ଲକ୍ଷ୍ନୌ ଟି-୨୦: ଟସ୍‌ ଜିଣି ୱେଷ୍ଟଇଣ୍ଡିଜ୍‌ର ବୋଲିଂ ନିଷ୍ପତ୍ତି, ଭାରତ କରିବ ବ୍ୟାଟିଂ

ଲକ୍ଷ୍ନୌ: ଭାରତ-ୱେଷ୍ଟଇଣ୍ଡିଜ୍ ତିନି ଟିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ମଙ୍ଗଳବାର ଲକ୍ଷ୍ନୌରେ ଖେଳାଯିବ। ଏଥିରେ ଭାରତ ପାଇଁ ଘରୋଇ ପରିବେଶରେ ଆଉ ଏକ ଶୃଙ୍ଖଳା ବିଜୟ ହାସଲ କରିବାର ସୁଯୋଗ ରହିବ। ଟସ୍‌ ଜିଣି ୱେଷ୍ଟଇଣ୍ଡିଜ୍‌ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବ୍ୟାଟିଂ କରୁଛି।

କୋଲକାତାରେ ଖେଳା ଯାଇଥିବା ପ୍ରଥମ ମୁକାବିଲାରେ ଭାରତ କଷ୍ଟକର ବିଜୟ ହାସଲ କରିଥିଲା। ତା’ ସହ କିନ୍ତୁ ଇଣ୍ଡିଜ୍ ବିପକ୍ଷରେ ଲଗାତାର ଚାରିଟି ଟ୍ବେଣ୍ଟି-୨୦ ମ୍ୟାଚ୍ ହାରିବା ଧାରାରେ ବିରାମ ଲଗାଇଥିଲା। ସେହିଭଳି ଇଣ୍ଡିଜ୍ ବିପକ୍ଷ ୯ ଟ୍ବେଣ୍ଟି-୨୦ରୁ ତୃତୀୟ ବିଜୟ ପାଇଥିଲା। କୋଲକାତା ପୂର୍ବରୁ ବାଂଲାଦେଶରେ ଆୟୋଜିତ ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପରେ ଇଣ୍ଡିଜକୁ ଭାରତ ହରାଇଥିଲା।

ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତର ଉଭୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ ଶିଖର ଧାୱନ ବିଫଳ ହୋଇଥିଲେ। ଲକ୍ଷ୍ନୌର ନବନିର୍ମିତ ଏକନା ଷ୍ଟାଡିୟମରେ ଏହି ଦୁଇ ଜଣ ଲୟକୁ ଫେରିବେ ବୋଲି ଆଶା କରାଯାଉଛି। ସେପଟେ ଇଣ୍ଡିଜ୍ ପାଇଁ ଅଲରାଉଣ୍ଡର ଆ‌େନ୍ଦ୍ର ରସେଲ ଶୃଙ୍ଖଳାରୁ ବାଦ ପଡ଼ିବା ଏକ ଶକ୍ତ ଧକ୍କା ହୋଇଛି। ଏହି ମ୍ୟାଚ୍‌ରେ ଉଭୟ ଦଳରେ ବଡ଼ ଧରଣର ପରିବର୍ତନ ଆଶା କମ୍ ।

ସମ୍ବନ୍ଧିତ ଖବର