ମହିଳା ହକି ଦଳର ଦମ୍‌ଦାର ବିଜୟ

ମାଲେସିଆକୁ ୪-୧ ଗୋଲ୍‌ରେ ହରାଇଲା

ଗୋଲ୍‌ଡକୋଷ୍ଟ (ଅଷ୍ଟ୍ରେଲିଆ): ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ମହିଳା ହକି ଦଳ ତ୍ରୁଟି ସୁଧାରିନେଇ ଦ୍ୱିତୀୟ ମ୍ୟାଚ୍‌କୁ ଜିତି ନେଇଛି। ଗୁରୁବାର ପ୍ରଥମ ଦିବସରେ ପୁଲ୍‌-ଏରେ ନିଜର ପ୍ରଥମ ମୁକାବିଲାକୁ େଓ୍ଵଲ୍‌ସ ନିକଟରୁ ୨-୩ ଗୋଲ୍‌ରେ ହାରିଯାଇଥିବା ଭାରତ ଶୁକ୍ରବାର ଦ୍ୱିତୀୟ ମ୍ୟାଚ୍‌ରେ ମାଲେସିଆକୁ ୪-୧ରେ ପରାସ୍ତ କରିଦେଇଛି। ଡ୍ରାଗ୍‌ଫ୍ଲିକ୍‌ ବିଶେଷଜ୍ଞ ଗୁର୍‌ଜିତ୍‌ କୌରଙ୍କ ଯୁଗଳ ଗୋଲ୍‌ ସାଙ୍ଗକୁ ଅଧିନାୟିକା ରାଣୀ ଓ ଲାଲ୍‌ରେମ୍‌ସିଆମିଙ୍କ ଗୋଟିଏ ଲେଖାଏଁ ଗୋଲ୍‌ ବଳରେ ଭାରତ ପ୍ରଥମ ବିଜୟ ହାସଲ କରିଛି। ଗୁର୍‌ଜିତ୍‌ ମ୍ୟାଚ୍‌ର ୬ ଓ ୩୯ ମିନିଟ୍‌ରେ ଗୋଲ୍‌ କରିଥିଲା ବେଳେ ରାଣୀ ୫୬ ଓ ଲାଲ୍‌ରେମ୍‌ସିଆମି ୫୯ ମିନିଟ୍‌ରେ ଗୋଲ୍‌ କରି ବ୍ୟବଧାନ ବଢ଼ାଇଥିଲେ। ମାଲେସିଆ ପକ୍ଷରୁ ଏକମାତ୍ର ଗୋଲ୍‌ ୩୮ ମିନିଟ୍‌ରେ ନୁରାଇନି ରସିଦ୍‌ କରିଥିଲେ। େଓ୍ଵଲ୍‌ସ ନିକଟରୁ ହାରିଯିବା ପରେ ଭାରତ ଶୁକ୍ରବାର ନିଜର ଏସୀୟ ପ୍ରତିଦ୍ୱନ୍ଦ୍ୱୀ ମାଲେସିଆ ବିପକ୍ଷରେ ଆରମ୍ଭରୁ ଆକ୍ରାମକ ଆଭିମୁଖ୍ୟ ନେଇ ଖେଳିଥିଲା। ଫଳରେ ୬ ମିନିଟ୍‌ରେ ପ୍ରଥମ ଗୋଲ୍‌ କରି ଆଗୁଆ ରହିଥିଲା। ହେଲେ ୩୮ ମିନିଟ୍‌ରେ ମାଲେସିଆ ସ୍ଥିତି ୧-୧ କରିଦେଇଥିଲା। କିନ୍ତୁ ପ୍ରଥମାର୍ଧ ପରେ ମାଲେସିଆର କେତେକ ଗୋଲ୍‌ ସୁଯୋଗକୁ ଭାରତ ପଣ୍ଡ କରିଦେଇଥିଲା ବେଳେ ଦ୍ୱିତୀୟାର୍ଧରେ ୩ ଗୋଲ୍‌ ଲଦି ଦେଇଥିଲା। ୪-୧ରେ ପଛୁଆ ରହିବା ପରେ ମାଲେସିଆ ଆଉ ମ୍ୟାଚ୍‌କୁ ଫେରିପାରି ନଥିଲା। ଆଉ ଏହି ବିଜୟ ମଧ୍ୟ ଆଗକୁ ବଢ଼ିବା ପାଇଁ ଭାରତୀୟ ଖେଳାଳିଙ୍କ ମନୋବଳ ବୃଦ୍ଧି କରିଛି। ଭାରତ ତା’ର ତୃତୀୟ ମ୍ୟାଚ୍‌ ଆସନ୍ତା ୮ ତାରିଖରେ ଇଂଲଣ୍ଡ ସହ ଖେଳିବ।

ଦୀପ୍‌ଗ୍ରେସ୍‌ଙ୍କ ୧୫୦ ମାଇଲଖୁଣ୍ଟ

ଗୋଲ୍‌ଡ କୋଷ୍ଟ୍‍: ଚଳିତ ଏକବିଂଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁକ୍ରବାର ଭାରତୀୟ ମହିଳ ହକି ଦଳ ମାଲସିଆକୁ ହରାଇ ପ୍ରଥମ ବିଜୟ ହାସଲ କରିିବା ଅବସରରେ ଓଡ଼ିଆ ଝିଅ ଦୀପ ଗ୍ରେସ୍‌ ଏକ୍କା ୧୫୦ ଅନ୍ତର୍ଜାତୀୟ ମ୍ୟାଚ୍‌ର ମାଇଲଖୁଣ୍ଟ୍‌ ଛୁଇଁଛନ୍ତି। ସୁନ୍ଦରଗଡ଼ ଲୁଲକିଡିହି ଗାଁର ଏହି ୨୩ ବର୍ଷିୟା ଝିଅ ୨୦୧୧ ମସିହାରେ ଆର୍ଜେଣ୍ଟିନାରେ ଚତୁଃରାଷ୍ଟ୍ରୀୟ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିବା ପରଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଭାରଦୀୟ ଦଳ ରକ୍ଷଣଭାଗର ଏବେ ବଡ଼ ପ୍ରାଚୀର ପାଲଟିଛନ୍ତି ଏହି ସାଇ ସାଗ୍‌ କେନ୍ଦ୍ର ସୃଷ୍ଟି। ୧୮ ବର୍ଷରୁ କମ୍‌ ବ୍ୟାଙ୍କକ୍‌ ଏସିଆ କପପ୍‌ରେ କାଂସ୍ୟ ବିଜୟ ଏବଂ ୨୦୧୩ ମସିହାରେ ଜର୍ମାନିରେ କନିଷ୍ଠ ବିଶ୍ୱକପ୍‌ରେ ଐତିହାସିକ କାଂସ୍ୟ ପଦକ ବିଜୟ ପରେ ଦୀପ ଗ୍ରେସ୍‌ ଜାତୀୟ ଦଳରେ ନିଜ ସ୍ଥାନକୁ ଅଧିକ ଦୃଢ଼ କରିଥିଲେ। ବରିଷ୍ଠ ବର୍ଗରେ ସାମିଲ ପରେ ମଧ୍ୟ ଦୀପ୍‌ ଗ୍ରେସ୍‌ ଡ୍ରାଗ୍ଲ ଫ୍ଲିକର ଓ ଡିଫେଣ୍ଡର ଭାବେ ଦ୍ୱୈତ ଭୂମିକା ତୁଲାଇ ଆସୁଛନ୍ତି। ଗତବର୍ଷ ଏସିଆ କପ୍‌ ବିଜୟ ଏବଂ ୨୦୧୩ରେ ଏସିଆ କପ୍‌ କାଂସ୍ୟ ବିଜୟ, ୨୦୧୬ରେ ଏସିଆନ୍‌ ଚାମ୍ପିଅନ୍‌ସ ଟ୍ରଫି ମୁକୁଟ ସହିତ ୨୦୧୩ରେ ଏସିଆନ୍‌ ଚାମ୍ପିଅନ୍‌ସ ଟ୍ରଫିରେ ରୌପ୍ୟ ସଫଳତା ପ୍ରମୁଖ ତାଙ୍କୁ କ୍ରମେ ପରିପକ୍ୱ କରିଥିଲା। ୨୦୧୪ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ଏବଂ ୨୦୧୭ ରିଓ ଅଲିମ୍ପିକ୍ସରେ ଖେଳିଥିଲେ। ଅଷ୍ଟ୍ରେଲିଆ ଗସ୍ତରେ ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତା ଅବସରରେ ସେ ୧୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ଗୌରବ ପାଇଥିଲେ।
ମୁଁ ଅନ୍ତର୍ଜାତୀୟ ହକିରେ ୧୫୦ ମ୍ୟାଚ୍‌ ଖେଳିଥିବାରୁ ବହୁତ ଖୁସି। ଏ ପର୍ଯ୍ୟନ୍ତର ଯାତ୍ରାକୁ ନେଇ ମୁଁ ଖୁସି। ସାମ୍ପ୍ରତିକ ପ୍ରଦର୍ଶନକୁ ଆଗକୁ ନେଇ ଆମେ ଦଳୀୟ ଲକ୍ଷ୍ୟ ହାସଲରେ ସକ୍ଷମ ହେବୁ ବୋଲି ଆଶା ରଖିଛୁ। ଆମ ପାଇଁ ଚଳିତ ବର୍ଷର ଏସୀୟ କ୍ରୀଡ଼ା ବିଜୟ ସହିତ ଅଲିମ୍ପିକ୍‌ ଯୋଗ୍ୟତା ବଡ଼ ଲକ୍ଷ୍ୟ ରହିଛି ବୋଲି ଦୀପ୍‌ ଗ୍ରେସ୍‌ କହିଛନ୍ତି। ଦୀପ୍‌ ଗ୍ରେସ୍‌ଙ୍କୁ ଅଭିନନ୍ଦନ ଜଣାଇ ହକି ଇଣ୍ଡିଆର ମହାସଚିବ ମହମ୍ମଦ ମୁସ୍ତାକ୍‌ ଅହମ୍ମଦ କହିଛନ୍ତି ‘ଓଡ଼ିଶା ବାସ୍ତବରେ ଭାରତକୁ ଉତ୍କର୍ଷ ହକି ପ୍ରତିଭା ଯୋଗାଉଛି। ଦୀପ ଗ୍ରେସ୍‌ ସେମାନଙ୍କ ମଧ୍ୟରୁ ଜଣେ ପ୍ରମୁଖ ଖେଳାଳି। ପଦାର୍ପଣ ପରଠାରୁ ସେ ଦଳର ଅଭ୍ୟନ୍ତରୀଣ ଅଙ୍ଗ ପାଲଟିଛନ୍ତି। ସେ ମାନସିକଭାବେ ଭାରି ଦୃଢ଼ ଏବଂ ସହଜରେ କିଛି ଛାଡ଼ି ଦିଅନ୍ତି ନାହିଁ। ସେ ଦେଶ ପାଇଁ ଅଧିକ ଗୌରବ ଆଣନ୍ତୁ ବୋଲି ମୋର ଶୁଭେଚ୍ଛା।

ଆଜି ପୁରୁଷ ଭେଟିବେ ପାକିସ୍ତାନକୁ
ଭାରତୀୟ ମହିଳା ହକି ଦଳ ଦୁଇଟି ମ୍ୟାଚ୍‌ ଖେଳି ସାରିଥିଲା ବେଳେ ପୁରୁଷ ହକି ଦଳ ଶନିବାରଠୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନ ଆରମ୍ଭ କରିବ। ଆତ୍ମବିଶ୍ୱାସରେ ଭରପୁର ମନ୍‌ପ୍ରୀତ୍‌ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଶନିବାର ପୁଲ୍‌-ବିରେ ତା’ର ପ୍ରଥମ ମ୍ୟାଚ୍‌ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଖେଳିବ। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଥିବା ହକି ବିଶ୍ୱକପ୍‌ ବର୍ଷରେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ଦୃଷ୍ଟିରୁ ପାକିସ୍ତାନ ବିପକ୍ଷ ମୁକାବିଲା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମନ୍‌ପ୍ରୀତ୍‌। ପାକିସ୍ତାନ ସହ ଖେଳିବା ପରେ ଆମେ ପୁଲ୍‌-ବିରେ େଓ୍ଵଲ୍‌ସ, ମାଲେସିଆ ଓ ଇଂଲଣ୍ଡ ସହ ଖେଳିବୁ। ତେଣୁ ବିଜୟରୁ ଅଭିଯାନ ଆରମ୍ଭ କରିପାରିଲେ ଆଗକୁ ମନୋବଳ ବଢ଼ିଯିବ ବୋଲି ମନ୍‌ପ୍ରୀତ୍‌ କହିଛନ୍ତି।

ମୁଷ୍ଟିଯୁଦ୍ଧ: ଅମିତ୍‌, ନମନ କ୍ୱାର୍ଟରରେ
ଭାରତୀୟ ମୁଷ୍ଟିଯୋଦ୍ଧାମାନେ ଭଲ ଆରମ୍ଭ କରିଛନ୍ତି। ଶୁକ୍ରବାର ଅମିତ୍‌ ପଙ୍ଗଲ୍‌ (୪୯ କେଜି) ଏବଂ ନମନ ତନ୍‌ଓ୍ଵର (୯୧ କେଜି) ନିଜ ନିଜର ପ୍ରଥମ ବାଉଟ୍‌ ଜିତି କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ବିଶ୍ୱ ଯୁବ ପ୍ରତିଯୋଗିତାରେ କାଂସ୍ୟ ଜିତି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦାର୍ପଣ କରିଥିବା ୧୯ ବର୍ଷ ବୟସ୍କ ନମନ ତାଞ୍ଜାନିଆର ହରୁନା ମାଣ୍ଡୋଙ୍କୁ ଏବଂ ଅମିତ୍‌ ଘାନାର ଟେଟେ ସୁଲେମାନୁଙ୍କୁ ପରାସ୍ତ କରିଛନ୍ତି।

ବ୍ୟାଡ୍‌ମିଣ୍ଟନ କ୍ୱାର୍ଟରରେ ଭାରତ

କ୍ରମାଗତ ତୃତୀୟ ବିଜୟ ସହ ଭାରତୀୟ ବ୍ୟାଡ୍‌ମିଣ୍ଟନ ମିଶ୍ରିତ ଦଳ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଗୁରୁବାର ଯଥାକ୍ରମେ ଶ୍ରୀଲଙ୍କା ଓ ପାକିସ୍ତାନକୁ ୫-୦ ଲେଖାଏଁ ବ୍ୟବଧାନରେ ପରାସ୍ତ କରିଥିବା ଭାରତ ଶୁକ୍ରାବର ଦ୍ୱିତୀୟ ଦିବସରେ ସ୍କଟ୍‌ଲାଣ୍ଡ୍‌କୁ ମଧ୍ୟ ୫-୦ରେ ପରାସ୍ତ କରି ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି। ସାଇନା ନେହ୍ଵାଲ ୨୧-୧୪, ୨୧-୧୨ରେ ଜୁଲି ମାକ୍‌ପରର୍ସନ୍‌ଙ୍କୁ, ପୁରୁଷ ଏକକରେ କିଦାମ୍ବି ଶ୍ରୀକାନ୍ତ ୨୧-୧୮, ୨୧-୨ରେ କିରଣ ମେରିଲିସ୍‌ଙ୍କୁ, ମହିଳା ଯୁଗଳରେ ଅଶ୍ୱିନୀ ପୋନାପ୍ପା-ଏନ୍‌ ସିକ୍କି ରେଡ୍ଡୀ ୨୧-୮, ୨୧-୧୨ରେ କିର୍ଷ୍ଟି ଗିଲ୍‌ମୋର-ଇଲାନୋର୍‌ ଓଡୋନେଲ୍‌ଙ୍କୁ, ପୁରୁଷ ଯୁଗଳରେ ସାତ୍ୱିକ୍‌ ରାଙ୍କିରେଡୀ-ଚିରାଗ ସେଟୀ ୨୧-୧୬, ୨୧-୧୯ରେ ପାଟ୍ରିକ୍‌ ମଚୁଗ୍‌-ଆଦାମ୍‌ ହଲ୍‌ଙ୍କୁ ଏବଂ ଶେଷରେ ମିଶ୍ରିତ ଯୁଗଳରେ ପ୍ରଣବ ଚୋପ୍ରା-ଏନ୍‌ ସିକ୍କି ରେଡୀ ୨୧-୧୭, ୨୧-୧୫ରେ ମାର୍ଟିନ୍‌ କାମ୍ପ୍‌ବେଲ୍‌-ଜୁଲି ମାକ୍‌ପର୍ସନ୍‌ଙ୍କୁ ପରାସ୍ତ କରି ଭାରତକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର