତି ପାଇଥିବା ଋଷବ ପନ୍ତ (୦) କିନ୍ତୁ ଖାତା ଖୋଲି ପାରି ନଥିଲେ। ତଥାପି ଇଣ୍ଡିଜ୍‌କୁ ବୋଲରଙ୍କୁ ନିସ୍ତୁକ ମାଡ଼ରୁ ନିସ୍ତାର ମିଳି ନଥିଲା। ଚତୁର୍ଥ ସ୍ଥାନରେ ଆସି ଭାରତୀୟ ଅଧିନାୟକ ବିରାଟ କୋହଲି (୭୦* ରନ୍, ୨୯ ବଲ୍, ୪ ଚୌକା, ୭ ଛକା) ଧୂଆଁଧାର ବ୍ୟାଟିଂ କରିଥିଲେ। ଆଜି ତାଙ୍କ ବ୍ୟାଟ୍ କେବଳ ଚୌକା, ଛକାରେ କଥା କହିଥିଲା। ପଡ଼ିଆର ଚାରିପଟକୁ ସଟ୍ ଖେଳି କୋହଲି ମାତ୍ର ୨୧ ବଲ୍‌ରୁ ୨୪ତମ ଅର୍ଧଶତକ ଛୁଇଁଥିଲେ। ସେପଟେ ସେଲଡନ୍ କଟ୍ରେଲଙ୍କ ଏକ ସର୍ଟ ବଲ୍‌କୁ ରାହୁଲ ବଡ଼ ସଟ୍ ମାରିବା ଲୋଭରେ ନିକୋଲାସ ପୂରନଙ୍କ ହାତରେ ଧରାପଡ଼ିବା ପରେ ମାତ୍ର ୯ ରନ୍ ପାଇଁ ବିସ୍ଫୋରକ ଶତକରୁ ବଞ୍ଚିତ ହୋଇଥିଲେ। ଭାରତ ମଧ୍ୟ ତାଙ୍କ ରୂପରେ ନିଜ ତୃତୀୟ ତଥା ଶେଷ ୱିକେଟ୍ ହରାଇଥିଲା। କଟ୍ରେଲଙ୍କୁ ତାଙ୍କ ମୁଣ୍ଡ ଉପରେ ଛକା‌ ମାରି କୋହଲି ଭାରତ ପାଳିକୁ ୨୪୦/୩ରେ ପହଞ୍ଚାଇ ଦେଇଥିଲେ। ଯାହା ଭାରତର ତୃତୀୟ ସର୍ବୋଚ୍ଚ ଦଳଗତ ଟ୍ବେଣ୍ଟି-୨୦ ସ୍କୋର ଥିଲା। ରୋହିତ-ରାହୁଲ-କୋହଲି ମିଳିତ ଭାବେ ଭାରତ ପାଳିରେ ମୋଟ ୧୬ ଛକା ଏବଂ ୧୯ ଚୌକା ମାରିଥିଲେ। ରୋହିତ ୭୧ ଏବଂ କୋହଲି ୭୦* ରନ୍ କରିବା ପରେ ଉଭୟ ଟ୍ବେଣ୍ଟି-୨୦ରେ ସମାନ ୨୬୩୩ ରନ୍‌ରେ ପହଞ୍ଚିଥିଲେ। ଏହ ପୂର୍ବରୁ ରୋହିତଙ୍କଠାରୁ କୋହଲି ମାତ୍ର ୧ ରନ୍‌ରେ ଆଗୁଆ ଥିଲେ।

ସମ୍ବନ୍ଧିତ ଖବର